ରାଉରକେଲା: ଗତ ୧୪ ଦିନ ଧରି ବ୍ୟାପୀଥିବା ହଇଜା ସଂକ୍ରମଣ ତଳମୁହାଁ ହୋଇଛି। ରାଉରକେଲା ସରକାରୀ ଡାକ୍ତରଖାନା (ଆର୍‌ଜିଏଚ୍‌) ଓ ଅନ୍ୟ ଘରୋଇ ହସ୍ପିଟାଲରେ ଗତକାଲିଠୁ ଆଜି ହଇଜା ଆକ୍ରାନ୍ତଙ୍କ ରୋଗୀ ଢ଼େର କମ୍‌ ଚିକିତ୍ସିତ ହେଉଛନ୍ତି। ଗତକାଲି ଆର୍‌ଜିଏଚ୍‌ରେ ୫୩ ରୋଗୀ ଚିକିତ୍ସିତ ହେଉଥିଲେ। ଆଜି ଏହି ସଂଖ୍ୟା ଅପରାହ୍ନ ସୁଦ୍ଧା ୧୦ ରହିଛି। ସୁନ୍ଦରଗଡ଼ ଜିଲ୍ଲାପାଳ ଡକ୍ଟର ପରାଗ ହର୍ଷଦ ଗାଭାଲି ଆଭାସି ବୈଠକ ଜରିଆରେ ସ୍ଥିତିର ସମୀକ୍ଷା କରିଛନ୍ତି। ଆର୍‌ଜିଏଚ୍‌ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଡାକ୍ତର ଶୁଭଙ୍କର ମହାପାତ୍ର, ଆର୍‌ଜିଏଚ୍‌ ନିର୍ଦ୍ଦେଶକ ଡାକ୍ତର ଜି. ଦାଶ, ଉପ ଅଧୀକ୍ଷକ ଡାକ୍ତର ପଣ୍ଡିତ ସାହୁ, ଏସ୍‌ଇବି ମେଡ଼ିକାଲ ଟିମ୍‌, ଆର୍‌ଏମ୍‌ଆର୍‌ସି ଟିମ୍‌ ଓ ସୁନ୍ଦରଗଡ଼ ମେଡ଼ିକାଲ କଲେଜର ଡାକ୍ତର ଉପସ୍ଥିତ ଥିଲେ। ଏଥିସହ ବିଭିନ୍ନ ବିଭାଗର ଅଧିକାରୀମାନେ ମଧ୍ୟ ଯୋଗଦେଇଥିଲେ। ଜିଲ୍ଲାପାଳ ଡକ୍ଟର ଗାଭାଲି ଆର୍‌ଜିଏଚ୍‌ ଚିକିତ୍ସାଧୀନ ରୋଗୀଙ୍କ ସ୍ଥିତି ସହ ବସ୍ତି ଓ କଲୋନିରେ ନିଆଯାଉଥିବା ପଦକ୍ଷେପ ସଂକ୍ରାନ୍ତରେ ପଚାରି ବୁଝିଥିଲେ। ଜଳସାଥୀ, ୱାଟ୍‌କୋ ପକ୍ଷରୁ ସହରର ବିଭିନ୍ନ ଅଞ୍ଚଳରୁ ସଂଗ୍ରହୃତ ପାଣି ନମୁନା ରିପୋର୍ଟ, ସଚେତନତା ଆଦି କାର୍ଯ୍ୟକ୍ରମ ସମ୍ପର୍କରେ ମଧ୍ୟ ଆଲୋଚନା କରିଥିଲେ।

Advertisment

ସରକାରୀ ଭାବେ ୬ରୁ ୯କୁ ବୃଦ୍ଧି ହୋଇଛି। ହେଲେ ବେସରକାରୀ ଭାବେ ହଇଜା ମୃତ୍ୟୁ ସଂଖ୍ୟା ୧୬ରେ ପହଞ୍ଚିଛି। ଗତକାଲି ଜଣେ ଇଞ୍ଜିନିୟରିଂ ଛାତ୍ରଙ୍କର ଜୀବନ ଯାଇଥିଲା। ଏଡିଏମ୍‌ ଡାକ୍ତର ଶୁଭଙ୍କର ମହାପାତ୍ର କହିଛନ୍ତି, ସଂକ୍ରମର ସମ୍ପୂର୍ଣ୍ଣ ନିୟନ୍ତ୍ରଣରେ ରହିଛି। ସହର ଓ ଏହାର ଆଖପାଖରେ ଖୋଲିଥିବା ୧୦ଟି ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକୁ ସଂକ୍ରମଣ ରୋଗୀ ଆସୁନାହାନ୍ତି। ସହରର ୧୨ଟି ହଟ୍‌ସ୍ପଟ ଅଞ୍ଚଳରେ ମଧ୍ୟ ସଂକ୍ରମଣ କମିଛି। ଗତକାଲି ଓ ଆଜି ୯୩ଟି ସ୍ଥାନରେ ଫାଟିଥିବା ପାଣି ପାଇପକୁ ମରାମତି କରାଯାଇଛି। ୱାଟ୍‌କୋ ଓ ଜଳସାଥୀଙ୍କ ପକ୍ଷରୁ ସହରର ବିଭିନ୍ନ ବସ୍ତି ଓ କଲୋନିରୁ ସଂଗ୍ରହ ୩ହଜାର ପାଣି ନମୁନା ସଂଗ୍ରହ କରି ପରୀକ୍ଷା କରାଯାଇଛି। ରିପୋର୍ଟରୁ ପାଣି ବିଶୁଦ୍ଧ ରହିଥିବା ଜଣାପଡ଼ିଛି। ଆର୍‌ଏମ୍‌ଆର୍‌ସି ଓ ଏସ୍‌ଇବି ଡାକ୍ତରୀ ଟିମ୍‌ ପକ୍ଷରୁ ରିପୋର୍ଟ ଆସିବା ପରେ ଜିଲ୍ଳା ପ୍ରଶାସନ ପକ୍ଷରୁ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି।

publive-image

ଅନ୍ୟପଟେ ସହରବାସୀଙ୍କୁ ପରସା ଯାଉଥିବା ଖାଦ୍ୟର ମାନ ଠିକ୍‌ ଅଛି କି ନାହିଁ, ଆର୍‌ଏମ୍‌ସି ସ୍ବାସ୍ଥ୍ୟ ବିଭାଗ ନିୟମିତ ଯାଞ୍ଚ କରୁଛନ୍ତି। ସହରର ବିଭିନ୍ନ ଫାଷ୍ଟଫୁଡ୍‌, ଜଳଖିଆ ଦୋକାନ, ହୋଟେଲ ଓ ରେସ୍ତୋରାଁରେ ଖାଦ୍ୟ ସାମ୍ପୁଲ ସଂଗ୍ରହ କରି ପରୀକ୍ଷା କରାଯାଉଛି। ଯେଉଁମାନେ ବାସିଖାଦ୍ୟ ବିକ୍ରି କରୁଛନ୍ତି, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉଛି। ସହରର ପ୍ରାୟ ୫୬ ହଜାରରୁ ଊର୍ଦ୍ଧ୍ବ ଓଆର୍‌ଏସ୍‌ ପ୍ୟାକେଟ ବଣ୍ଟନ କରାଯାଇଛି। ୬୮ ହଜାରରୁ ଅଧିକ ସଂଖ୍ୟକ ହାଲୋଜେନ୍ ବଟିକା ଦିଆଯାଇଛି। ୩୦ ହଜାରରୁ ଊର୍ଦ୍ଧ୍ୱ ସାବୁନ୍ ବଣ୍ଟନ କରାଯାଇଛି।