ଜୟପୁର : କୋଭିଡ ପ୍ରଭାବରେ ଦୁଗ୍ଧ ଚାଷୀ ପ୍ରଭାବିତ

୮୩୪୦ ଚାଷୀଙ୍କ ମଧ୍ୟରୁ ୨୫୦୦ ଚାଷୀ ହିଁ ଆଂଚଳିକ ଦୁଗ୍ଧ ସମବାୟ ସଂଘକୁ କ୍ଷୀର ବିକୁଛନ୍ତି
୨ହଜାର ଲିଟର ସ୍ଥାନରେ ଏବେ ୧୧ହଜାର ଲିଟର ସଂଗ୍ରହ

ଜୟପୁର : କୋଭିଡ୍ ପ୍ରଭାବରେ ଖାସ୍ କରି ଅବିଭକ୍ତ କୋରାପୁଟ ଜିଲ୍ଲାର ଦୁଗ୍ଧ ଉତ୍ପାଦନକାରୀ ଚାଷୀ ବେଶି ପ୍ରଭାବିତ ହୋଇଛନ୍ତି। ଦୁଗ୍ଧ ଚାଷୀଙ୍କୁ ଉତ୍ତମ ବଜାର ଦେଇ ଆସିଥିବା କୋରାପୁଟ, ମାଲାକାନଗିରୀ, ନବରଙ୍ଗପୁର, ରାୟଗଡା ଜିଲ୍ଲା ଆଂଚଳିକ ଦୁଗ୍ଧ ସମବାୟ ସଂଘ କୋଭିଡ୍ ସମୟରେ ଚାଷୀଙ୍କ ହାତ ଛାଡି ଦେଇଥିଲା। ଚାଷୀମାନେ ସେତେବେଳେ ନିଜ ଦୁଗ୍ଧ ବିକ୍ରି ପାଇଁ ଅନ୍ୟ ବାଟ ଆପଣାଇବା ସହ ନିଜେ ଘରକୁ ଘର ବୁଲି ଅଭାବି ବିକ୍ରିର ଶୀକାର ହୋଇ କମ୍ ଦାମରେ ହୋଟେଲ, ଛତିଶଗଡ ବେପାରୀ ଓ ଘରକୁ ଘର ବୁଲି ବିକ୍ରି କରିଥିଲେ। ଏହି ସ୍ଥିତିରେ ଏବେ ଅବିଭକ୍ତ କୋରାପୁଟ ଜିଲ୍ଲାର ୨୮୫ଟି ଦୁଗ୍ଧ ସମବାୟ ସମିତି ମଧ୍ୟରୁ ୧୫ଟି ବନ୍ଦ ହୋଇଯାଇଥିଲା। ସେଭଳି କୋଭିଡ୍ ପୂର୍ବରୁ ୨୨ହଜାର ଲିଟର କ୍ଷୀର ଆଂଚଳିକ ଦୁଗ୍ଧ ସମବାୟ ସଂଘକୁ ୮୩୪୦ଜଣ ଚାଷୀ ବିକ୍ରି କରୁଥିଲେ। କିନ୍ତୁ ଏବେ କେବଳ ୨୫ଶହ ଚାଷୀଙ୍କ ଠାରୁ ଏହାର ଅଧା ୧୧ହଜାର ଲିଟର ହିଁ ସଂଗ୍ରହ ହେଉଛି।

ଓମଫେଡର ଆବଶ୍ୟକତା ଏବଂ ଓମଫେଡ ବଜାରକୁ ଦୃଷ୍ଟିରେ ରଖି କୋଭିଡ୍ ସମୟରେ ମାର୍ଚ୍ଚରୁ ଜୁନ ମଧ୍ୟରେ ଆଂଚଳିକ ଦୁଗ୍ଧ ସମବାୟ ସଂଘ ଚାଷୀଙ୍କ ଠାରୁ କ୍ଷୀର ନେଉଥିଲା। ଯେଉଁ ଦିନ ଓମଫେଡର ଆବଶ୍ୟକତା ନଥିଲା ସେ ଦିନ ଆଉ ନେଉ ନଥିଲା। ଫଳ ସ୍ବରୁପ ଏଭଳି ଚାଲିଥିବାରୁ ଦୁଗ୍ଧ ଚାଷୀଙ୍କୁ ବହୁ କ୍ଷତି ସହିବାକୁ ପଡ଼ିଥିଲା। ଏପରିକି ଚାଷୀମାନେ ଏହାର ବିରୋଧ ବି କରିଥିଲେ। ତେବେ ପ୍ରଶାସନ କିମ୍ବା ସରକାର କେହି ଦୁଗ୍ଧ ଚାଷୀଙ୍କ ଦୁଃଖ ବୁଝି ନଥିଲେ। ଏହା ପରେ କିଛି ଚାଷୀ ଓ ଚାଷୀ ସମବାୟ ସଂଘ ବି ଆଂଚଳିକ ଦୁଗ୍ଧ ସମବାୟ ସଂଘକୁ ଆଉ କ୍ଷୀର ବିକ୍ରି କରିବେ ନାହିଁ ବୋଲି ନିଷ୍ପତି ନେଇଥିଲେ। ଏବେ ବହୁ ବୁଝାସୁଝା ପରେ ଅଧା କ୍ଷୀର ସମବାୟ ସଂଘ ଓ ଅଧା କ୍ଷୀର ଅନ୍ୟ ବ୍ୟବସାୟୀଙ୍କୁ ବିକ୍ରି କରୁଛନ୍ତି। ଆନ୍ଧ୍ରର କିଛି ଘରୋଇ କଂପାନି ଗତ କିଛି ବର୍ଷ ହେଲା ବଜାରରେ ରହିଥିବା ବେଳେ ଏବେ ଆଉ କିଛି କଂପାନିର ପ୍ରବେଶ, ଅତ୍ୟାଧିକ କମିଶନ ପ୍ରଦାନ ଓମଫେଡ୍ ବଜାର ବୃଦ୍ଧିରେ ବାଧକ ବୋଲି କହିଛନ୍ତି ଓମଫେଡର ପରିଚାଳକ ଶ୍ରୀ କାନୁନଗୋ।

ଅନ୍ୟ ପକ୍ଷରେ ଗତ ୫ମାସ ହେବ କ୍ଷୀର ପରିବହନର ଟେଣ୍ଡର ସରିଥିବା ବେଳେ ନୂଆ ଟେଣ୍ଡର ହୋଇପାରିନି। ଓମଫେଡ୍ ଭୁବନେଶ୍ବରର ଗୋଟିଏ ଗାଡି ସହ ଅନ୍ୟ ୩ଟି ଗାଡିକୁ ଭଡ଼ା କରି କ୍ଷୀର ଓ ଅନ୍ୟ ଓମଫେଡ୍ ସାମଗ୍ରୀ ବିକ୍ରୀ ପାଇଁ ପଠାଯାଉଛି। ଏହା ବି ବଜାର ଉପରେ ପ୍ରଭାବ ପକାଇଛି ବୋଲି ପରିଚାଳକ କହିଛନ୍ତି। ତେବେ କୋଭିଡ୍ ଖାସ୍ କରି ଦୁଗ୍ଧ ଚାଷୀଙ୍କ ଉପରେ ବେଶି ମାତ୍ରାରେ ପ୍ରଭାବ ପକାଇଥିବା କହିଛନ୍ତି ଚାଷୀ ନବଘନ ବିଷୋୟୀ। ବ୍ୟାଙ୍କ ଋଣ ଆଣି ଚାଷ କରୁଥିବା ବେଳେ ଆଂଚଳିକ ଦୁଗ୍ଧ ସମବାୟ ସଂଘ ଯେଭଳି ଦିନେ କ୍ଷୀର ନେଇ ଅନ୍ୟ ଦିନ ନ ନେଇ ହଇରାଣ କରିବା ସହ କ୍ଷତି କରିଛି ତାହା କିଏ ଭରଣା କରିବ ବୋଲି ପ୍ରଶ୍ନ କରିଛନ୍ତି।

ସମ୍ବନ୍ଧିତ ଖବର