ପୁରୀ : ସ୍ନାନଯାତ୍ରାକୁ ଆଉ ଦୁଇଦିନ ବାକି ଥିବାବେଳେ ଏହାର ଅବ୍ୟବହିତ ପୂର୍ବରୁ ଶ୍ରୀଜିଉଙ୍କ ଗୁପ୍ତ ସେବା ପାଇଁ ଦଇତାପତି ପ୍ରବେଶ ନୀତି ଅନୁଷ୍ଠିତ ହେବ। ଦଇତାପତିମାନେ ରବିବାର ରାତିରେ ଶ୍ରୀମନ୍ଦିରରେ ପ୍ରବେଶ କରିବେ। ପରେ ଘୋଷଯାତ୍ରାର ପ୍ରଥମ ନୀତି କୁହାଯାଉଥିବା ଶ୍ରୀଜୀଉଙ୍କ ବାହୁଟକଣ୍ଟ ସେବା ଦଇତାପତିଙ୍କ ଦ୍ବାରା ସମ୍ପାଦନ ହେବ। ରାତିରେ ପହୁଡ଼ ଆଳତି ପରେ ଏହି ନୀତି ଅନୁଷ୍ଠିତ ହେବ। ଏହି ଉପଲକ୍ଷେ ପ୍ରଥମେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଶ୍ରୀମୁଖକୁ ଶ୍ରୀମୁଖ ଖଣ୍ଡୁଆରେ ଆଛାଦିତ କରାଯିବ। ପରେ ଦଇତାପତି ସେବକମାନେ ବାହୁଟ କଣ୍ଟର ଗୋପନ ନୀତି ସଂପାଦନ କରିବେ। ମହାପ୍ରଭୁଙ୍କ ଭୁଜକୁ ସୁରକ୍ଷା ଦେବା ପାଇଁ ବଉଳ କାଠରେ ବାହୁଟ ନିର୍ମାଣ ହୋଇଥାଏ।

Advertisment

ଏହି ବାହୁଟ ନିର୍ମାଣ ପାଇଁ ଦଇତାପତିମାନେ କଣ୍ଟ ବା ମାପ କରିଛନ୍ତି। ଏହି ମାପରେ ସ୍ୱତନ୍ତ୍ର ମହାରଣାମାନେ ବାହୁଟ ନିର୍ମାଣ କରିଛନ୍ତି। ପରେ କୋଠ ସୁଆଁସିଆ ଚାରବନ୍ଧା ପାଇଁ ଶ୍ରୀମନ୍ଦିରରେ ପ୍ରବେଶ କରିବେ। କୋଠ ସୁଆଁସିଆ ବାହାରିବା ପରେ ଆସନ୍ତା ୧୩ ତାରିଖ ଭୋରରୁ ଦଇତାପତିମାନେ ସେନାପଟା ଲାଗି ପାଇଁ ଶ୍ରୀମନ୍ଦିରରେ ପ୍ରବେଶ କରିବେ। ସେନାପଟା ଲାଗି ଶେଷ ପରେ ଅନ୍ୟାନ୍ୟ ଦୈନନ୍ଦିନ ନୀତି ଆରମ୍ଭ ହେବ। ସଂଧ୍ୟା ଧୂପ ଶେଷ ପରେ ମହାପ୍ରଭୁଙ୍କ ଚଉଠି କର୍ମ ଅନୁଷ୍ଠିତ ହେବ। ଆସନ୍ତା ୧୪ ତାରିଖ ଦେବସ୍ନାନ ପୂର୍ଣିମା ନୀତି ପରେ ଶ୍ରୀମନ୍ଦିର ଅଣସର ପିଣ୍ଡିରେ ବିଗ୍ରହମାନେ ଅବସ୍ଥାନ କରିବେ। ତା'’ ପୂର୍ବରୁ ଅଣସର ପିଣ୍ଡିରେ ନୂତନ ବିଗ୍ରହଙ୍କ ଶ୍ରୀଅଙ୍ଗ ସେବାର ଅନେକ ଗୋପନୀୟ ସେବାକୁ ଦଇତାପତିମାନେ ସମ୍ପନ୍ନ କରିବାର ପରମ୍ପରା ରହିଛି।