ଆଖିବୁଜିଲେ ଦଇତାପତି ପ୍ରେମାନନ୍ଦ

ପୁରୀ : ଶ୍ରୀମନ୍ଦିର ପରିଚାଳନା କମିଟିର ପୂର୍ବତନ ସଦସ୍ୟ ତଥା ଶୁଦ୍ଧ ସୁଆର ନିଯୋଗ ସଂପାଦକ ପ୍ରେମାନନ୍ଦ ଦାସମହାପାତ୍ରଙ୍କ ଆଜି ପରଲୋକ ଘଟିଛି। ତାଙ୍କୁ ୬୪ ବର୍ଷ ହୋଇଥିଲା। ପୁରୀ ସ୍ବର୍ଗଦ୍ବାରଠାରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି। ସେ କରୋନାରେ ଆକ୍ରାନ୍ତ ହୋଇ ଭୁବନେଶ୍ବରରେ ଚିକିତ୍ସିତ ହୋଇଥିଲେ। ଦୁଇଦିନ ତଳେ ସୁସ୍ଥ ହୋଇ ଶ୍ରୀ ଦାସମହାପାତ୍ର ଘରକୁ ଫେରିଥିଲେ।

ସ୍ବର୍ଗତ ମହାପାତ୍ର ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ରହିବା ସହ ବହୁଦିନ ଦଇତାପତି ନିଯୋଗର ସଂପାଦକ ରହିଥିଲେ। ଗତ ନିର୍ବାଚନରେ ଦଇତାପତି ନିଯୋଗ ସଂପାଦକ ପଦ ପାଇଁ ଲଢ଼ି ହାରିବା ପରେ ସେ ଶୁଦ୍ଧ ସୁଆର ନିଯୋଗର ସଂପାଦକ ପାଇଁ ଲଢ଼ି ବିଜୟୀ ହୋଇଥିଲେ। ସ୍ବର୍ଗତ ମହାପାତ୍ର କରୋନାରେ ଆକ୍ରାନ୍ତ ହେବା ପରେ ଭୁବନେଶ୍ବରସ୍ଥିତ ହାଇଟେକ୍‌ ମେଡିକାଲ୍‌ରେ ୧୫ରୁ ଅଧିକ ଦିନ ହେବ ଚିକିତ୍ସାଧୀନ ଥିଲେ। ଦୁଇଦିନ ତଳେ ସେ ପୁରୀ ଫେରିବା ସହ ସ୍ବର୍ଗଦ୍ବାର ନିକଟ ତାଙ୍କ ମହାଭବନ ଘରେ ପୃଥକ୍‌ବାସରେ ରହୁଥିଲେ। ଆଜି ସକାଳେ ସେ ନିଃଶ୍ବାସପ୍ରଶ୍ବାସ ନେବାରେ କଷ୍ଟ ଅନୁଭବ କରିଥିଲେ। ପରିବାର ଲୋକେ ଡାକ୍ତରଖାନା ନେବା ବାଟରେ ସକାଳ ପ୍ରାୟ ୭ଟା ୧୫ ମିନିଟ୍‌ରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା।

ପ୍ରେମାନନ୍ଦ ଦାସମହାପାତ୍ରଙ୍କ ବିୟୋଗରେ ଆଇନ ମନ୍ତ୍ରୀ ପ୍ରତାପ ଜେନା ଗଭୀର ଶୋକ ପ୍ରକାଶ କରିଛନ୍ତି। ମନ୍ତ୍ରୀ ଶ୍ରୀ ଜେନା ତାଙ୍କ ଶୋକବାର୍ତ୍ତାରେ କହିଛନ୍ତି, ବିଶ୍ବପ୍ରସିଦ୍ଧ ରଥଯାତ୍ରାଠାରୁ ଆରମ୍ଭ କରି ଶ୍ରୀମନ୍ଦିରର ନୀତିକାନ୍ତି ପରିଚାଳନା କ୍ଷେତ୍ରରେ ସ୍ବର୍ଗତ ଦାସମହାପାତ୍ରଙ୍କ ମହତ୍ତ୍ବପୂର୍ଣ୍ଣ ଅବଦାନ ଥିଲା। ଦେବୀ ସୁଭଦ୍ରାଙ୍କ ବାଡ଼ଗ୍ରାହୀ ଭାବେ ସ୍ବର୍ଗତ ଦାସମହାପାତ୍ର ନିଷ୍ଠାପର ଭାବେ ସେବା କରି ଆସୁଥିଲେ। ‌ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ମନ୍ତ୍ରୀ ‌ଶ୍ରୀ ଜେନା ସମବେଦନା ଜଣାଇଛନ୍ତି।

ସମ୍ବନ୍ଧିତ ଖବର