ନିୟମିତ ରୂପେ ଜଳର ଗୁଣାତ୍ମକ ମାନ ପରୀକ୍ଷା କର: ମୁଖ୍ୟ ସଚିବ

ଭୁବନେଶ୍ୱର: ରାଜ୍ୟରେ ୯୯ ପ୍ରତିଶତରୁ ଅଧିକ ନଳକୂପ ଏବଂ ସୁସ୍ଥ କୂପକୁ କାର୍ଯ୍ୟକ୍ଷମ କରାଯାଇଛି। ତେବେ ସେଥିରୁ ମିଳୁଥିବା ଜଳର ଗୁଣାତ୍ମକ ମାନ ସଂପର୍କରେ ନିୟମିତ ରୂପେ ପରୀକ୍ଷା କରି ଆବଶ୍ୟକ ପଦକ୍ଷେପ ନେବାକୁ ପଡ଼ିବ। ଏହା ସହିତ ଫ୍ଲୋରାଇଡ୍‌ ଥିବା ଜଳସ୍ରୋତରୁ ଫ୍ଲୋରାଇଡ୍‌ ଅପସାରଣ ପାଇଁ ଫିଲ୍‌ଟର ଲଗାଇବା ନିମନ୍ତେ ମୁଖ୍ୟ ଶାସନ ସଚିବ ନିର୍ଦେଶ ଦେଇଛନ୍ତି।

ପାନୀୟ ଜଳଯୋଗାଣ କାର୍ଯ୍ୟକ୍ରମ ଏବଂ ଜଳସ୍ରୋତଗୁଡ଼ିକର କାର୍ଯ୍ୟକ୍ଷମ ସ୍ଥିତିର ସମୀକ୍ଷା କରି ମୁଖ୍ୟ ସଚିବ ଆଦିତ୍ୟ ପାଢ଼ୀ ପଞ୍ଚାୟତିରାଜ ଓ ପାନୀୟ ଜଳଯୋଗାଣ ବିଭାଗ ସଚିବଙ୍କୁ ଉପରୋକ୍ତ ନିର୍ଦେଶ ଦେଇଥିଲେ। ବିଭାଗୀୟ ସଚିବ ଦେଓରଂଜନ କୁମାର ସିଂଙ୍କ ସୂଚନା ଅନୁଯାୟୀ ୧୦୫ଟି ନଳକୂପ ଏବଂ ସାନିଟାରି କୂପରେ ଫ୍ଲୋରାଇଡ୍‌ ରହୁଥିବାରୁ ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ଫିଲ୍‌ଟର ଲଗାଯିବ। ବର୍ତମାନ ସୁଦ୍ଧା ରାଜ୍ୟର ମୋଟ ୪.୨୪ ଲକ୍ଷ ନଳକୂପ ଏବଂ ସୁସ୍ଥ କୂପ(ସାନିଟାରି େଓ୍ଵଲ୍‌)କୁ କାର୍ଯ୍ୟକ୍ଷମ କରାଯାଇଛି। ସେହିପରି ବିଭିନ୍ନ ଜିଲ୍ଲାରେ ୧୦,୩୨୩ ପାଇପ୍‌ ପାଣି ଯୋଗାଣ ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇଛି। ରାଜ୍ୟର ୧ ଲକ୍ଷ ୫୭ ହଜାର ୭୭୩ ଜନବସତି ମଧ୍ୟରୁ ୪୨ ପ୍ରତିଶତ ଲୋକଙ୍କୁ ପାଇପ୍‌ ଜଳଯୋଗାଣ କରାଯାଉଛି।

ଏହାବ୍ୟତୀତ, ସମ୍ବେଦନଶୀଳ ଆଦିମ ଅଧିବାସୀ (ପିଭିଟିଜି) ବାସ କରୁଥିବା ସମସ୍ତ ୫୪୩ଟି ଜନବସତିକୁ ଗ୍ରାମୀଣ ପାନୀୟ ଜଳଯୋଗାଣ କାର୍ଯ୍ୟକ୍ରମରେ ସାମିଲ କରାଯାଇଛି। ଗ୍ରାମ ଏବଂ ଜନସଂଖ୍ୟାଓ୍ଵାରି ଜଳଯୋଗାଣ କାର୍ଯ୍ୟକ୍ରମର ଡାଟାବେସ୍‌ ପ୍ରସ୍ତୁତ କରି ନିୟମିତ ଯାଞ୍ଚ ଜାରି ରଖିବାକୁ ମୁଖ୍ୟ ସଚିବ ନିର୍ଦେଶ ଦେଇଥିଲେ। ବୈଠକରେ ପାନୀୟ ଜଳଯୋଗାଣ ନିର୍ଦେଶିକା ରୂପା ମିଶ୍ରଙ୍କ ସହିତ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର