ଭୁବନେଶ୍ବର: ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ ବଢ଼ିବାରେ ଲାଗିଛି। ଆଜି ଦୈନିକ କରୋନା ସଂକ୍ରମଣ ୨ଶହ ଟପିଛି। ଗୋଟିଏ ଦିନରେ ଆକ୍ରାନ୍ତଙ୍କ ସଂଖ୍ୟାରେ ୫୦ ପ୍ରତିଶତ ବୃଦ୍ଧି ହୋଇଛି। ପଶ୍ଚିମ ଓଡ଼ିଶା ପରେ ଏବେ ଉପକୂଳ ଓଡ଼ିଶାରେ କରୋନା ସଂକ୍ରମଣ ବଢ଼ିବାକୁ ଆରମ୍ଭ କଲାଣି। ମାର୍ଚ୍ଚ ମାସରୁ ରାଜ୍ୟରେ କରୋନା ସଂକ୍ରମଣ ବଢ଼ିବାକୁ ଆରମ୍ଭ କରିଥିଲା। ପ୍ରଥମରୁ କେବଳ ପଶ୍ଚିମ ଓଡ଼ିଶାରେ ବଢ଼ିଥିଲା। ଏବେ ୧୫ରୁ ଅଧିକ ଜିଲ୍ଲାରେ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଉଛି। ଆଗକୁ ୩୦ ଜିଲ୍ଲାକୁ ସଂକ୍ରମଣ ବ୍ୟାପିବା ଏକପ୍ରକାର ସ୍ପଷ୍ଟ ହୋଇଯାଇଛି। ଦେଶରେ କରୋନାର ନୂଆ ଉପ-ପ୍ରଜାତି ଏକ୍ସବିବି ୧.୧୬ ପାଇଁ ସଂକ୍ରମଣ ବଢ଼ୁଥିବା କୁହାଯାଉଛି। ମାତ୍ର ଏହାର ସ୍ଥିତି କ’ଣ ତାହା ସ୍ପଷ୍ଟ ହୋଇନାହିଁ। ଆରଏମ୍ଆରସି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରାୟ ୧୦ଟି ନମୁନା ଜିନୋମ ସିକ୍ବେନ୍ସିଂ ପାଇଁ ପହଞ୍ଚିଛି। ଆସନ୍ତା ୨/୩ଦିନ ଭିତରେ ରାଜ୍ୟରେ କେଉଁ ପ୍ରଜାତି ପାଇଁ ସଂକ୍ରମଣ ବଢ଼ୁଛି ତାହା ସ୍ପଷ୍ଟ ହେବ।
ରାଜ୍ୟରେ ଆଜି ୬୩୮୭ କୋଭିଡ ନମୁନା ପରୀକ୍ଷା ହୋଇଥିଲା। ଏଥିରେ ୨୧୨ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସଂକ୍ରମଣ ହାର ବା ଟେଷ୍ଟ ପଜିଟିଭ୍ ରେଟ୍ ୩.୩ ପ୍ରତିଶତକୁ ବୃଦ୍ଧି ପାଇଛି। ସୁନ୍ଦରଗଡ଼ରୁ ସର୍ବାଧିକ ୬୪, ନବରଙ୍ଗପୁର ୪୨, କଟକ ୨୩, ଖୋର୍ଧା-ସମ୍ବଲପୁରରୁ ୧୮ ଲେଖାଏ, ବଲାଙ୍ଗୀର ୧୬, କୋରାପୁଟ ୮, ବରଗଡ଼ ୭, ସୋନପୁର ୫, ଦେବଗଡ଼ ୩, ନୟାଗଡ଼-ଗଞ୍ଜାମରୁ ୨ ଲେଖାଏ, ନୂଆପଡ଼ା, ଯାଜପୁର, ବାଲେଶ୍ବର ଓ ବୌଦ୍ଧରୁ ଜଣେ ଲେଖାଏ ଆକ୍ରାନ୍ତ ବାହାରିଛନ୍ତି। ରାଜ୍ୟରେ ସମୁଦାୟ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୯୦୨କୁ ବୃଦ୍ଧି ପାଇଛି। ଆଉ ୪୧ଜଣ ରୋଗୀ ସୁସ୍ଥ ହୋଇଥିବା ସୂଚନା ମିଳିଛି।
୫୦ ହଜାର କର୍ବିଭାକ୍ସ ଦିଅ, କେନ୍ଦ୍ରକୁ ରାଜ୍ୟର ଚିଠି
ଭୁବନେଶ୍ବର: ପୁଣି ଖୋଜା ପଡ଼ିଲା କରୋନା ଟିକା। ରାଜ୍ୟରେ କରୋନା ସଂକ୍ରମଣ ଉପରମୁହାଁ ହୋଇଥିବା ବେଳେ ଟିକା ଯୋଗାଇଦେବାକୁ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଛନ୍ତି ରାଜ୍ୟ ସରକାର। ରାଜ୍ୟ ପରିବାର କଲ୍ୟାଣ ନିର୍ଦେଶକ ୫୦ହଜାର ଡୋଜ୍ କର୍ବିଭାକ୍ସ ଯୋଗାଇଦେବାକୁ ଅନୁରୋଧ କରିଛନ୍ତି। ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି ଯେଉଁ ଟିକାର ଦୀର୍ଘ ଅବଧି ରହିଛି ତାହାକୁ ପ୍ରଦାନ କରିବା ଲାଗି କୁହାଯାଇଛି। ରାଜ୍ୟ ପାଖରେ ପୂର୍ବରୁ ଥିବା ଟିକା ଶେଷ ହୋଇଯାଇଛି। ଗତ ଜାନୁଆରି ମାସରେ ୧ଲକ୍ଷ ଡୋଜ୍ ଆସିଥିବା ବେଳେ ଫେବ୍ରୁଆରି ୮ ତାରିଖରେ ଏହା ଶେଷ ହୋଇଯାଇଛି। ତେବେ ସେହି ସମୟରେ ମିଳିଥିବା ଟିକାର ଅବଧି ଯଥେଷ୍ଟ କମ୍ ଥିବାରୁ ରାଜ୍ୟ ସରକାରଙ୍କୁ ବହୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥିଲା। ତେଣୁ ଏଥର ଦୀର୍ଘ ଅବଧି ଥିବା ଟିକା ପ୍ରଦାନ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଅନୁରୋଧ କରାଯାଇଛି। ଗତବର୍ଷ ଅଗଷ୍ଟ ମାସରେ କେନ୍ଦ୍ର ସରକାର କର୍ବିଭାକ୍ସ ଟିକାକୁ ପ୍ରିକସନ୍ ଡୋଜ୍ ଭାବେ ଗ୍ରହଣ କରିବା ଲାଗି ଅନୁମୋଦନ ଦେଇଥିଲେ। ପୂର୍ବରୁ କୋଭାକ୍ସିନ୍ ଓ କୋଭିସିଲ୍ଡ ଟିକା ନେଇଥିଲେ ଏହାକୁ ନେଇପାରିବେ ବୋଲି କୁହାଯାଇଥିଲା।