ଭୁବନେଶ୍ବର : ରାଜ୍ୟରେ କରୋନା ସଂକ୍ରମଣର ଦ୍ବିତୀୟ ଲହର ଭୟଙ୍କର ହେବାରେ ଲାଗିଛି। ଚଳିତବର୍ଷ ପ୍ରତ୍ୟେକ ଦିନ ସଂକ୍ରମଣରେ ନୂଆ ନୂଆ ରେକର୍ଡ ସୃଷ୍ଟି ହେଉଛି। ସଂକ୍ରମଣର ପେଣ୍ଠସ୍ଥଳୀ ପାଲଟିଛି ଖୋର୍ଧା ଓ ସୁନ୍ଦରଗଡ଼ ଜିଲ୍ଲା। ଖୁବ କମ୍ଦିନ ଭିତରେ ଏହି ଦୁଇ ଜିଲ୍ଲା ରେଡ୍ ଜୋନ୍ରେ ସାମିଲ ହୋଇଛନ୍ତି। ସୁନ୍ଦରଗଡ଼ ଜିଲ୍ଲାରେ ସଂକ୍ରମଣ ଅଣାୟତ୍ତ ଅବସ୍ଥାକୁ ଯିବାକୁ ବସିଲାଣି। ଜିଲ୍ଲାର ୭ଟି ବ୍ଲକ୍ ସମେତ ସୁନ୍ଦରଗଡ଼ ଓ ରାଉରକେଲା ମ୍ୟୁନିସିପାଲଟିରୁ ପୁଳା ପୁଳା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତବର୍ଷ ସଂକ୍ରମଣ ଆରମ୍ଭ ହେବା ସମୟରେ ସୁନ୍ଦରଗଡ଼ ଜିଲ୍ଲାରେ ଏଭଳି ସଂକ୍ରମଣ ଦେଖିବାକୁ ମିଳି ନ ଥିଲା। ସେହିପରି ଖୋର୍ଧା ଜିଲ୍ଲାରେ କେବଳ ଚିଲିକା ଓ ଭୁବନେଶ୍ବର ମ୍ୟୁନିସିପାଲଟିର କିଛି ଅଞ୍ଚଳକୁ ବାଦ୍ ଦେଲେ ଅନ୍ୟ ସବୁ ଅଞ୍ଚଳ ରେଡ୍ ଜୋନ୍ରେ ରହିଛି। ସେହିପରି କଳାହାଣ୍ଡି ଜିଲ୍ଲା ଧୀରେ ଧୀରେ ରେଡ୍ ଜୋନ୍ ଆଡ଼କୁ ଅଗ୍ରସର ହେଉଛି। ଜିଲ୍ଲାରେ ୫ଶହରୁ ଅଧିକ ଚିକିତ୍ସାଧୀନ ରୋଗୀ ରହିଛନ୍ତି।
ପଶ୍ଚିମ ଓଡ଼ିଶାରେ ସଂକ୍ରମଣ ବଢ଼ିବା ପରେ କରୋନା ସ୍ଥିତିର ସମୀକ୍ଷା କରିବା ଲାଗି ଆଜି ନୂଆପଡ଼ା ଓ କଳାହାଣ୍ଡି ଜିଲ୍ଲା ଗସ୍ତ କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଓ ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର। କଳାହାଣ୍ଡି ଜିଲ୍ଲାରେ ଖୁବ୍ଶୀଘ୍ର ବିଶେଷଜ୍ଞ ଡାକ୍ତରୀ ଦଳ ଯୋଗଦେବା ସହିତ ଏକ ଲାଇଫ ସପୋର୍ଟ ଆମ୍ବୁଲାନ୍ସ ଯୋଗାଇ ଦିଆଯିବ ବୋଲି ଜଣାପଡ଼ିଛି। ଅପରପକ୍ଷରେ ରାଜ୍ୟ ସରକାରଙ୍କ ପକ୍ଷରୁ ଆଜି ଛତିଶଗଡ଼କୁ ବସ୍ ଚଳାଚଳ ବନ୍ଦ କରିବା ଲାଗି ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଛତିଶଗଡ଼ରେ କରୋନାର ଭୟବହତାକୁ ଦେଖି ଏଭଳି ନିଷ୍ପତ୍ତି ନିଆଯାଇଥିବା ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି। ସୀମା ଚେକିଂ ପଏଣ୍ଟରେ ଆରଟିଓମାନେ ଗାଇଡ୍ଲାଇନ ଅନୁସାରେ ଚେକିଂ କରିବାକୁ ନିର୍ଦେଶ ଦିଆଯାଇଛି। ଏହାସହ ନବରଙ୍ଗପୁର ଜିଲ୍ଲା ପ୍ରଶାସନ ଜିଲ୍ଲାର ସୀମାକୁ ସିଲ୍ କରିଛି। ଛତିଶଗଡ଼ ପଟୁ ଆସୁଥିବା ସମସ୍ତ ଗାଡ଼ି ଓ ବ୍ୟକ୍ତିଙ୍କ ପ୍ରବେଶ ଉପରେ କଟକଣା ଲଗାଯାଇଛି। ନେଗେଟିଭ୍ ରିପୋର୍ଟ ବିନା ନବରଙ୍ଗପୁରରେ ପଶିବା ଉପରେ କଟକଣା ଜାରି ହୋଇଛି।
ଗତ ୨୪ଘଣ୍ଟାରେ ରାଜ୍ୟରେ ୧୩୭୪ ନୂତନ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ସଂକ୍ରମଣରେ ବିପଜ୍ଜନକ ସ୍ଥିତିରେ ରହିଛି ସୁନ୍ଦରଗଡ଼ ଜିଲ୍ଲା। ଏଠାରୁ ଗୋଟିଏ ଦିନରେ ୩୫୫ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଯାହାକି ସର୍ବକାଳୀନ ରେକର୍ଡ। ଗତ କିଛିଦିନ ହେବ ଜିଲ୍ଲାରୁ ୨୨୪, ୧୪୭, ୧୩୧ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଏହାବାଦ୍ ଖୋର୍ଧା ୧୯୩, ନୂଆପଡ଼ା ୧୩୫, ସମ୍ବଲପୁର ୭୭, ବରଗଡ଼ ୫୯, ଝାରସୁଗୁଡ଼ା ୫୨, କଟକ ୫୧, ରାୟଗଡ଼ା ୪୭, କଳାହାଣ୍ଡି ୪୫ ଓ ପୁରୀରୁ ୪୪ଜଣ ଆକ୍ରାନ୍ତ ବାହାରିଛନ୍ତି। ଗତ ୨୪ଘଣ୍ଟାରେ ରାଜ୍ୟରେ ୩୩,୯୯୬ କୋଭିଡ୍ ନମୁନା ପରୀକ୍ଷା ହୋଇଥିବା ବେଳେ ରାଜ୍ୟର ଟେଷ୍ଟ ପଜିଟିଭ୍ ରେଟ୍ ବା ଟିପିଆର ୪ ପ୍ରତିଶତ ରହିଛି। ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩ଲକ୍ଷ ୪୮ହଜାର ୧୮୨କୁ ବୃଦ୍ଧି ପାଇଛି। ଏହାସହ ରାଜ୍ୟରେ ୨ଜଣ କରୋନା ସଂକ୍ରମିତ ପ୍ରାଣ ହରାଇଥିବା ନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ବଲାଙ୍ଗୀରର ୭୭ବର୍ଷର ପୁରୁଷ ଓ କେନ୍ଦ୍ରାପଡ଼ା ୭୪ବର୍ଷର ମହିଳା ପ୍ରାଣ ହରାଇଛନ୍ତି। ଗତ ୨ମାସ ଭିତରେ ଏହା ସର୍ବାଧିକ କରୋନା ମୃତ୍ୟୁ। ରାଜ୍ୟରେ ମୋଟ କରୋନା ମୃତ୍ୟୁ ସଂଖ୍ୟା ୧୯୨୬କୁ ବୃଦ୍ଧି ପାଇଛି। ରାଜ୍ୟରେ ଆଜି ୪୦୩ କୋଭିଡ୍ ରୋଗୀ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ଏ ପର୍ଯ୍ୟନ୍ତ ରାଜ୍ୟରେ ୩ଲକ୍ଷ ୩୯ହଜାର ୬୦୩ ରୋଗୀ ସୁସ୍ଥ ହୋଇ ସାରିଲେଣି। ରାଜ୍ୟରେ ଏବେ ୬୬୦୦ ଚିକିତ୍ସାଧୀନ କରୋନା ରୋଗୀ ରହିଛନ୍ତି।