ରାଜ୍ୟରେ ୬ଶହ ଟପିଲା ଦୈନିକ ସଂକ୍ରମଣ

ଭୁବନେଶ୍ବର : ରାଜ୍ୟରେ କିଛି ଦିନ ଦୈନିକ ସଂକ୍ରମଣ ୫ଶହ ତ‌ଳେ ରହିବା ପରେ ପୁଣିଥରେ ୬ ଶହ ପାର୍ କରିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୬୨୮ ‌କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ଏଥିରେ ୪୬ପ୍ରତିଶତ ଅର୍ଥାତ୍ ୨୯୧କରୋନା ଆକ୍ରାନ୍ତ କେବଳ ଖୋର୍ଧା ଜିଲ୍ଲାରୁ ରହିଛନ୍ତି। ତହିଁରୁ ପ୍ର‌ାୟ ୯୦ ପ୍ରତିଶତ ସଂକ୍ରମିତ ଭୁବନେଶ୍ବରରୁ ଚିହ୍ନଟ ହୋଇଛନ୍ତି। ରାଜଧାନୀରେ ବ୍ୟାପକ ଟିକାକରଣ, ସଚେତନତା ଓ ଚଢ଼ଉ ସତ୍ତ୍ବେ ସଂକ୍ରମଣ କମୁ ନାହିଁ। ସ୍ବାସ୍ଥ୍ୟ ବିଭାଗର ଅଧିକାରୀ ରାଜ୍ୟର ଅନ୍ୟ ଜିଲ୍ଲାଗୁଡ଼ିକରୁ ‌ଲୋକମାନେ ଭୁବନେଶ୍ବରକୁ ଆସୁଥିବାରୁ ସଂକ୍ରମଣ ବଢ଼ୁଥିବା ଘୋଷି ଚାଲିଛନ୍ତି।

ଡିଏମ୍‌ଇଟି ପ୍ରଫେସର ଡା. ସିବିକେ ମହାନ୍ତି କହିଛନ୍ତି, ଭୁବନେଶ୍ବର ହେଉଛି ହେଲ୍‌ଥ ହବ୍। ରାଜ୍ୟ ସମେତ ରାଜ୍ୟ ବାହାରୁ ଲୋକ ଏଠାକୁ ଆସୁଛନ୍ତି। ହସ୍ପିଟାଲ ଯିବା ପୂର୍ବରୁ ସମସ୍ତଙ୍କ ସ୍କ୍ରିନିଂ ହେଉଛି। ରାଜଧାନୀ ବଜାରରେ ପ୍ରବଳ ଭିଡ଼ ହେଉଛି। ଯେହେତୁ ଅଧିକ ଟ୍ରେସିଂ ‌କରାଯାଉଛି, ତେଣୁ ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ଏବେ ପାର୍ବଣ ଋତୁ ଆରମ୍ଭ ହୋଇଛି। ତେଣୁ ଆସନ୍ତା ୩ ମାସ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ସଚିବ କହିଛନ୍ତି। ଲୋକଙ୍କୁ ଏଥିପାଇଁ ସଚେତନ କରାଯାଉଛି। କୋଭିଡ୍‌ ନୟମାବଳୀକୁ ପାଳନ କରିବା ଲାଗି କୁହାଯାଉଛି। ଯେତିକି ଟିକା ମିଳୁଛି, ଲୋକଙ୍କ ପାଖରେ ଉପଲବ୍ଧ କରିବା ଲାଗି ପଦକ୍ଷେପ ନିଆଯାଉଥିବା ଡା. ମହାନ୍ତି କହିଛନ୍ତି।

ଖୋର୍ଧାକୁ ବାଦ୍ ଦେଲେ କଟକ ୭୨, ବ‌ାଲେଶ୍ବର ୨୨, ଜଗତସିଂହପୁର ୨୬, ସୁନ୍ଦରଗଡ଼ ୨୩, ଯାଜପୁର ୧୯, କୋରାପୁଟ ୧୬ ଓ ଷ୍ଟେଟ୍‌ ପୁଲରୁ ୬୬ଜଣଙ୍କୁ ଚିହ୍ନଟ କରାଯାଇଛି। ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୦ଲକ୍ଷ ୧୮ହଜାର ୯୨୬କୁ ବୃଦ୍ଧି ପାଇଛି। ରାଜ୍ୟରେ ଆଉ ୪ଜଣ କରୋନାରେ ପ୍ରାଣ ହରାଇଛନ୍ତି। ଖୋର୍ଧା, ଜଗତ୍‌ସିଂହପୁର, କଟକ, ଭଦ୍ରକରେ ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତି। ମୋଟ କରୋନା ମୃତ୍ୟୁ ୮୧୨୨କୁ ବୃଦ୍ଧି ପାଇଛି। ଏହାସହ ୭୧୯ କରୋନା ରୋଗୀ ସୁସ୍ଥ ହେବା ଫଳରେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୫୧୮୭କୁ ହ୍ରାସ ପାଇଛି। ଅପରପକ୍ଷରେ ସମୁଦାୟ ସୁସ୍ଥ ରୋଗୀଙ୍କ ସଂଖ୍ୟା ୧୦ଲକ୍ଷ ୫ହଜାର ୫୬୪କୁ ବୃଦ୍ଧି ପାଇଛି।

ସମ୍ବନ୍ଧିତ ଖବର