୩ ଲକ୍ଷରୁ ୫୦ହଜାରକୁ ଖସିଲା ଦୈନିକ ଟିକାକରଣ

ଭୁବନେଶ୍ବର : ରାଜ୍ୟରେ ଦୈନିକ ଟିକାକରଣ ୩ଲକ୍ଷରୁ ସିଧା ୫୦ହଜାରକୁ ଖସି ଆସିଛି। ଗତ ୨୧ତାରିଖରୁ ରାଜ୍ୟରେ ଲଗାତାର ଭାବେ ଦୈନିକ ପ୍ରାୟ ୩ଲକ୍ଷ ଟିକାକରଣ କରାଯାଉଥିଲା। ମାତ୍ର ରାଜ‌୍ୟରେ ‘କୋଭିସିଲ୍‌ଡ’ ଟିକାର ଅଭାବ ପାଇଁ ଆଜି ୧୧ଟି ଜିଲ୍ଲାରେ ଟିକାକରଣ ବନ୍ଦ ରହିଥିଲା। ଯାହାଫଳରେ ୧୯ଜିଲ୍ଲାରେ ମାତ୍ର ୪୯,୬୩୭ଜଣଙ୍କୁ କରୋନା ଟିକା ଦିଆଯାଇଛି। ଆସନ୍ତା ମାସରେ ରାଜ୍ୟ ସରକାର ଦୈନିକ ୩ଲକ୍ଷ ଟିକା ଦେବା ନେଇ ଯେଉଁ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି ତାହା ପୂରଣ ହେବା ନେଇ ଆଶଙ୍କା ପ୍ରକାଶ ପାଇଲାଣି।

ରାଜ୍ୟରେ ବୁଧବାର ୨୨୩ ଟିକାକରଣ ଅଧିବେଶନ ଅନୁଷ୍ଠିତ ହୋଇଥିଲା। ଏଥିରେ ୨୨,୭୯୨ଜଣ କୋଭିସିଲ୍‌ଡ ନେଇଥିବା ବେ‌ଳେ ୨୬,୮୧୯ଜଣ କୋଭାକ୍ସିନ୍ ଟିକା ନେଇଛନ୍ତି। ୧୮-୪୪ବର୍ଗର ୩୨,୯୪୫ଜଣ ପ୍ରଥମ, ୩୩୬୮ଜଣ ଦ୍ବିତୀୟ, ୪୫ବର୍ଷରୁ ଅଧିକ ୪୯୧୫ଜଣ ପ୍ରଥମ ଓ ୭୭୧୬ଜଣ ଦ୍ବିତୀୟ ଡୋଜ୍ ‌ଟିକା ନେଇଥିଲେ। ୩୧ଜଣ ସ୍ବାସ୍ଥ୍ୟକର୍ମୀ, ୬୬୨ଜଣ ଆଗଧାଡ଼ିର ଯୋଦ୍ଧାଙ୍କୁ ଟିକା ଦିଆଯାଇଛି। ରାଜ୍ୟରେ ଏ ପର୍ଯ୍ୟନ୍ତ ୧ କୋଟି ୧୮ଲକ୍ଷ ୮୫ହଜାର ୪୦୭ ‌ଡୋଜ୍ ଟିକା ଦିଆଗଲାଣି। ଆସନ୍ତାକାଲି ରାଜ୍ୟର ୧୬ଟି ଜିଲ୍ଲାରେ ଟିକାକରଣ ବନ୍ଦ ରହିବ। ଅନୁଗୁଳ, ବଲାଙ୍ଗୀର, ବ‌ାଲେଶ୍ବର, ବରଗଡ଼, ଭଦ୍ରକ, ଦେବଗଡ଼, ଢେଙ୍କାନାଳ, ଗଞ୍ଜାମ, ଯାଜପୁର, ଝାରସୁଗୁଡ଼ା, କନ୍ଧମାଳ, କେନ୍ଦ୍ରାପଡ଼ା, କୋରାପୁଟ, ନବରଙ୍ଗପୁର, ସୋନପୁର ଓ ସୁନ୍ଦରଗଡ଼ରେ ଟିକାକରଣ ହେବ ନାହିଁ। ଏ ଦୃଷ୍ଟିରୁ ଆସନ୍ତାକାଲି ରାଜ୍ୟରେ ମାତ୍ର ୧୧୪ ଟିକାକରଣ ଅଧିବେଶନ ଅନୁଷ୍ଠିତ ହେବ। ରାଜ୍ୟ ନିକଟରେ ଏବେ ୧୯,୫୨୦ ଡୋଜ୍‌ର କୋଭିସିଲ୍‌ଡ ଓ ୩ଲକ୍ଷ ୨୪ହଜାର ୯୧୦ ଡୋଜ୍‌ର କୋଭାକ୍ସିନ୍‌ର ରହିଛି। ଆସନ୍ତା ୨ତାରିଖରେ କେନ୍ଦ୍ର ସରକାରଙ୍କ ନିକଟରୁ ରାଜ୍ୟକୁ ଟିକା ଆସିପାରେ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର