ସୁରତରେ ଦୈନିକ ସଂକ୍ରମଣ ୯୦୦ ଟପିଲା, ପୁଣି ୨ ପ୍ରବାସୀ ଓଡ଼ିଆ ମୃତ

ବ୍ରହ୍ମପୁର : ସଂଖ୍ୟାଧିକ ଓଡ଼ିଆ ବସବାସ କରୁଥିବା ଗୁଜୁରାଟର ସୁରତ ସହରରେ କରୋନା ପରିସ୍ଥିତି ଏବେ ଅସମ୍ଭାଳ। ଦିନକୁ ଦିନ ବି ଏହି ପରିସ୍ଥିତି ଭୟଙ୍କର ହେବାରେ ଲାଗିଛି। ଦୈନିକ ସଂକ୍ରମଣ ୯ ଶହ ଉପରେ ରହିଛି। କରୋନାର ପ୍ରକୋପକୁ ନଜରରେ ରଖି ପ୍ରଶାସନ ପକ୍ଷରୁ ଗୋଟିଏ ପରେ ଗୋଟିଏ କଟକଣା ଲଗାଯାଉଥିଲେ ବି ସ୍ଥିତି ନିୟନ୍ତ୍ରଣକୁ ଆସୁନାହିଁ। ଏଭଳି ଜଟିଳ ପରିସ୍ଥିତିରେ ଜୀବନ ରକ୍ଷାକାରୀ ଇଞ୍ଜେକ୍ସନ୍ ‘ରେମ୍‌ଡେସିଭର’ ମିଳୁନାହିଁ। ଫଳରେ ପ୍ରବାସୀ ଓଡ଼ିଆଙ୍କ ଦୁଃଖ ବଢ଼ିବାରେ ଲାଗିଛି। ଗତ ଦୁଇଦିନ ମଧ୍ୟରେ ୨ ଜଣ ପ୍ରବାସୀ ମହିଳାଙ୍କ ମୃତ୍ୟୁ ବି ସେମାନଙ୍କ ଚିନ୍ତାକୁ ବଢ଼ାଇ ଦେଇଛି। ଯେଉଁମାନେ ଟ୍ରେନ୍‌ ଯୋଗେ ଗଞ୍ଜାମ ଫେରିଆସୁଛନ୍ତି, ସେମାନଙ୍କ ପାଇଁ ବି ଗଞ୍ଜାମରେ ବିପଦ ବଢ଼ିବାରେ ଲାଗିଛି।

ଦେଶର ମିନି ଓଡ଼ିଶା ଭାବେ ସୁରତ ପରିଚିତ, ଯେଉଁଠି ୬ ଲକ୍ଷ ପ୍ରବାସୀ ଓଡ଼ିଆ ବସବାସ କରୁଛନ୍ତି। କେବଳ ଗଞ୍ଜାମ ଜିଲ୍ଲାରୁ ୩ ଲକ୍ଷ ଓଡ଼ିଆ ସୁରତରେ ରହୁଛନ୍ତି। ମିଳିଥିବା ସୂଚନା ଅନୁସାରେ, ଗତକାଲି ସୁରତ ଜିଲ୍ଲାରୁ ୧୧୫୨ଜଣ ପଜିଟିଭ୍‌ ଚିହ୍ନଟ ହୋଇଥିବାବେଳେ ସୁରତ ମହାନଗର ନିଗମ ଅଞ୍ଚଳରୁ ୯୧୩ ଓ ଗ୍ରାମାଞ୍ଚଳରୁ ୨୩୯ ଜଣ ଚିହ୍ନଟ ହୋଇଛନ୍ତି। ଦିନକୁ କ‌ରୋନାରେ ହାରାହାରି ୧୬ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ସୁରତ ସହରର ୧୫ଜଣ ଓ ଗ୍ରାମାଞ୍ଚଳର ଜଣେ ରହିଥିବା ଜଣାପଡ଼ିଛି। ୭୬୧ଜଣ ସୁସ୍ଥ ହୋଇଛନ୍ତି। ୨୯ ହଜାର ୪୨୪ ଜଣ ସଙ୍ଗରୋଧରେ ରହିଛନ୍ତି। ଗୁଜରାଟ ରାଜ୍ୟରେ ଗତକାଲି ୫୦୧୧ ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୪୯ଜଣଙ୍କ ମୃତ୍ୟୁ ଘଟିଛି। ୨୫ହଜାର ୧୨୯ଜଣ ସକ୍ରିୟ ସଂକ୍ରମିତ ରହିଛନ୍ତି। ଏହିଭଳି ଏକ ପରିସ୍ଥିତିରେ ‌ ସେଠାରେ ରହୁଥିବା ଓଡ଼ିଆମାନେ ଆଶଙ୍କା ମଧ୍ୟଦେଇ ଗତି କରୁଛନ୍ତି। ଗଞ୍ଜାମର ଜଣେ ପ୍ରବାସୀ ଓଡ଼ିଆଙ୍କ ସୂଚନା ଅନୁସାରେ, ‘ଦୁଇଦିନ ମଧ୍ୟରେ ଗଞ୍ଜାମର ୨ ଜଣ ମହିଳାଙ୍କର କରୋନ‌ାରେ ମୃତ୍ୟୁ ହୋଇଛି। ଆସିକା ବ୍ଲକ ନଣ୍ଡାଜୁଆଳି ଗ୍ରାମର ଜଣେ ୨୬ ବର୍ଷୀୟ ଯୁବତୀଙ୍କର ମୃତ୍ୟୁ ହୋଇଛି। ଯୁବତୀ ଜଣକ ଗତ ୨ବର୍ଷ ତଳେ ବିବାହ କରି ସୁରତରେ ତାଙ୍କ ସ୍ବାମୀଙ୍କ ସହ ରହୁଥିଲେ। ସେହିପରି ହିଞ୍ଜିଳିକାଟୁ ବ୍ଲକ ହିଞ୍ଜିଳି ଗ୍ରାମର ଜଣେ ମହିଳାଙ୍କ ଗତକାଲି କରୋନାରେ ମୃତ୍ୟୁ ଘଟିଛି।’

ଅନ୍ୟପକ୍ଷରେ ସୁରତରେ ଏଭଳି ସ୍ଥିତି ହୋଇଛି ଯେ, ଚିକିତ୍ସା ଲାଗି ରୋଗୀଙ୍କ ପାଇଁ ଶଯ୍ୟା ମିଳୁନି କି, ଶବ ସତ୍କାର ଲାଗି ଶ୍ମଶାନରେ ସ୍ଥାନ ନାହିଁ। ଡାକ୍ତରଖାନା ହେଉକି, ଶ୍ମଶାନ ସବୁଠି ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବାକୁ ପଡ଼ୁଛି। ଗୁରୁତର କରୋନା ରୋଗୀଙ୍କୁ ରେମ୍‌ଡେସିଭର ଇଞ୍ଜେକ୍ସନ୍ ଦିଆଯାଏ। ସୁରତରେ ଏହି ଇଞ୍ଜେକ୍ସନ୍‌ ବର୍ତ୍ତମାନ ମିଳୁନାହିଁ।

ସମ୍ବନ୍ଧିତ ଖବର