ଖୋର୍ଧାରେ ୨ଶହ ଟପିଲା ଦୈନିକ ସଂକ୍ରମଣ

ରାଜ୍ୟରେ ଦିନକରେ ୧୭୪୧ ପଜିଟିଭ୍, ୨ ମୃତ

ଭୁବନେଶ୍ବର : ସୁନ୍ଦରଗଡ଼ ପରେ ଏବେ ଖୋର୍ଧା ଜିଲ୍ଲାରେ ଦୈନିକ କରୋନା ସଂକ୍ରମଣ ୨୦୦ ଟପି ଯାଇଛି। ଗତ ୨୪ଘଣ୍ଟାରେ ଜିଲ୍ଲାରେ ୨୦୪ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିରେ ସିଂହଭାଗ ସଂକ୍ରମିତ ରହିଛନ୍ତି ରାଜଧାନୀରୁ। ଏହାସହ ସୁନ୍ଦରଗଡ଼ରୁ ୨୬୮ ଆକ୍ରାନ୍ତ ବାହାରିଛନ୍ତି। ପୂର୍ବରୁ ଏହି ଦୁଇ ଜିଲ୍ଲା ରେଡ୍‌ ଜୋନ୍‌ରେ ରହିଛି। ସୁନ୍ଦରଗଡ଼ରେ ସର୍ବାଧିକ ୧୬୯୧ ଚିକିତ୍ସାଧୀନ ରୋଗୀ ଥିବା ବେଳେ ଖୋର୍ଧାରେ ୧୨୩୪ଜଣ ରହିଛନ୍ତି। ଏହାବାଦ୍ ସମ୍ବଲପୁର ଓ କଳାହାଣ୍ଡି ମଧ୍ୟ ‌ୟେଲୋ ଜୋନ୍‌ରେ ପହଞ୍ଚି ଯାଇଛି।

କରୋନାର ଦ୍ବିତୀୟ ଲହରରେ ରାଜ୍ୟରେ ସଂକ୍ରମଣ ଉପରମୁହାଁ ହୋଇଛି। ଗୋଟିଏ ଦିନରେ ରାଜ୍ୟରେ ୩୦,୦୯୭ କୋଭିଡ୍‌ ନମୁନା ପରୀକ୍ଷା ହୋଇଥିବା ବେଳେ ୧୭୪୧ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଯାହାକି ଚଳିତବର୍ଷର ସର୍ବାଧିକ। ରାଜ୍ୟରେ ଟେଷ୍ଟ ପଜିଟିଭ୍ ରେଟ୍‌ ବା ଟିପିଆର ହଠାତ୍ ୫.୭୮କୁ ବୃଦ୍ଧି ପାଇଛି। ଯଦିଓ ଦେଶର ଟିପିଆରଠାରୁ ଏହା କମ୍ ରହିଛି, ହେଲେ ଏଭଳି ଢଙ୍ଗରେ ସଂକ୍ରମଣ ବଢ଼ି ଚାଲିଲେ ରାଜ୍ୟର ଟିପିଆର ମଧ୍ୟ ଜାତୀୟସ୍ତରର ଟିପିଆରକୁ ଛୁଇଁପାରେ ବୋଲି ଆଶଙ୍କା ପ୍ରକାଶ ପାଇଲାଣି। ତେବେ ରାଜ୍ୟରେ ସଂକ୍ରମଣ ବଢ଼ି ଚାଲିଥିବା ବେଳେ କୋଭିଡ୍‌ ନମୁନା ପରୀକ୍ଷା ଏକପ୍ରକାର ସ୍ଥିର ରହିଛି। ରାଜ୍ୟ ସରକାର ଆଗାମୀ ଦିନରେ ଦୈନିକ ୫୦ହଜାର ନମୁନା ପରୀକ୍ଷା କରିବା ଲାଗି ଲକ୍ଷ୍ୟ ରଖିଛନ୍ତି। ମାତ୍ର ଏବେଠାରୁ ହିଁ ଅଧିକ ପରୀକ୍ଷା କରିବା ଓ ସଂକ୍ରମିତଙ୍କୁ ଆଇସୋଲେଟ୍‌ ନ କଲେ ପରବର୍ତୀ ସମୟରେ ସ୍ଥିତି ବିଗିଡ଼ି ଯାଇପାରେ ବୋଲି ବିଶେଷଜ୍ଞମାନେ ଆଶଙ୍କା ପ୍ରକାଶ କରୁଛନ୍ତି।

ରାଜ୍ୟରେ ବଢ଼ୁଥିବା ସଂକ୍ରମଣକୁ ନଜରରେ ରଖି ରାଜ୍ୟ ସରକାର ବିଭିନ୍ନ ଜିଲ୍ଲାରେ କୋଭିଡ୍‌ ହସ୍ପିଟାଲ ସଂଖ୍ୟା ବଢ଼ାଇବାକୁ ନିଷ୍ପତ୍ତି ନେଇଛନ୍ତି। ରାଉରକେଲା, ଗଞ୍ଜାମ, ଭୁବନେଶ୍ବର ଓ ଅନ୍ୟ ଜିଲ୍ଲାରେ କୋଭିଡ୍‌ ହସ୍ପିଟାଲ ପୁନର୍ବାର କାର୍ଯ୍ୟ କରିବାକୁ ଆରମ୍ଭ କରିଛି। ଏହାସହ କୋଭିଡ୍‌ କେୟାର ସେଣ୍ଟର ବା ସିସିସିକୁ ପ୍ରସ୍ତୁତ ରଖିବା ଲାଗି ଜିଲ୍ଲାମାନଙ୍କୁ ନିର୍ଦେଶ ଦିଆଯାଇଛି।

ରାଜ୍ୟରେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରେ ଖୋର୍ଧା, ସୁନ୍ଦରଗଡ଼ ବାଦ୍ ବାଲେଶ୍ବର ୧୫୮, ସମ୍ବଲପୁର ୧୨୧, କଳାହାଣ୍ଡି ୧୧୪, ବରଗଡ଼ ୯୭, ନୂଆପଡ଼ା ୯୬, ବଲାଙ୍ଗୀର ୯୩, ନବରଙ୍ଗପୁର ୮୦, କଟକ ୫୮, ପୁରୀ ୫୪ ଓ କେନ୍ଦୁଝରରୁ ୫୩ଜଣ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩ଲକ୍ଷ ୫୧ହଜାର ୩୦୨କୁ ବୃଦ୍ଧି ପାଇଛି। ରାଜ୍ୟରେ ଏବେ ନିୟମିତ ବ୍ୟବଧାନରେ କୋଭିଡ୍‌ ମୃତ୍ୟୁ ନଜରକୁ ଆସିଛି। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ନୂଆପଡ଼ା ଜିଲ୍ଲାରେ ୨ଜଣ କରୋନାରେ ପ୍ରାଣ ହରାଇଥିବା ନେଇ ସୂଚନା ଦିଆଯାଇଛି। ଏଥିରେ ୨୪ବର୍ଷର ଜଣେ ଯୁବକ ଥିବା ‌ବେଳେ ୪୦ବର୍ଷର ଜଣେ ପୁରୁଷ ରହିଛନ୍ତି। ଏହି ଦୁଇ ମୃତ୍ୟୁକୁ ମିଶାଇ ରାଜ୍ୟରେ ମୋଟ କରୋନା ମୃତ୍ୟୁ ସଂଖ୍ୟା ୧୯୨୮କୁ ବୃଦ୍ଧି ପାଇଛି। ରାଜ୍ୟରେ ଆଜି ୫୩୮ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଏହାସତ୍ବେ ମଧ୍ୟ ରାଜ୍ୟରେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୮୭୨୧କୁ ବୃଦ୍ଧି ପାଇଛି।

ସମ୍ବନ୍ଧିତ ଖବର