ପୁରୀ :‌ ବହୁ ବାଦବିବାଦ ଭିତରେ ଦଇତାପତି ନିଯୋଗ ନିର୍ବାଚନ ଶେଷ ହୋଇଛି। ନିର୍ବାଚନ ବିପକ୍ଷ ଗୋଷ୍ଠୀଙ୍କ ଦୃଢ଼ ବିରୋଧ ସତ୍ତ୍ବେ ଆଜି ଦଇତାପତି ନିଯୋଗର ୧୫ ଜଣିଆ କମିଟି ନିର୍ବାଚିତ ହୋଇଛନ୍ତି। ସର୍ବାଧିକ ୯୨ ଭୋଟ ସହ ବାବୁଲି ତଥା ଦୁର୍ଗାପ୍ରସାଦ ଦାସ ମହାପାତ୍ର ଶୀର୍ଷରେ ରହିଥିବା ବେଳେ ୮୮ ଭୋଟ ସହ ଦ୍ବିତୀୟରେ ଗଣପତି ଦାସ ମହାପାତ୍ର (ବୁଢ଼ା) ଓ ୮୧ ଭୋଟ ସହ ତୃତୀୟରେ ସୂର୍ଯ୍ୟନାରାୟଣ ସ୍ବାଇଁ ମହାପାତ୍ର (ସୂର୍ଯ୍ୟ) ରହିଛନ୍ତି। ନିର୍ବାଚନ ବିପକ୍ଷ ଗୋଷ୍ଠୀର ‌ନେତୃତ୍ବ ନେଉଥିବା ତଥା ବର୍ଷ ବର୍ଷ ଧରି ସଭାପତି ଦାୟିତ୍ବ ତୁଲାଇ ଆସୁଥିବା ରାମକୃଷ୍ଣ ଦାସ ମହାପାତ୍ର (ଟିକିପୁଅ) ୬୪ ଭୋଟ ପାଇ ୧୫ ଜଣିଆ କମିଟିରେ ଦଶମ ସ୍ଥାନରେ ରହିଛନ୍ତି। ଦଇତାପତି ନିଯୋଗର ୧୫ ଜଣିଆ କମିଟି ନିର୍ବାଚନ ଫଳ ଘୋଷଣା ପରେ ଆଗାମୀ ୩ ଦିନ ଭିତରେ ସଭାପତି, ସଂପାଦକ ଓ କାର୍ଯ୍ୟକାରୀ ସଦସ୍ୟ ଚୟନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି।