ସୋମବାର ସ୍ନାନବେଦୀରେ ଦର୍ଶନ ଦେବେ ମହାପ୍ରଭୁ

ଶ୍ରୀମନ୍ଦିରରେ ପ୍ରବେଶ କଲେ ଦଇତା, ଶ୍ରୀଜିଉଙ୍କ ବାହୁଟକଣ୍ଟ ସଂପନ୍ନ, ବନ୍ଧା ହେଲା ଚାରମାଳ, ଦିନ ସାଢ଼େ ୧୧ଟା ଯାଏ ଦର୍ଶନ ବନ୍ଦ

ପୁରୀ : ସ୍ନାନଯାତ୍ରାର ଅବ୍ୟବହିତ ପୂର୍ବରୁ ଶ୍ରୀଜିଉଙ୍କ ଗୋପନ ‌ସେବା ପାଇଁ ଦଇତାମ‌ାନେ ଆଜି ଶ୍ରୀମନ୍ଦିରରେ ପ୍ରବେଶ କରିଛନ୍ତି। ଆଜିଠାରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ଶ୍ରୀଜିଉଙ୍କ ଶ୍ରୀଅଙ୍ଗ ରକ୍ଷକ ଦଇତାମାନେ ଶ୍ରୀଜିଉଙ୍କ ସମସ୍ତ ଗୋପନ ନୀତି ନିର୍ବାହ କରିବେ।

ଆଜି ଭୋରରୁ ମଙ୍ଗଳଆଳତୀ ସମୟରେ ଦଇତାପତିମାନେ ଗୋଷ୍ଠୀଗତ ଭାବେ ଶ୍ରୀମନ୍ଦିରରେ ପ୍ରବେଶ କରିଥିଲେ। ଆଜି ରାତିରେ ଶ୍ରୀଜିଉଙ୍କ ଶ୍ରୀଅଙ୍ଗ ରକ୍ଷା ପାଇଁ ବାହୁଟକଣ୍ଟ ଅନୁଷ୍ଠିତ ହେବ। ବାହୁଟକଣ୍ଟ ପରେ ଚାରମାଳ ବନ୍ଧା ସଂପନ୍ନ ‌ହେବ। ଆସନ୍ତାକାଲି ଦଇତାପତିମାନେ ମହାପ୍ରଭୁଙ୍କ ସେନାପଟା ଲାଗି କରିବେ। ସେନାପଟା ଲାଗି ପାଇଁ ଆସନ୍ତାକାଲି ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଦର୍ଶନ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ ରହିବ। ସେନାପଟା ଲାଗି ଓ ମହାପ୍ରଭୁଙ୍କ ଚଉଠି ହୋମ ସରିବା ପରେ ଶ୍ରୀଜିଉମାନେ ସୋମବାର ଦିନ ସ୍ନାନବେଦୀରେ ଉଭା ହୋଇ ଭକ୍ତଙ୍କୁ ଗଜାନନ ବେଶ(ହାତୀ ବେଶ)ରେ ଦର୍ଶନ ଦେବେ। ଏଥିପାଇଁ ପୁରୀରେ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ହୋଇଛି। ସ୍ନାନବେଦୀ ମରାମତି ଓ ଅନ୍ୟାନ୍ୟ ଆନୁସଙ୍ଗିକ ପ୍ରସ୍ତୁତି ଶେଷ ହୋଇଛି।

ପରମ୍ପରା ମୁତାବକ, ଆଜି ଭୋରରୁ ଦଇତାମାନେ ଶ୍ରୀମନ୍ଦିରରେ ପ୍ରବେଶ କରିଥିଲେ। ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ବଡ଼ସିଂହାର ଭୋଗ, ପହୁଡ଼ ଆଳତୀ ପରେ ଚତୁଦ୍ଧାମୂର୍ତ୍ତିଙ୍କ ଶ୍ରୀମୁଖ ଖଣ୍ଡୁଆରେ ଆଚ୍ଛାଦିତ କରାଯାଇଥିଲା। ଏହାପରେ ପ୍ରଭୁଙ୍କ ବାହୁଟକଣ୍ଟ ଗୋପନ ନୀତି ସମ୍ପାଦିତ ହୋଇଥିଲ‌ା। ମହାପ୍ରଭୁଙ୍କ ଶ୍ରୀଭୁଜକୁ ସୁରକ୍ଷା ଦେବା ପାଇଁ ବଉଳ କାଠରେ ବାହୁଟ ନିର୍ମାଣ କରାଯିବ। ବାହୁଟ ନିର୍ମାଣ ପାଇଁ ଦଇତାପତିମାନେ କଣ୍ଟ ବା ମାପ ଦେବେ। ଏହି ମାପରେ ସ୍ବତନ୍ତ୍ର ମହାରଣାମାନେ ଏହାକୁ ନିର୍ମାଣ କରିବେ। ବାହୁଟକଣ୍ଟ ନୀତି ପରେ କୋଠସୁଆଁସିଆଁ ସେବକମାନେ ରତ୍ନସିଂହାସନରେ ଚାର ବାନ୍ଧିବାକୁ ଗର୍ଭଗୃହକୁ ପ୍ରବେଶ କରିବେ। କୋଠ ସୁଆଁସିଆଁ ସେବକ ଚାରବାନ୍ଧି ବାହାରିବା ପରେ ଆସନ୍ତାକାଲି( ରବିବାର ଭୋରରୁ) ଦଇତାପତିମାନେ ସେନାପଟା ବାନ୍ଧିବାକୁ ପୁଣିଥରେ ଗର୍ଭଗୃହକୁ ପ୍ରବେଶ କରିବେ। ମହାପ୍ରଭୁଙ୍କ ଶ୍ରୀଅଙ୍ଗକୁ ସୁରକ୍ଷା ଦେବା ପାଇଁ ଏହି ସେନାପଟା ଲାଗି କରାଯିବ। ସେନାପଟ ମହାପ୍ରଭୁଙ୍କ ଗୋପନ ‌ସେବା ହୋଇଥିବାରୁ ଆସନ୍ତାକାଲି ଶ୍ରୀଜିଉଙ୍କ ଦର୍ଶନ ଦିନ ସାଢ଼େ ୧୧ଟା ପର୍ଯ୍ୟନ୍ତ ବନ୍ଦ ରହିବ।

ସମ୍ବନ୍ଧିତ ଖବର