ରାଜ୍ୟରେ ପୁଣି ବଢ଼ିଲା ଦୈନିକ ସଂକ୍ରମଣ, ଏବେ ବି ଚିନ୍ତାଜନକ ସ୍ଥିତିରେ ଉପକୂଳ ଓଡ଼ିଶା

୨୮୦୬ ପଜିଟିଭ୍, ୬୧ ମୃତ

ଭୁବନେଶ୍ବର : ଗତ ୬୪ ଦିନ ହେବ ରାଜ୍ୟରେ ଲକ୍‌ଡାଉନ୍‌ ଲାଗି ରହିଛି। ଯଦିଓ କାଟାଗୋରି ‘ଏ’ ଜିଲ୍ଲାରେ ସାମାନ୍ୟ କୋହଳ ହୋଇଛି, ମାତ୍ର କାଟାଗୋରି ‘ବି’ ଜିଲ୍ଲାରେ ଏହା ବଳବତ୍ତର ରଖାଯାଇଛି। ଲକ୍‌ଡାଉନ୍‌ ସହ ସପ୍ତାହାନ୍ତ ସଟ୍‌ଡାଉନ୍‌ ମଧ୍ୟ କରାଯାଉଛି। ଏହାରୁ ସତ୍ତ୍ବେ ଉପକୂଳ ଓଡ଼ିଶାରେ କରୋନା ସଂକ୍ରମଣ ସଂପୂର୍ଣ୍ଣ ନିୟନ୍ତ୍ରଣକୁ ଆସୁନାହିଁ। ରାଜ୍ୟ ସରକାର ପଶ୍ଚିମ ଓଡ଼ିଶାର ସଂକ୍ରମଣ ହ୍ରାସକୁ ସାମ୍ନାରେ ରଖି ପୂରା ରାଜ୍ୟର କରୋନା ଚିତ୍ରକୁ ବୟାନ କରୁଛନ୍ତି। ‌ସର୍ଭେଲାନ୍‌ସ ସହିତ ଟେଷ୍ଟିଂ ଓ ବ୍ୟାପକ ଟିକାକରଣ ସତ୍ତ୍ବେ କାହିଁକି ଉପକୂଳରେ ସଂକ୍ରମଣ କମୁ ନାହିଁ, ତାହାର ଉତ୍ତର ସରକାରଙ୍କ ସ୍ବାସ୍ଥ୍ୟ ବିଭାଗର ଅଧିକାରୀଙ୍କ ନିକଟରେ ନାହିଁ। କେବଳ ଚିରାଚରିତ ଢଙ୍ଗରେ ଅମାନିଆଙ୍କ ଯୋଗୁଁ ସଂକ୍ରମଣ ବଢ଼ୁଛି ବୋଲି କହି ଚାଲିଛନ୍ତି।

ଉପକୂଳ ଓଡ଼ିଶାର ସବୁ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ଓ ସଂକ୍ରମଣ ହାର ଅଧିକ ରହିଛି। ରାଜ୍ୟର ଉପକୂଳ ଓଡ଼ିଶା ବାଦ୍ ବାଲେଶ୍ବର, ନୂଆପଡ଼ା, ଢେଙ୍କାନାଳ ଜିଲ୍ଲାରେ ସାପ୍ତାହିକ ସଂକ୍ରମଣ ହାର ୧୦ପ୍ରତିଶତ ରହିଥିବା ନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଚିନ୍ତା ପ୍ରକଟ କରିବା ସହ ଏନେଇ ନିକଟରେ ରାଜ୍ୟ ସରକାରଙ୍କୁ ଚିଠି ଲେଖିଥିଲେ। ଚଳିତ ମାସ ୨ରୁ ୮ ତାରିଖ ମଧ୍ୟରେ ରାଜ୍ୟର ୧୦ଟି ଜିଲ୍ଲାରେ ସଂକ୍ରମଣ ହାର ୫ପ୍ରତିଶତରୁ ଅଧିକ ଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସୂତ୍ରରୁ ଜଣାପଡ଼ିଛି। ଅନୁଗୁଳରେ ସର୍ବନିମ୍ନ ୫.୩୯ ଓ ବାଲେଶ୍ବରରେ ୯.୦୫ ପ୍ରତିଶତ ରହିଛି। ଯେହେତୁ ପଶ୍ଚିମ ଓଡ଼ିଶାରେ ସଂକ୍ରମଣ ହାର ୧ କିମ୍ବା ଏହା ତଳକୁ ଖସି ଆସିଛି, ସାମଗ୍ରିକ ଭାବେ ରାଜ୍ୟର ସଂକ୍ରମଣ ହାର ଖସୁଛି। ମାତ୍ର ଉପକୂଳ ଓଡ଼ିଶାରେ ସଂକ୍ରମଣରେ ସେଭଳି ହ୍ରାସ ନଜରକୁ ଆସୁନାହିଁ। କେଉଁଦିନ ସଂକ୍ରମଣ ସାମାନ୍ୟ ଖସୁଛି ତ ଆଉ କେଉଁଦିନ ବଢ଼ୁଛି। ଏଭଳି ପରିସ୍ଥିତିରେ ରାଜ୍ୟ ସରକାର ପୁଣିଥରେ ଲକ୍‌ଡାଉନ୍‌କୁ ବଢ଼ାଇବେ କି ବୋଲି ଜନସାଧାରଣଙ୍କ ମନରେ ପ୍ରଶ୍ନ ଉଠିଲାଣି।
ଡିଏମ୍‌ଇଟି ପ୍ରଫେସର୍‌ ଡା. ସିବିକେ ମହାନ୍ତି କହିଛନ୍ତି ଯେ ରାଜ୍ୟର ସଂକ୍ରମଣ ହାର ବା ଟିପିଆର୍‌ ଅନୁସାରେ ସଂକ୍ରମଣ ବଢ଼ୁନି। ଯେଉଁଠି ଅଧିକ ପଜିଟିଭ୍ ଚିହ୍ନଟ ହେଉଛନ୍ତି, ସେଠି ଫୋକସ୍‌ କରାଯାଉଛି। ରାଜ୍ୟ ସରକାର ଯେଉଁ ୩ ମାସ ଘରକୁ ଘର ବୁଲି ସର୍ଭେଲାନ୍‌ସ ପାଇଁ ନିର୍ଦେଶ ଦେଇଛନ୍ତି, ତାହା ଜାରି ରହିଛି। ତେଣୁ ଏ ସମୟରେ ‌ଯେଉଁମାନେ ପଜିଟିଭ୍ ଚିହ୍ନଟ ହେଉଛନ୍ତି, ସେମାନଙ୍କୁ ଆଇସୋଲେଟ୍‌ କରାଯାଉଛି। ସ୍ବାସ୍ଥ୍ୟସେବା ନିର୍ଦ୍ଦେଶକ ଡା. ବିଜୟ ମହାପାତ୍ର କହିଛନ୍ତି, ଏବେ ହସ୍ପିଟାଲରେ କମ୍ ସଂଖ୍ୟକ କରୋନା ଆକ୍ରାନ୍ତ ଭର୍ତ୍ତି ହେଉଛନ୍ତି। ମାତ୍ର ଭୁବନେଶ୍ବର ଓ ମୟୂରଭଞ୍ଜରେ ସଂକ୍ରମଣ କମୁନାହିଁ। ଉପକୂଳ ୫ଜିଲ୍ଲାରେ ଟେଷ୍ଟିଂ, ଟ୍ରେସିଂ ଓ ଟ୍ରିଟ୍‌ମେଣ୍ଟକୁ ଗୁରୁତ୍ବ ଦିଆଯାଉଛି।

୩ ଦିନ ବ୍ୟବଧାନ ପରେ ରାଜ୍ୟରେ ପୁଣିଥରେ ଦୈନିକ ସଂକ୍ରମଣରେ ବୃଦ୍ଧି ଦେଖିବାକୁ ମିଳିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୨୮୦୬ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ରାଜ୍ୟର ସଂକ୍ରମଣ ହାର ୩.୫୭ ପ୍ରତିଶତ ରହିଛି। ଖୋର୍ଧାରେ ସର୍ବାଧିକ ୫୯୦ଜଣ ଚିହ୍ନଟ ହୋଇଛନ୍ତି। ଏହାସହ କଟକ ୪୪୧, ଯାଜପୁର ୨୫୨, ବାଲେଶ୍ବର ୧୫୩, ପୁରୀ ୧୩୮, ଢେଙ୍କାନାଳ ୧୨୪, ଜଗତସିଂହପୁର ୧୧୯, ମୟୂରଭଞ୍ଜ ୧୦୯, ଅନୁଗୁଳ ୧୦୨, ନୟଗଡ଼ା ୮୬, ଭଦ୍ରକ ୮୩ ଓ ଷ୍ଟେଟ୍‌ ପୁଲରୁ ୧୧୯ଜଣ ଚିହ୍ନଟ ‌ହୋଇଛନ୍ତି। ରାଜ୍ୟର ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୯ଲକ୍ଷ ୩୫ହଜାର ୧୩୬କୁ ବୃଦ୍ଧି ପାଇଛି।

ରାଜ୍ୟରେ ଆଉ ୬୧ଜଣ କରୋନାରେ ପ୍ରାଣ ହରାଇଥିବା ନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଆଜି ସୂଚନା ଦିଆଯାଇଛି। ଖୋର୍ଧା ୧୧, ବରଗଡ଼, ଗଞ୍ଜାମ, ମୟୂରଭଞ୍ଜ ଓ ପୁରୀରେ ୬ ଲେଖାଏଁ, ସୁନ୍ଦରଗଡ଼ ଓ ସମ୍ବଲପୁରରେ ୫ ଲେଖାଏଁ, କେନ୍ଦୁଝରରେ ୪, ନୟାଗଡ଼, ଢେଙ୍କାନାଳ ଓ କଟକରେ ୨ ଲେଖାଏଁ, ବୌଦ୍ଧ, ଗଜପତି, ଝାରସୁଗୁଡ଼ା, କେନ୍ଦ୍ରାପଡ଼ା, ନୂଆପଡ଼ା ଓ ରାୟଗଡ଼ାରେ ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତି। ମୋଟ ମୃତକଙ୍କ ସଂଖ୍ୟା ୪୪୭୬ରେ ପହଞ୍ଚିଛି। ରାଜ୍ୟରେ ଆଜି ୩୩୪୧ଜଣ କରୋନା ରୋଗୀ ସୁସ୍ଥ ହୋଇଛନ୍ତି। ଫଳରେ ସମୁଦାୟ ସୁସ୍ଥ ରୋଗୀଙ୍କ ସଂଖ୍ୟା ୯ଲକ୍ଷ ୬ହଜାର ୫୧୯କୁ ବୃଦ୍ଧି ପାଇଛି। ଏହାସହ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୨୪,୦୮୮କୁ ଖସି ଆସିଛି।

ସମ୍ବନ୍ଧିତ ଖବର