ପୁରୀ : ଆଉ ଦଶଦିନ ପରେ ମହାପ୍ରଭୁଙ୍କ ଦେବସ୍ନାନ ପୂର୍ଣ୍ଣିମା। ୨୬ ଦିନ ପରେ ବିଶ୍ବପ୍ରସିଦ୍ଧ ରଥଯାତ୍ରା। ଦେବସ୍ନାନ ପୂର୍ଣ୍ଣିମାର ଦୁଇ ଦିନ ପୂର୍ବରୁ ଦଇତା ପ୍ରବେଶ, ଚାରମାଳ ବନ୍ଧା ଆଦି ନୀତି ସଂପନ୍ନ ହେବ। ଏଥିପାଇଁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି। ସ୍ନାନଯାତ୍ରା ଓ ରଥଯାତ୍ରାରେ ପ୍ରମୁଖ ଦାୟିତ୍ବ ନିଭାଉଥିବା ଦଇତାପତି ନିଯୋଗ ସହ ଆଜି ପୁଲିସ ପ୍ରଶାସନର ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ପହଣ୍ଡିର ଦୁଇଘଣ୍ଟା ପୂର୍ବରୁ ପରମାଣିକ ଦର୍ଶନ ଆରମ୍ଭ କରିବାକୁ ପ୍ରସ୍ତାବ ଦିଆଯାଇଛି। ସେହିଭଳି ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ସିଂହଦ୍ବାର ସହ ଅନ୍ୟ ସ୍ଥାନରେ ବଡ଼ ଏଲ୍ଇଡି ବ୍ୟବସ୍ଥା କରାଯିବ। ଅନ୍ୟପଟେ ଚଳିତବର୍ଷ ପରମାଣିକ ଦର୍ଶନ ପାଇଁ ୧୦୦ ଟଙ୍କା ଟିକେଟ୍ ଧାର୍ଯ୍ୟ ହୋଇଛି।
ଏସ୍ପି ଡ. କେ ବିଶାଲ ସିଂହଙ୍କ ଅଧ୍ୟକ୍ଷତାରେ ଆଜି ପୂର୍ବାହ୍ଣ ୧୧ଟାରେ ଅନୁଷ୍ଠିତ ବୈଠକରେ ଦଇତାପତି ନିଯୋଗର କର୍ମକର୍ତ୍ତାଙ୍କ ପରାମର୍ଶ ନିଆଯାଇଥିଲା। ବରିଷ୍ଠ ଦଇତାପତି ବିଶ୍ବାବସୁ ବିନାୟକ ଦାସମହାପାତ୍ର କହିଛନ୍ତି, ପ୍ରତିବର୍ଷ ପରମାଣିକ ଦର୍ଶନ ବିଳମ୍ବ ହେଉଥିବାରୁ ପହଣ୍ଡି ବେଳେ ଭକ୍ତମାନେ ଶ୍ରୀମନ୍ଦିରରେ ରହିଯାଆନ୍ତି। ଏହା ଦ୍ବାରା ପହଣ୍ଡି ବେଳେ ଶ୍ରୀମନ୍ଦିର ଭିତରେ ଭିଡ଼ ଭିତରେ ମହାପ୍ରଭୁ ପଡ଼ିଯିବାର ବି ସମ୍ଭାବନା ରହିଥାଏ। ମଙ୍ଗଳ ଆଳତି ସରିବା ପରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଭକ୍ତଙ୍କୁ ଛାଡ଼ିବା ଏହାର ପ୍ରମୁଖ କାରଣ ସାଜିଥାଏ। କାରଣ ମଙ୍ଗଳ ଆଳତି ନ ସରିବା ପର୍ଯ୍ୟନ୍ତ ଭକ୍ତଙ୍କୁ ଶ୍ରୀମନ୍ଦିରରେ ବାହାରେ ଅଟକାଇ ରଖାଯାଇଥାଏ। ଏହାଦ୍ବାରା କେବଳ ଶ୍ରୀମନ୍ଦିର ଭିତରେ ଭିଡ଼ ହୁଏନି, ପରମାଣିକ ଦର୍ଶନର କଳାବଜାରର ବି ଅଭିଯୋଗ ଆସେ। ଭକ୍ତମାନେ ଶୋଷଣର ଶିକାର ହୁଅନ୍ତି। ଏହାକୁ ଦୃଷ୍ଟିରେ ରଖି ରଥଯାତ୍ରା ହେଉ କି ସ୍ନାନଯାତ୍ରା, ପହଣ୍ଡିର ଦୁଇ ଘଣ୍ଟା ଆଗରୁ ପରମାଣିକ ଟିକେଟ୍ କାଟିଥିବା ଭକ୍ତଙ୍କୁ ଦର୍ଶନ ପାଇଁ ଛାଡ଼ିବାର ବ୍ୟବସ୍ଥା କରିବାକୁ ପ୍ରସ୍ତାବ ଦିଆଯାଇଛି ବୋଲି ଶ୍ରୀ ଦାସମହାପାତ୍ର କହିଛନ୍ତି। ସେହିଭଳି ସ୍ନାନଯାତ୍ରା ସମୟରେ ଭିଡ଼ ଭିତରେ ଭକ୍ତମାନେ ଶ୍ରୀଜିଉଙ୍କୁ ସଠିକ୍ ଦର୍ଶନ କରିପାରନ୍ତିନି। ଏଣୁ ଯେଉଁ ଭକ୍ତମାନେ ସାହାଣମେଲା ଦର୍ଶନରୁ ବଞ୍ଚିତ ହେଉଛନ୍ତି, ସେମାନେ ପାଖରୁ ମହାପ୍ରଭୁଙ୍କୁ ଦେଖିବା ପାଇଁ ଏଲ୍ଇଡିର ବ୍ୟବସ୍ଥା କରିବାକୁ ପ୍ରସ୍ତାବ ଦିଆଯାଇଛି। ଶ୍ରୀ ଦାସମହାପାତ୍ର କହିଛନ୍ତି, ପ୍ରତିବର୍ଷ ବାହାର ପୁଲିସମାନେ ସ୍ନାନଯାତ୍ରା ଓ ରଥଯାତ୍ରା ସମୟରେ ଶ୍ରୀମନ୍ଦିର ଚତୁଃପାର୍ଶ୍ବରେ ଜଗି ରହୁଥିବାରୁ ଅନେକ ସମୟରେ ଏମାନେ ନୀତି ସଂପୃକ୍ତ ସେବକଙ୍କୁ ଅଟକାଇ ନୀତିରେ ବିଳମ୍ବ ଘଟାଉଛନ୍ତି। ଏହି ବିଭ୍ରାଟ ଯେଭଳି ଚଳିତ ବର୍ଷ ନ ହେବ, ସେ ଦୃଷ୍ଟିରୁ ସ୍ଥାନୀୟ ପୁଲିସଙ୍କୁ ଶ୍ରୀମନ୍ଦିର ଚତୁଃପାର୍ଶ୍ବରେ ଜଗାଇବାକୁ ପ୍ରସ୍ତାବ ଦିଆଯାଇଛି। ଅନ୍ୟପଟେ ଆଜିଠାରୁ ଦଇତାପତି ସେବକ ସହ ଅନ୍ୟମାନଙ୍କୁ ପୁରୀ ପୁଲିସ ପକ୍ଷରୁ ଦୁଇ ଚକିଆ ଯାନର ପାସ ବଣ୍ଟନ କରାଯାଇଛି।
ଆଜିର ବୈଠକରେ ଦଇତାପତି ନିଯୋଗର ସଭାପତି ଜଗନ୍ନାଥ ଦାସମହାପାତ୍ର, ସଂପାଦକ ରାମକୃଷ୍ଣ ଦାସମହାପାତ୍ର, ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ଦୁର୍ଗାପ୍ରସାଦ ଦାସମହାପାତ୍ର, ପୂର୍ବତନ ପରିଚାଳନା କମିଟି ସଦସ୍ୟ ରାମଚନ୍ଦ୍ର ଦାସମହାପାତ୍ରଙ୍କ ସହ ଅନ୍ୟ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ।