ଦୈନିକ ସଂକ୍ରମଣ ୪ହଜାର ଡେଇଁପାରେ

ଛତିଶଗଡ଼ ସଂଲଗ୍ନ ଜିଲ୍ଲାଗୁଡ଼ିକରେ ସଂକ୍ରମଣ ବଢ଼ୁଛି, ସୁନ୍ଦରଗଡ଼ ସ୍ଥିତି ବିପଦଜନକ

ଭୁବନେଶ୍ବର : ଏପ୍ରିଲ ୧୫ତାରିଖ ପରେ ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ଶୀର୍ଷରେ ପହଞ୍ଚିବ। ଶୀର୍ଷରେ ପହଞ୍ଚିବା ପରେ ଏହା ଅତିକମ୍‌ରେ ୩ ସପ୍ତାହ ପର୍ଯ୍ୟନ୍ତ ବଜାୟ ରହିବ। ଏହି ସମୟରେ ରାଜ୍ୟରେ ଦୈନିକ ସଂକ୍ରମଣ ୪ହଜାର ଡେଇଁ ଯାଇପାରେ। ଆଇଆଇଟି ଭୁବନେଶ୍ବର, ହପକିନ୍‌ସ ଓ ଆଇସିଏମ୍‌ଆରର ଯେଉଁ ସଂକ୍ରମଣ ମଡେଲ ରହିଛି; ତାହା ଏଭଳି ଆକଳନ କରୁଛନ୍ତି। ରାଜ୍ୟ ସରକାର ଏହି ୩ଟି ମଡେଲର ଅନୁକରଣରେ ରାଜ୍ୟରେ ସଂକ୍ରମଣ ଧାରା ଉପରେ ନଜର ରଖିଛନ୍ତି।

ସ୍ବାସ୍ଥ୍ୟ ବିଭାଗର ଜଣେ ଅଧିକାରୀଙ୍କ ସୂଚନା ମୁତାବକ, ଏସବୁ ମଡେଲ ପାଇଁ ଅତିକମ୍‌ରେ ଗୋଟିଏ ସପ୍ତାହର ସଂକ୍ରମଣର ବଢ଼ୁଥିବା ଟ୍ରେଣ୍ଡ ଜରୁରୀ। ଓଡ଼ିଶାରେ ଏବେ ଦୈନିକ ସଂକ୍ରମଣ ବଢ଼ିବଢ଼ି ଚାଲିଥିବାରୁ ୧୫ତାରିଖ ପରେ ଏହା ଶୀର୍ଷରେ ପହଞ୍ଚିଯିବ। ମାତ୍ର ଏହି ସମୟରେ କେତେ ମୃତ୍ୟୁ ହେବ ତାହା ଏବେଠାରୁ ଆକଳନ କରିବା ଅସମ୍ଭବ। ଏହାସହ ରାଜ୍ୟରେ କରୋନା ଭୂତାଣୁର ଅନ୍ୟ କେଉଁ ଷ୍ଟ୍ରେନ୍‌ ଯୋଗୁଁ ସଂକ୍ରମଣ ବଢ଼ିବ ତାହା ଆଉ କିଛିଦିନ ପରେ ସ୍ପଷ୍ଟ ହୋଇଯିବ। ଆର୍‌ଏମ୍‌ଆରସି ଓ ଆଇଏଲ୍‌ଏସ୍‌ ମିଳିତ ଭାବେ ଭୂତାଣୁର ଜିନ୍ ଅନୁଶୀଳନ କରୁଛନ୍ତି ବୋଲି ଅଧିକାରୀ ଜଣକ ସୂଚନା ଦେଇଛନ୍ତି।

ରାଜ୍ୟରେ ଗତ ୨୪ଘଣ୍ଟାରେ ୭୯୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସଂକ୍ରମଣ ରୋକିବା ଲାଗି ରାଜ୍ୟ ସରକାର କୋଭିଡ୍‌ କଟକଣା ତଦାରଖକୁ ଜୋରଦାର କରିଛନ୍ତି। ମାସ୍କ ଚେକିଂ ଜୋରଦାର କରାଯିବା ସହିତ ସାମାଜିକ ଦୂରତ୍ବ ବଜାୟ ରଖିବାରେ ବିଫଳ ହେଉଥିବା ସଂସ୍ଥାମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ଆଜି ରାଜଧାନୀରେ ଏକ ଶିକ୍ଷାନୁଷ୍ଠାନ ଓ ଜନ୍ମଦିନ ପାଳନ କରୁଥିବା ରାମ ମନ୍ଦିର କନଫରେନ୍‌ସ ହଲକୁ ସିଲ୍ କରାଯାଇଛି। ସେହିପରି କଟକରେ ମଧ୍ୟ ବିଭିନ୍ନ ଡାଏଗ୍ନୋଷ୍ଟିକ ସେଣ୍ଟର ଓ ହସ୍ପିଟାଲରେ ଚଢ଼ଉ କରାଯାଇ ଜରିମାନା ଆଦାୟ କରାଯାଇଛି। ଅପରପକ୍ଷରେ ଗତକାଲି ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ ପରେ ରାଜ୍ୟର ବିଭିନ୍ନ ବରିଷ୍ଠ ଅଧିକାରୀମାନେ ପଶ୍ଚିମ ଓଡ଼ିଶାର ଜିଲ୍ଲା ଗସ୍ତ କରିବାକୁ ଆରମ୍ଭ କରିଛନ୍ତି। ଆଜି ଉନ୍ନୟନ କମିସନର ପ୍ରଦୀପ ଜେନା ସୁନ୍ଦରଗଡ଼ ଓ ଝାରସୁଗୁଡ଼ା ଗସ୍ତ କରି କରୋନା ସ୍ଥିତିର ସମୀକ୍ଷା କରିଛନ୍ତି। ଆସନ୍ତାକାଲି ଡିଏମ୍‌ଇଟି ଓ ସ୍ବାସ୍ଥ୍ୟସେବା ନିର୍ଦେଶକ ନୂଆପଡ଼ା ଓ କଳାହାଣ୍ଡି ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ଅଧିକାରୀମାନେ ଜିଲ୍ଲାରେ କୋଭିଡର ସ୍ଥିତି ସଂପର୍କରେ ସମୀକ୍ଷା କରିବେ ବୋଲି ଜଣାପଡ଼ିଛି।

ଛତିଶଗଡ଼ ସଂଲଗ୍ନ ଜିଲ୍ଲାଗୁଡ଼ିକ ଭିତରେ ସବୁଠାରୁ ବିପଦଜନକ ସ୍ଥିତିରେ ରହିଛି ସୁନ୍ଦରଗଡ଼। ଗତ ୨୪ଘଣ୍ଟାରେ ଜିଲ୍ଲାରୁ ୧୪୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ସମୟରେ ଖୋର୍ଦ୍ଧା ଜିଲ୍ଲାରେ ୧୧୮ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଏଥିରେ ସର୍ବାଧିକ ରହିଛନ୍ତି ରାଜଧାନୀରୁ। ଏହାବାଦ୍ ବରଗଡ଼ ୪୮, କଟକ ୪୬, ସମ୍ବଲପୁର ୪୫, ପୁରୀ ୪୩, କେନ୍ଦୁଝର ୩୯, କଳାହାଣ୍ଡି ୩୮, ଝାରସୁଗୁଡ଼ା ଓ ନୂଆପଡ଼ାରୁ ୩୧ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ଗତ ୨୪ଘଣ୍ଟାରେ ୩୧,୫୩୧ କୋଭିଡ ନମୁନା ପରୀକ୍ଷା ହୋଇଥିବା ବେଳେ ଟେଷ୍ଟ ପଜିଟିଭ୍ ରେଟ୍ ବା ଟିପିଆର ୨.୫ ପ୍ରତିଶତକୁ ବୃଦ୍ଧି ପାଇଛି। ମୋଟ ସଂକ୍ରମିତଙ୍କ ସଂଖ୍ୟା ୩ଲକ୍ଷ ୪୪ହଜାର ୬୪୭କୁ ବୃଦ୍ଧି ଘଟିଛି। ମାତ୍ର ୨୪୬ ଆକ୍ରାନ୍ତ ସୁସ୍ଥ ହେବା ପରେ ସୁସ୍ଥ ରୋଗୀଙ୍କ ସଂଖ୍ୟା ୩ଲକ୍ଷ ୩୮ହଜାର ୬୬୨ରେ ପହଞ୍ଚିଯାଇଛି। ରାଜ୍ୟରେ ଏବେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୪୦୦୯କୁ ବୃଦ୍ଧି ପାଇଛି।

ଡିଏମ୍‌ଇଟି ପ୍ରଫେସର ଡା.ସିବିକେ ମହାନ୍ତି କହିଛନ୍ତି ଯେ ଛତିଶଗଡ଼ ସଂଲଗ୍ନ ଜିଲ୍ଲାଗୁଡ଼ିକରେ ସଂକ୍ରମଣ ବଢ଼ୁଛି। ଏହାସହ ଭୁବନେଶ୍ବରରେ ମଧ୍ୟ ସଂକ୍ରମଣ ବୃଦ୍ଧି ପାଉଛି। ସଂକ୍ରମଣକୁ ରୋକିବାକୁ ହେଲେ ଲୋକମାନଙ୍କୁ ସତର୍କ ହେବାକୁ ପଡ଼ିବ। ୧୦ଟି ଜିଲ୍ଲାରେ ନାଇଟ କର୍ଫ୍ୟୁ ଆରମ୍ଭ ହୋଇଛି। କେବଳ ଜେନେଟିକ ମ୍ୟୁଟେସନ୍ କିମ୍ବା ନୂତନ ଷ୍ଟ୍ରେନ୍ ପାଇଁ ଏସବୁ ଜିଲ୍ଲାରେ ସଂକ୍ରମଣ ବଢ଼ୁଛି ତା ନୁହେଁ, ଲୋକମାନେ ମାତ୍ରାଧିକ ଖୋଲା ହୋଇଯାଇଛନ୍ତି। ପରିଣାମ ସ୍ବରୂପ ସଂକ୍ରମଣ ବୃଦ୍ଧି ପାଉଛି ବୋଲି ପ୍ରଫେସର ମହାନ୍ତି ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର