ବାଲେଶ୍ବର: ଛାତ୍ରୀଙ୍କୁ କିଭଳି ମାନସିକ ନିର୍ଯାତନା ଦିଆଯାଉଥିଲା? କାହିଁକି କଲେଜ ପରିସରରେ ଆତ୍ମାହୁତି ଭଳି ଚରମ ନିଷ୍ପତ୍ତି ଗ୍ରହଣ କଲେ? ଯାହାସବୁ କାରଣ ସାମନାକୁ ଆସିଛି ସେତିକି ନା ଆହୁରି ଅନେକ ଘଟଣା ଛପି ରହିଛି? ବାଲେଶ୍ବରସ୍ଥିତ ଫକୀରମୋହନ ମହାବିଦ୍ୟାଳୟର ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣାରେ ଏହିଭଳି ପ୍ରଶ୍ନ ଜନମାନସକୁ ଆନ୍ଦୋଳିତ କରିଛି। ଏହି ଘଟଣାକୁ ନେଇ ସାରାରାଜ୍ୟରେ ହଇଚଇ ସୃଷ୍ଟି ହୋଇଥିବା ବେଳେ ଉଚ୍ଚଶିକ୍ଷା ବିଭାଗ ଓ କ୍ରାଇମବ୍ରାଞ୍ଚ ଟିମ୍‌ ଆଜି ପୃଥକ୍‌ ଭାବେ କଲେଜ ପରିସରରେ ପହଞ୍ଚି ଦିନତମାମ୍‌ ଘାଣ୍ଟିଛନ୍ତି। ଅନ୍ୟପକ୍ଷରେ ଗୁରୁତର ଅବସ୍ଥାରେ ଏମ୍‌ସରେ ଭର୍ତ୍ତି ହୋଇଥିବା ଛାତ୍ରୀ ଜଣଙ୍କ ଜୀବନମରଣ ସହିତ ସଂଘର୍ଷ କରୁଛନ୍ତି। ଏହି ଘଟଣାକୁ ନେଇ ରାଜ୍ୟ ରାଜନୀତି ମଧ୍ୟ ହୁଲସ୍ତୁଲ ହୋଇଛି।

Advertisment

ଗତକାଲି ଦିନ ପ୍ରାୟ ୧୨ଟା ସମୟରେ ଅଧ୍ୟକ୍ଷଙ୍କ ପ୍ରକୋଷ୍ଠ ସାମନାରେ ଛାତ୍ରୀ ନିଜକୁ ଜାଳିଦେବା ପରେ ଏଫ୍‌ଏମ୍‌ ମହାବିଦ୍ୟାଳୟ ଉପରେ ସମସ୍ତଙ୍କ ନଜର ରହିଥିଲା। ରବିବାର ଦିନ ପ୍ରାୟ ୧୨ଟା ସମୟରେ ପ୍ରଥମେ ଉଚ୍ଚଶିକ୍ଷା ବିଭାଗର ୩ଜଣିଆ ଟିମ୍‌ କଲେଜରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶକ କାଳୀପ୍ରସନ୍ନ ମହାପାତ୍ର, ଯୁଗ୍ମ ନିର୍ଦ୍ଦେଶକ ମୌସୁମୀ ନାୟକ ଓ ବିଜେବି କଲେଜର ପ୍ରଫେସର ଝୁମ୍‌କି ରଥଙ୍କୁ ନେଇ ଗଠିତ ଟିମ୍‌ କଲେଜର ନିଲମ୍ବିତ ଅଧ୍ୟକ୍ଷ ଦିଲ୍ଲୀପ କୁମାର ଘୋଷ ଏବଂ କଲେଜ ଆଭ୍ୟନ୍ତରୀଣ ଅଭିଯୋଗ କମିଟି(ଆଇସିସି)ର ସଦସ୍ୟଙ୍କୁ ପଚରାଉଚରା କରିଥିଲେ। ଏହି ଟିମ୍‌ ଦିନ ୧୨ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୬ ଘଣ୍ଟା ଧରି ତଦନ୍ତ କରିଥିଲେ। ତେବେ ଆଇସିସିର କେଉଁ ସଦସ୍ୟ ଅନୁପସ୍ଥିତ ଥିଲେ ତାହା ତଦନ୍ତକାରୀ ଟିମ୍‌ ପକ୍ଷରୁ ସ୍ପଷ୍ଟ କରାଯାଇନାହିଁ। ‘ତଦନ୍ତ ଚାଲିଛି, କାହାର ଭୁଲ୍‌, କାହାର ଠିକ୍‌ ଏବେ କହିପାରିବୁ ନାହିଁ; ଏ ସଂପର୍କରେ ଆମେ ସରକାରଙ୍କୁ ଜଣାଇବୁ’ ବୋଲି ଟିମ୍‌ର ନେତୃତ୍ବ ନେଉଥିବା ଶ୍ରୀ ମହାପାତ୍ର ଗଣମାଧ୍ୟମକୁ କହିଛନ୍ତି। 

ଉଚ୍ଚଶିକ୍ଷା ବିଭାଗ, କ୍ରାଇମ୍‌ବ୍ରାଞ୍ଚ ଟିମ୍‌ର ପଚରାଉଚରା
ଦିନ୧୨ଟାରୁ ରାତି ୧୦ଟା ଯାଏଁ ଘାଣ୍ଟିଲେ

ଉଲ୍ଲେଖଯୋଗ୍ୟ ଯେ ଏଫ୍‌ଏମ୍‌ କଲେଜର ସାଇକୋଲୋଜି ବିଭାଗର ସହକାରୀ ପ୍ରଫେସର ଜୟଶ୍ରୀ ମିଶ୍ର, ଫିଜିକ୍ସର ମୌସୁମୀଦାସ ପଟ୍ଟନାୟକ, ଇଂରାଜୀ ବିଭାଗର ମିନତି ସେଠୀ, ବରିଷ୍ଠ ସହାୟକ ପ୍ରଭାତ କୁମାର ମହାରଣା, ଲାବୋରେଟୋରି ସହାୟକ ବନ୍ଦିତା ପରିଡ଼ା, ବାଲେଶ୍ବର ନାରୀସଂଘ ସଭାପତି ଗୋପାମୁଦ୍ରା ମହାପାତ୍ରଙ୍କ ସମେତ କଲେଜର ୩ ଜଣ ଛାତ୍ରଛାତ୍ରୀଙ୍କୁ ନେଇ ୟୁଜିସି ନିୟମାବଳୀ ଅନୁଯାୟୀ ଆଇସିସି କମିଟି ଗଠନ କରାଯାଇଥିଲା। ଅନ୍ୟପକ୍ଷରେ, ଉଚ୍ଚଶିକ୍ଷା ବିଭାଗର ଟିମ୍‌ ଭୁବନେଶ୍ବର ଫେରିଯିବା ପରେ କ୍ରାଇମବ୍ରାଞ୍ଚର ଦୁଇଜଣିଆ ଟିମ୍‌ କଲେଜ ପରିସରରେ ପହଞ୍ଚି ଛାନ୍‌ଭିନ୍‌ କରିଛନ୍ତି। କ୍ରାଇମ୍‌ବ୍ରାଞ୍ଚର ଅତିରିକ୍ତ ଏସ୍‌ପି ରାଜଲକ୍ଷ୍ମୀ ନାୟକ, ଡିଏସ୍‌ପି ଇମନ୍‌ କଲ୍ୟାଣ ନାୟକ କଲେଜ ଅଧ୍ୟକ୍ଷ ଶ୍ରୀ ଘୋଷ ଏବଂ ଆଇସିସି ସଦସ୍ୟଙ୍କୁ ପଚରାଉରା କରିଛନ୍ତି।  

ଉଲ୍ଲେଖଯୋଗ୍ୟ ଯେ କଲେଜର ସହକାରୀ ପ୍ରଫେସର ତଥା ବି.ଏଡ୍‌ ବିଭାଗ ଏଚ୍‌ଓଡି ସମୀର କୁମାର ସାହୁ ଛାତ୍ରୀଙ୍କୁ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରିଥିବା ନେଇ ଅଭିଯୋଗ ଆସିଥିଲା। ତେବେ ଏହାର ତଦନ୍ତ ପାଇଁ ଗଠିତ କମିଟି ଅଭିଯୁକ୍ତ ସହକାରୀ ପ୍ରଫେସରଙ୍କୁ ସୁହାଇବା ଭଳି ରିପୋର୍ଟ ପ୍ରଦାନ କରିଥିଲେ ବୋଲି କୁହାଯାଉଛି। ଗତକାଲି (ଶନିବାର) ଏ ସମ୍ପର୍କରେ କଲେଜ ଅଧ୍ୟକ୍ଷ ଦିଲ୍ଲୀପ କୁମାର ଘୋଷଙ୍କଠାରୁ ସୂଚନା ପାଇବା ପରେ ଛାତ୍ରୀଜଣଙ୍କ ନିଜକୁ ଜାଳିଦେବା ଭଳି ଚରମ ନିଷ୍ପତ୍ତି ନେଇଥିଲେ।