ଦୁଗ୍ଧଚାଷୀ ଅଭାବୀ ବିକ୍ରିର ଶିକାର: ରାସ୍ତାରେ କ୍ଷୀର ଢାଳି ପ୍ରତିବାଦ

ଜହ୍ନାପଙ୍କ: ଦୁଗ୍ଧଚାଷୀ ଅଭାବୀ ବିକ୍ରିର ଶିକାର ହୋଇଛନ୍ତି। ଏହାର ପ୍ରତିକାର ପାଇଁ ପ୍ରଶାସନ କି ସରକାର, କେହି ଶୁଣୁନାହାନ୍ତି। ଶେଷରେ ରାସ୍ତାରେ କ୍ଷୀର ଢାଳି ପ୍ରତିବାଦ କରିଛନ୍ତି। ତୁରନ୍ତ ଏଦିଗରେ ପଦକ୍ଷେପ ନିଆନଗଲେ ରାଜପଥ ଅବରୋଧ କରାଯିବ ବୋଲି ଚେତାବନୀ ‌ଦେଇଛନ୍ତି ଦୁଗ୍ଧଚାଷୀ। ଦୁଗ୍ଧଚାଷୀଙ୍କ ପ୍ରତି ଅବହେଳାରୁ ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ବୌଦ୍ଧ ଜିଲ୍ଲାର ଜହ୍ନାପଙ୍କ ଠାରେ ।

ରାଜ୍ୟ ସରକାର କ୍ଷୀର ଉତ୍ପାଦନ ବୃଦ୍ଧି ପାଇଁ ଚାଷୀଙ୍କୁ ରିହାତି ଦରରେ ଗାଈ, ଦାନା, ଘାସ ମଞ୍ଜି ଏବଂ ରହିବା ପାଇଁ ଗୁହାଳ ଯୋଗାଇ ଦେଉଛନ୍ତି। କିନ୍ତୁ କ୍ଷୀର ବିକ୍ରି ବ୍ୟବସ୍ଥା ନକରିବାରୁ ଦୁଗ୍ଧ ଚାଷୀ ସବୁବେଳେ ଅଭାବୀ ବିକ୍ରିର ଶିକାର ହେଉଛନ୍ତି। ଏପରି ଅଭିଯୋଗ କରିଛନ୍ତି ବୌଦ୍ଧ ସଦର ବ୍ଲକ୍‌ ଖୁଂଟବନ୍ଧ ପଞ୍ଚାୟତ ଜହ୍ନାପଙ୍କରେ ଥିବା ଚାରିଶମ୍ଭୁ ଦୁଗ୍ଧ ସମବାୟ ସମିତି ଅନ୍ତର୍ଭୁକ୍ତ ଦୁଗ୍ଧଚାଷୀ। ଶନିବାର ରାସ୍ତାରେ କ୍ଷୀର ଢାଳି ପ୍ରତିବାଦ କରିଛନ୍ତି। ସୂଚନା ଅନୁଯାୟୀ ୧୯୯୨ ମସିହାରୁ ଜହ୍ନାପଙ୍କଠାରେ ସ୍ବର୍ଗତ ଅଖିଳ ପ୍ରସାଦ ମିଶ୍ରଙ୍କ ପ୍ରଚେଷ୍ଟାରେ ଚାରିଶମ୍ଭୁ ଦୁଗ୍ଧ ସେବା ସମବାୟ ସମିତି ଆରମ୍ଭ ହୋଇଥିଲା।

କିଛି ବର୍ଷ ବନ୍ଦ ହେବା ପରେ ୨୦୧୬ରେ ଶୁଭ୍ରାଂଶୁ ଶେଖର ମିଶ୍ରଙ୍କ ପ୍ରଚେଷ୍ଟାରେ ପୁନଃ କାର୍ଯ୍ୟକ୍ଷମ ହେଲା। ସେହିଦିନଠାରୁ ଓମ୍‌ଫେଡ୍‌କୁ କ୍ଷୀର ଦିଆଯାଉଥିଲା। ୨ ବର୍ଷ ପୂର୍ବେ ଓମ୍‌ଫେଡ୍‌ର ଜୈନିଜ ଅଧିକାରୀ ୩୬୦ ଲିଟର କ୍ଷୀର ଟଙ୍କା ନଦେବାରୁ ସମିତି ପକ୍ଷରୁ ଓମ୍‌ଫେଡକୁ କ୍ଷୀର ଦେବା ବନ୍ଦ କରାଗଲା। ସେହିଦିନଠାରୁ ଚାରିଛକର ଏକ ଘରୋଇ ସଂସ୍ଥା କ୍ଷୀର ନେଉଥିଲା। କିଛି ଦିନ ପୂର୍ବରୁ ସମିତିର ସଭ୍ୟମାନେ ବୌଦ୍ଧ ଜିଲ୍ଲାପାଳ ଓ ସିଡିଭିଓଙ୍କୁ ଭେଟି ଓମ୍‌ଫେଡକୁ କ୍ଷୀର ଦେବା ପାଇଁ କହିଥିଲେ।

୧୫ ଦିନ ମଧ୍ୟରେ ଓମ୍‌ଫେଡ କ୍ଷୀର ନେବାର ବ୍ୟବସ୍ଥା କରାଯାଉଛି ବୋଲି ପ୍ରତିଶ୍ରୁତି ଦେଇଥିଲେ। ଆଜି ଉକ୍ତ ଘରୋଇ ସଂସ୍ଥା ଚାଷୀଙ୍କ ଅଧିକ କ୍ଷୀର ହେବାରୁ ନେବାକୁ ମନା କରିବାରୁ ପ୍ରାୟ ୫୦ରୁ ଅଧିକ ଚାଷୀ ଜାତୀୟ ରାଜପଥ ୫୭କୁ ଆସି ଜହ୍ନାପଙ୍କଛ ଛକଠାରେ ବିକ୍ରି କରିବାକୁ ଆଣିଥିବା କ୍ଷୀର ଢାଳି ପ୍ରତିବାଦ କରିଥିଲେ। ଆଗାମୀ ଦିନରେ ଜିଲ୍ଲା ପ୍ରଶାସନ ଏହାର ସମାଧାନ ନକଲେ ଜାତୀୟ ରାଜପଥ ୫୭କୁ ଅବରୋଧ କରାଯିବ ବୋଲି ଚେତାବନୀ ଦେଇଥିଲେ। ଶନିବାର ସନ୍ଧ୍ୟାରେ ଦୁଗ୍ଧଚାଷୀମାନେ ବୌଦ୍ଧ ବିଧାୟକ ଓ ଜିଲ୍ଲାପାଳଙ୍କୁ ଭେଟି ଏହାର ସମାଧାନ କରିବାକୁ ଅନୁରୋଧ କରିଥିଲେ।

ସମ୍ବନ୍ଧିତ ଖବର