ରାଜ୍ୟରେ ଦୈନିକ ସଂକ୍ରମଣ ୧୨ଶହ ଡେଇଁଲା

ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୫ ହଜାର ଟପିଲା
ସଂକ୍ରମଣରେ ଖୋର୍ଧାକୁ ଟପିଲା ସୁନ୍ଦରଗଡ଼
ଜୁନ୍/ଜୁଲାଇରେ ଶୀର୍ଷରେ ପହଞ୍ଚିବ ସଂକ୍ରମଣ: ଡା. ମହାପାତ୍ର

ଭୁବନେଶ୍ବର : ରାଜ୍ୟରେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୫ ହଜାର ପାର୍ କରିଛି। ଗତ ୨୪ ଘଣ୍ଟାରେ ଚଳିତ ବର୍ଷ ରାଜ୍ୟରେ ସର୍ବାଧିକ ୧୨୮୨ ସଂକ୍ରମିତ ଚିହ୍ନଟ ହେବା ପରେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୫୬୩୧କୁ ବୃଦ୍ଧି ପାଇଛି। ଗତ ୧ ସପ୍ତାହ ହେବ ରାଜ୍ୟରେ ସଂକ୍ରମିତଙ୍କ ତୁଳନାରେ କମ୍ ସଂଖ୍ୟକ ରୋଗୀ ସୁସ୍ଥ ହେଉଥିବାରୁ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟାରେ ଏ‌ଭଳି ବୃଦ୍ଧି ଦେଖିବାକୁ ମିଳିଛି। ଅନ୍ୟପକ୍ଷରେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ରାଜ୍ୟ ସରକାର କୋଭିଡ୍‌ କେୟାର ସେଣ୍ଟର୍‌ ଓ କିଛି କୋଭିଡ୍‌ ହସ୍ପିଟାଲରେ ଶଯ୍ୟା ସଂଖ୍ୟା ବୃଦ୍ଧି କରିଛନ୍ତି।

କରୋନାର ଦ୍ବିତୀୟ ଲହରରେ ରାଜ୍ୟରେ ଦ୍ରୁତ ସଂକ୍ରମଣ ଦେଖିବାକୁ ମିଳିଛି। ବିଶେଷକରି ପଶ୍ଚିମ ଓଡ଼ିଶାର ୧୦ଟି ଜିଲ୍ଲାରେ ବହୁ ସଂଖ୍ୟାରେ ପଜିଟିଭ୍ ଚିହ୍ନଟ ହେଉଛନ୍ତି। କରୋନା ଭୂତାଣରୁ କୌଣସି ଷ୍ଟ୍ରେନ୍ ଯୋଗୁଁ ପଶ୍ଚିମ ଓଡ଼ିଶାରେ ଦ୍ରୁତ ସଂକ୍ରମଣ ହେଉଛି କି ନାହିଁ, ତାହା ରାଜ୍ୟ ସରକାର ସ୍ପଷ୍ଟ କରି ନଥିଲେ ହେଁ ବିଶେଷଜ୍ଞ ମହଲରେ କିନ୍ତୁ ଏଭଳି ଆଶଙ୍କା ଜାରି ରହିଛି। ଆସନ୍ତା ୧୫ ତାରିଖ ପରେ ରାଜ୍ୟରେ ଦୈନିକ ସଂକ୍ରମଣ ୪ହଜାର ପାର୍ କରିବ ବୋଲି ସରକାରୀସ୍ତରରେ ଆକଳନ କରାଯାଇଛି। ତେଣୁ ଲୋକମାନେ କୋଭିଡ୍‌ ନିୟମକୁ ପାଳନ କରିବା ଲାଗି ମୁଖ୍ୟମନ୍ତ୍ରୀଙ୍କଠାରୁ ଆରମ୍ଭ କରି ସରକାରୀସ୍ତରରେ ସଚେତନତା କାର୍ଯ୍ୟକ୍ରମ ଜାରି ରହିଛି। ମାସ୍କ ପିନ୍ଧିବା, ସାମାଜିକ ଦୂରତା ବଜାୟ ରଖିବା ଉପରେ ଯଥେଷ୍ଟ ଗୁରୁତ୍ବ ଦିଆଯାଉଛି।

ବରିଷ୍ଠ ଚିକିତ୍ସକ ଡା. ଅଶୋକ ମହାପାତ୍ରଙ୍କ କହିବାନୁଯାୟୀ, କରୋନା ଭୂତାଣୁର ନୂତନ ଷ୍ଟ୍ରେନ୍ ପାଇଁ ସଂକ୍ରମଣ ବ୍ୟାପୁଛି। ବିଶ୍ବବ୍ୟାପୀ ଅନେକ ଷ୍ଟ୍ରେନ୍ ଚିହ୍ନଟ ହୋଇଛନ୍ତି। ମାତ୍ର ଦକ୍ଷିଣ ଆଫ୍ରିକା, ୟୁକେ ଓ ବ୍ରାଜିଲର ଷ୍ଟ୍ରେନ୍ ଅଧିକ ସଂକ୍ରମଣ କରିବାରେ ସକ୍ଷମ। ମାତ୍ର ଓଡ଼ିଶାରେ କେଉଁ ଷ୍ଟ୍ରେନ୍‌ ଯୋଗୁଁ ସଂକ୍ରମଣ ବଢ଼ୁଛି, ତାହାର ଠିକ୍ ଆକଳନ କରିବା ଅସମ୍ଭବ। ଶୀର୍ଷରେ ଥିବା ସମୟରେ ସଂକ୍ରମଣ ୧୦ହଜାର ମଧ୍ୟ ଛୁଇଁବା ଅସମ୍ଭବ ନୁହେଁ। ଭିନ୍ନଭିନ୍ନ ରାଜ୍ୟରେ ଭିନ୍ନ ସମୟରେ ସଂକ୍ରମଣ ଶୀର୍ଷରେ ପହଞ୍ଚୁଛି। କେରଳରେ ସଂକ୍ରମଣ ଶୀର୍ଷକୁ ଛୁଇଁ ସାରିଥିବା ବେଳେ ମହାରାଷ୍ଟ୍ରରେ ଏ ପର୍ଯ୍ୟନ୍ତ ଶୀର୍ଷରେ ପହଞ୍ଚିନି। ତେବେ ଏବେ ଯେଉଁ ଧାରାରେ ରାଜ୍ୟରେ ସଂକ୍ରମଣ ବଢ଼ି ଚାଲିଛି, ଆସନ୍ତା ଜୁନ୍ କିମ୍ବା ଜୁଲାଇରେ ରାଜ୍ୟରେ ସଂକ୍ରମଣ ଶୀର୍ଷକୁ ଛୁଇଁପାରେ ବୋଲି ଡା. ମହାପାତ୍ର କହିଛନ୍ତି।

ରାଜ୍ୟରେ ଦୈନିକ ସଂକ୍ରମଣରେ ଖୋର୍ଧାକୁ ପଛରେ ପକାଇ ଦେଇଛି ସୁନ୍ଦରଗଡ଼ ଜିଲ୍ଲା। ଏଠାରୁ ଗତ ୨୪ ଘଣ୍ଟାରେ ୨୨୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଖୋର୍ଧାରେ ୧୯୨, କଳାହାଣ୍ଡି ୧୦୮, ବରଗଡ଼ ୮୪, ନୂଆପଡ଼ା, ସମ୍ବଲପୁରରେ ୮୨, କଟକ ୬୩, ମୟୂରଭଞ୍ଜ ୫୨, ଅନୁଗୁଳ ୪୯, ବଲାଙ୍ଗୀର ୪୫ ଓ ଝାରସୁଗୁଡ଼ାରେ ୩୬ଜଣ ପଜିଟିଭ୍ ବାହାରିଛନ୍ତି। ମୋଟ ସଂକ୍ରମିତଙ୍କ ସଂଖ୍ୟା ୩ଲକ୍ଷ ୪୬ହଜାର ୮୦୮କୁ ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୨୯,୦୮୧ କୋଭିଡ୍‌ ନମୁନା ପରୀକ୍ଷା ହୋଇଥିବା ବେଳେ ଟେଷ୍ଟ ପଜିଟିଭ୍ ରେଟ୍ ବା ଟିପିଆର୍‌ ହଠାତ୍ ୪.୪ ପ୍ରତିଶତକୁ ବୃଦ୍ଧି ପାଇଛି। ଅପରପକ୍ଷରେ ରାଜ୍ୟରେ ଆଜି ୩୧୦ଜଣ ଆକ୍ରାନ୍ତ ସୁସ୍ଥ ହେବା ଫଳରେ ସମୁଦାୟ ସୁସ୍ଥ ରୋଗୀଙ୍କ ସଂଖ୍ୟା ୩ଲକ୍ଷ ୩୯ହଜାର ୨ଶହରେ ପହଞ୍ଚି ଯାଇଛି। ଏହାସହ ରାଜ୍ୟରେ କୋଭିଡ୍‌ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ‌ରାଜ୍ୟରେ ମୋଟ କରୋନା ମୃତ୍ୟୁ ସଂଖ୍ୟା ୧୯୨୪ରେ ପହଞ୍ଚିଛି। ଗତ ୫ଦିନରେ ରାଜ୍ୟରେ ୩ଜଣ ସଂକ୍ରମିତ ପ୍ରାଣ ହରାଇଥିବା ନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର