ଶେଷରେ ଦଇତାଙ୍କ ଜିଦ୍‌ ରହିଲା : ଜିଲ୍ଲାପାଳ, ଏସ୍‌ପିଙ୍କୁ ବାଦ୍‌ ଦେଇ ହେଲା ବୈଠକ

ପୁରୀ : ଆଲୋଚନା ହେବ ତ କେବଳ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସହିତ ହେବ। ଜିଲ୍ଲା ପ୍ରଶାସନର କେହି ବରିଷ୍ଠ ଅଧିକାରୀ ବୈଠକରେ ରହିଲେ ଆଲୋଚନା ହେବନି। ଗତକାଲି ଦଇତା ନିଯୋଗର ଏପ୍ରକାର ରୋକଠୋକ୍‌ ଚରମବାଣୀକୁ ଆଜି ଶ୍ରୀମନ୍ଦିର ପ୍ରଶାସନ ମାନି ନେଇଛି। ଦଇତାଙ୍କ ଜିଦ୍‌ ରହିଛି। ପ୍ରଥମ ଥର ପାଇଁ ଦଇତା ନିଯୋଗ ବୈଠକରେ ପୁରୀ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ ଓ ଏସ୍‌ପି ସାର୍ଥକ ଷଡ଼ଙ୍ଗୀଙ୍କୁ ଦୂରେଇ ରଖାଯାଇଛି। ଅନ୍ୟପକ୍ଷରେ ରଥଯାତ୍ରା ପୂର୍ବରୁ ଜଟିଳ ପରିସ୍ଥିତିକୁ ଏଡାଇବା ପାଇଁ ଜିଲ୍ଲାପାଳ ଓ ଏସ୍‌ପି ଆପଣାଛାଏଁ ଦଇତା ନିଯୋଗର ନିଷ୍ପତ୍ତିକୁ ମାନି ନେଇଥିବା ଆଲୋଚିତ ହେଉଛି।

ଆଜି ଦେବସ୍ନାନ ପୂର୍ଣ୍ଣିମା ଓ ରଥଯାତ୍ରାକୁ ନେଇ ଦଇତା ନିଯୋଗ ସହିତ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କର ଏକ ଗୁରୁତ୍ଵପୂର୍ଣ୍ଣ ଆଲୋଚନା ଅନୁଷ୍ଠିତ ହୋଇଥିଲା। ବୈଠକରେ ଦଇତାଙ୍କ ପ୍ରାପ୍ୟ ପାଉଣାକୁ ନେଇ ପ୍ରବଳ ହୋହଲ୍ଲା ହୋଇଥିଲା। ମହାପ୍ରଭୁଙ୍କ ପଣା ଭୋଗରେ ପ୍ରଶାସନର ଟାଳଟୁଳ ନୀତିକୁ ଦଇତାମାନେ ଗ୍ରହଣ କରିନଥିଲେ। ଭୋଗରେ କାଣ୍ଟଛାଣ୍ଟ ନ କରି ଏହାକୁ ବଢାଇବାକୁ ଦଇତାମାନେ ଦାବି କରିଥିଲେ। ଏମିତିକି ଦଇତା ସେବକଙ୍କୁ ଦିଆଯାଉଥିବା ଲୁଗାକୁ ନେଇ ମଧ୍ୟ ପାଟିତୁଣ୍ଡ ହୋଇଥିଲା। ସେବକମାନେ ଲୁଗା ବାବଦରେ ମିଳୁଥିବା ପାଉଣା ବଢାଇବାକୁ ଦାବି କରିଥିଲେ। ତେବେ ମହାପ୍ରଭୁଙ୍କ ନୀତିରେ ସବୁପ୍ରକାର ସହଯୋଗ କରିବେ ବୋଲି ଦଇତାମାନେ ପ୍ରତିଶ୍ରୁତି ଦେଇଥିଲେ। ଦଇତାମାନେ କ’ଣ ଟିକେ ଭୁଲ କଲେ ସେମାନଙ୍କୁ ସମାଲୋଚନା କରାଯାଉଛି। ଦଣ୍ଡ ମଧ୍ୟ ମିଳୁଛି। ଅତୀତରେ ଭଲ କାମ କରିଥିଲେ ବି ସେମାନଙ୍କୁ କାହିଁକି ପ୍ରଶଂସା ମିଳୁନାହିଁ ବୋଲି କିଛି ଦଇତା ପ୍ରଶ୍ନ କରିଥିଲେ। ବୈଠକରେ ଗତ ନିଳାଦ୍ରୀ ବିଜେ ବୈଠକ କଥା ମଧ୍ୟ ଉଠିଥିଲା। ଗତବର୍ଷ ନିଳାଦ୍ରୀ ବିଜେ ନୀତିରେ ଦଇତାମାନେ ୫୦ ବର୍ଷର ରେକର୍ଡ ଭାଙ୍ଗି ମହାପ୍ରଭୁଙ୍କୁ ଠିକ୍‌ ସମୟରେ ପହୁଡ କରିଥିଲେ। ମାତ୍ର ସେମାନଙ୍କୁ ଏଥି ପାଇଁ କେହି ପ୍ରଶଂସା କରିନଥିଲେ। ଆଜିର ବୈଠକରେ ରଥଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ଆଲୋଚନା ହୋଇଥିଲା। ପ୍ରାପ୍ୟ ପାଉଣା ଓ କଟକଣା ସଂପର୍କରେ ବି ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ହୋଇଥିଲା। ତେବେ ଦଇତାମାନେ ରଥଯାତ୍ରା ବେଳେ ଲଗାଉଥିବା ଦାନବାକ୍ସ ଏଥର ଲଗାଇ ପାରିବେ ନାହିଁ। କୌଣସି ଭକ୍ତଙ୍କୁ ଦାନ ଦକ୍ଷିଣା ପାଇଁ ବାଧ୍ୟ କରିପାରିବେ ନାହିଁ। ଏ ନେଇ ଦୀର୍ଘ ତିନି ଘଣ୍ଟାର ଆଲୋଚନାରୁ ସେଭଳି କିଛି ନିର୍ଯାସ ବାହାରି ପାରିନଥିଲା। ଅଧାରୁ ଅଧିକ ଦଇତା ବୈଠକ ଅଧାରୁ ଉଠି ପଳାଇଥିବା ଦେଖିବାକୁ ମିଳିଥିଲା। ଆସନ୍ତା ୨୩ ତାରିଖରେ ଦଇତାଙ୍କ ପରବର୍ତ୍ତୀ ବୈଠକ ଅନୁଷ୍ଠିତ ହେବ। ଏଥିରେ ଦଇତାଙ୍କ ପ୍ରାପ୍ୟ ପାଉଣା ନେଇ ଆଲୋଚନା ସଫଳ ହେବ ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର