ରାଉରକେଲା: ରାଉରକେଲାରେ, ବିଶେଷକରି ସେକ୍ଟର ଅଞ୍ଚଳରେ ଚୋରି, ଡକାୟତି ଆଦି ଅପରାଧିକ କାର୍ଯ୍ୟକଳାପ ନିତିଦିନିଆ ହେଲାଣି। ତେବେ ସେକ୍ଟର-୩ ଥାନା ଅଞ୍ଚଳରେ ସ୍ଥିତି ଉଦ୍ବେଗଜନକ। ଅଞ୍ଚଳର କ୍ରମବର୍ଦ୍ଧିଷ୍ଣୁ ଅପରାଧିକ କାର୍ଯ୍ୟକଳାପକୁ ଦେଖିଲେ, ସେକ୍ଟର-୩ ଥାନା ଅନ୍ତର୍ଗତ ଅଞ୍ଚଳ ଅସାମାଜିକ ତତ୍ତ୍ବଙ୍କ ଅଭେଦ୍ୟ ଦୁର୍ଗ ପାଲଟିଛି। ସେକ୍ଟର-୩ ଥାନା ପୁଲିସ୍ର ଅପାରଗତା ହେଉ ଅବା ଖାମଖିଆଲୀ ମନୋଭାବ; ଅଞ୍ଚଳ ଏବେ ଅସୁରକ୍ଷିତ ହୋଇପଡ଼ିଛି। ବାସଗୃହ ବନ୍ଦ ପଡ଼ିଥିଲେ ଚୋରି ହେବାର ଅନେକ ଉଦାହରଣ ରହିଛି। ତେବେ ଦିନ ଦ୍ବିପ୍ରହରରେ, ପରିବାର ସଦସ୍ୟଙ୍କ ଉପସ୍ଥିତିରେ ଚୋରି ହେବା, ସ୍ଥାନୀୟ ପୁଲିସର ପାରିବାପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରେ।
ଏହି ଥାନା ଅଞ୍ଚଳରେ ଗତ ୨/୩ ମାସ ଭିତରେ ସଂଘଟିତ ଚୋରି ସଂଖ୍ୟାକୁ ଦେଖିଲେ, ସ୍ଥିତି କେତେ ବିଗିଡ଼ିଲାଣି ତାହା ସହଜରେ ଅନୁମାନ କରାଯାଇପାରେ। ଗତକାଲି ସନ୍ଧ୍ୟାରେ ସେକ୍ଟର-୨, ଏଚ୍-୧ କ୍ବାର୍ଟରରୁ ଘରର କବାଟ ତାଡ଼ି ଦୁର୍ବୃତ୍ତ ଚୋରି କରିନେଇଛନ୍ତି। ଏକ ଏଲ୍ଇଡି ଟିଭି ସହ ଦାମୀ ପ୍ୟାଣ୍ଟ୍-ସାର୍ଟ, ଚୌକି ଆଦି ବହୁ ସାମଗ୍ରୀ ଚୋରି କରିନେଇଛନ୍ତି। ପ୍ରକାଶଥାଉକି, ଏହା ପୂର୍ବରୁ ମଧ୍ୟ ଉକ୍ତ କ୍ବାର୍ଟରରୁ ଟାବ୍ଲେଟ୍, ବିଭିନ୍ନ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଆଦି ଚୋରି ହୋଇଥିଲା। ଏମିତିକି ଗୋଟିଏଥର ତାଲ ଭାଙ୍ଗି ଚୋରି କରିବାକୁ ପ୍ରୟାସ କରିଥିଲେ; କିନ୍ତୁ କୌଣସି କାରଣରୁ ସେତେବେଳେ ଚୋର ଦଳ ସଫଳ ହୋଇପାରିନଥିଲେ। କେବଳ ଗୋଟିଏ ନୁହେଁ, ଅଞ୍ଚଳରେ ଅପରାଧିକ କାର୍ଯ୍ୟକଳାପର ତାଲିକା ବେଶ୍ ଲମ୍ବା। ଗତ ଜୁନ୍ ୨୪ ତାରିଖରେ ସେକ୍ଟର-୪, ଇ-୩୩ କ୍ବାର୍ଟରରୁ ମଧ୍ୟ ବଡ଼ ଧରଣର ଚୋରି ହୋଇଥିଲା। ସେଠାରେ ରହୁଥିବା ପରିବାର ବ୍ୟକ୍ତିଗତ କାମରେ ଗାଁକୁ ଯାଇଥିବାବେଳେ ଦୃର୍ବୃତ୍ତମାନେ ପଛ କବାଟ ତାଡ଼ି ପ୍ରାୟ ୧ ଲକ୍ଷ ଟଙ୍କା ମୂଲ୍ୟର ଆସବାବପତ୍ର, ଗ୍ୟାସ ଚୂଲା ଓ ସିଲିଣ୍ଡିର, ପ୍ୟାଣ୍ଟ୍-ସାର୍ଟ, ଶାଢୀ, ନଗଦ ଟଙ୍କା ଚୋରି କରିଥିଲେ। ଜୁନ୍ ୨୩ ତାରିଖରେ ସେକ୍ଟର-୨, ସି-୧୦୭ ରହୁଥିବା ବରୁଣ ବିଶ୍ବାଳଙ୍କ କ୍ବାଟର୍ରରୁ ଦୁର୍ବୃତ୍ତମାନେ ଆଲମିରା ଭାଙ୍ଗି ନଗଦ ୧୫ ହଜାର ଟଙ୍କା ସହ ଇନ୍ଭର୍ଟର, ସୁନା ଅଳଙ୍କାର, ମଙ୍ଗଳସୂତ୍ର ଆଦି ଲକ୍ଷାଧିକ ଟଙ୍କାର ସାମଗ୍ରୀ ଚୋରି କରିନେଇଥିଲେ। ଜୁନ୍ ଦ୍ବିତୀୟ ସପ୍ତାହରେ ସେକ୍ଟର-୪ ଇ’ ବ୍ଲକରେ ଦୁଇଟି ଭିନ୍ନ ଭିନ୍ନ କ୍ବାର୍ଟରରୁ ଚୋରି ହୋଇଥିଲା।
ସେପ୍ଟେମ୍ବର ୧୯ ତାରିଖ ଦିନ ଦ୍ବିପ୍ରହରରେ ସେକ୍ଟର-୪, ଇ’ ବ୍ଲକରୁ ଦୁଇଟି ଚୋରି ହୋଇଥିଲା। ମଧ୍ୟାହ୍ନ ପ୍ରାୟ ୨ଟାରେ ସେକ୍ଟର-୪, ଇ-୨୯ କ୍ବାର୍ଟର୍ରୁ ଏକ ସାଇକଲ ଚୋରି ହୋଇଥିଲା। ଉଲ୍ଲେଖଯୋଗ୍ୟ, ସେତେବେଳେ ପରିବାରର ସମସ୍ତ ସଦସ୍ୟ ଘର ଭିତରେ ଉପସ୍ଥିତ ଥିଲେ। ସନ୍ଧ୍ୟାରେ ଉକ୍ତ କ୍ବାର୍ଟର ପାଖରେ ଥିବା ଆଉ ଏକ କ୍ବାର୍ଟରରେ ରହୁଥିବା ସଦସ୍ୟ ସାନ୍ଧ୍ୟ ଭ୍ରମଣରେ ଯାଇଥିବାବେଳେ ଦୁର୍ବୃତ୍ତମାନେ ବହୁ ସାମଗ୍ରୀ ଚୋରି କରିନେଇଥିଲେ। ଅନ୍ୟାନ୍ୟ ଅଞ୍ଚଳ ଅପେକ୍ଷା ଚୋରଦଳଙ୍କ ଟାର୍ଗେଟ୍ରେ ସେକ୍ଟର-୨, ଏଚ୍ ’ ବ୍ଲକ ରହୁଥିବା ଅନୁମାନ କରାଯାଉଛି। ଗତ ଏପ୍ରିଲ ୨୪ ତାରିଖ ସନ୍ଧ୍ୟାରେ ସେକ୍ଟର-୨, କ୍ବାର୍ଟର ନମ୍ବର ଏଚ୍-୨ରେ ରହୁଥିବା ଉତ୍କଳମଣୀ ହୋମିଓପାଥିକ୍ ମେଡିକାଲ କଲେଜର ପୂର୍ବତନ ଅଧ୍ୟକ୍ଷ ପ୍ରଫେସର ଆର.କେ. ପଣ୍ଡାଙ୍କ ଘରୁ ପ୍ରାୟ ୧୫/୨୦ ଲକ୍ଷ ଟଙ୍କାର ୩୦ ଗ୍ରାମ୍ ସୁନା ଗହଣା ଚୋରି ହୋଇଥିଲା। ଝିଅ ବାହାଘର ପାଇଁ ଗଚ୍ଛିତ ରଖିଥିବା ସବୁ ସୁନା ଅଳଙ୍କାର, ଆସବାବପତ୍ରକୁ ଚୋରି କରିନେଇଥିଲେ।
ଏହି ଘଟଣାର ପ୍ରାୟ ୬/୭ ଦିନ ପୂର୍ବେ ଦିନ ଦ୍ବିପ୍ରହରରେ ଉକ୍ତ କ୍ବାର୍ଟରରୁ ଚୋରି ଉଦ୍ୟମ ହୋଇଥିଲା। ପୂର୍ବାହ୍ନ ପ୍ରାୟ ୧୧ଟାରେ ଉକ୍ତ କ୍ବାର୍ଟରର ପଛପଟେ ଲାଗିଥିବା ପ୍ରାୟ ୫୦ ଫୁଟ୍ ଲମ୍ବା ଲୁହା ପାଣି ପାଇପ୍କୁ କାଟି ଚୋରି କରିବାକୁ ପ୍ରୟାସ କରିଥିଲେ। ଏହାକୁ ଦେଖି ପଡ଼ୋଶୀ ପଚାରିବାରୁ ନିଜକୁ ଆର୍ଏସ୍ପି ସହରସେବା ବିଭାଗର କର୍ମଚାରୀ ପରିଚୟ ଦେଇଥିଲେ। ପରେ ପଡ଼ୋଶୀଙ୍କ ସନ୍ଦେହ ହେବାରୁ ସେମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଚୋରଦଳ ମନ୍ଦିରକୁ ମଧ୍ୟ ଛାଡ଼ୁନାହାନ୍ତି। ଅଗଷ୍ଟ ୧୯ ତାରିଖରେ ଶକ୍ତିନଗରରେ ଥିବା ସାଇ ବାବା ମନ୍ଦିରରୁ ହୁଣ୍ଡି ଭାଙ୍ଗି ଚୋରି କରିଥିଲେ। ଖୋଦ୍ ପୁଲିସ ମଧ୍ୟ ଚୋରଙ୍କ ତାଣ୍ଡବରୁ ମୁକୁଳିପାରିନାହାନ୍ତି। ଗତ ସପ୍ତାହରେ ରାଉରକେଲା ପୁଲିସ ଜିଲ୍ଲାର ଜଣେ ପୁଲିସ କର୍ମଚାରୀ ସେକ୍ଟର-୨ ବସ୍ ଷ୍ଟାଣ୍ଡରେ ବାଇକ୍ ରଖି ନିକଟସ୍ଥ ଚା’ ଦୋକାନକୁ ଯାଇଥିଲେ। ପୁଲିସ ବାବୁ ପାଖାପାଖି ୧୦ ମିନିଟ ଭିତରେ ଚା’ ପିଇ ଫେରିବାପରେ ତାଙ୍କ ପ୍ୟାସନ୍ ପ୍ରୋ’ ବାଇକ୍ ଚୋରି ହୋଇଯାଇଥିଲା।
ବିଡ଼ମ୍ବନାର ବିଷୟ ଏହା, ଗତ କିଛିଦିନ ହେଲା ପ୍ରତିଦିନ ଚୋରି ହେଉଥିଲେ ମଧ୍ୟ ପୁଲିସ ଜଣେ ବି ଅଭିଯୁକ୍ତକୁ ଗିରଫ କରିବାରେ ସକ୍ଷମ ହୋଇପାରିନି। ପୁଲିସ୍ର ଏଭଳି ଅକ୍ଷମତା କେବଳ ଜନମାନସରେ କୋକୁଆ ଭୟ ଖେଳାଇନାହିଁ ବରଂ ପୁଲିସ ପ୍ରତି ଭରସା ତୁଟିବାରେ ଲାଗିଛି। ରାଉରକେଲା ପୁଲିସ୍ ଜିଲ୍ଲାର ଅନ୍ୟାନ୍ୟ ଅଞ୍ଚଳରେ ଅନେକାଂଶରେ ଅପରାଧିକ କାର୍ଯ୍ୟକଳାପ ଉପରେ ଅଙ୍କୁଶ ଲାଗିଛି, କିନ୍ତୁ ସେକ୍ଟର-୩ ଥାନା ବ୍ୟତିକ୍ରମ ପାଲଟିଛି। ପୂର୍ବରୁ ନିୟମିତଭାବେ ପାଟ୍ରୋଲିଂ କରାଯାଉଥିବାବେଳେ ଏବେ ତାହା ଦେଖିବାକୁ ମିଳୁନି। ପୂର୍ବରୁ ସେକ୍ଟର-୨ ଇଣ୍ଡୋ-ଜର୍ମାନ କ୍ଳବ ସମ୍ମୁଖରେ ଏକ ପିସିଆର୍ ଭ୍ୟାନ୍ ସବୁବେଳେ ନିୟୋଜିତ ଥିବାବେଳେ ଗତ କିଛିମାସ ହେଲା ଉଭାନ ହୋଇଯାଇଛି।