ଅସ୍ତରଙ୍ଗ : ଅସ୍ତରଙ୍ଗ ବ୍ଲକ୍‌ ଅଫିସ୍‌ ସମ୍ମୁଖରେ ଥିବା ପୂର୍ତ୍ତ ବିଭାଗର ଡାକବଙ୍ଗଳା ଏବେ ଭୂତକୋଠିରେ ପରିଣତ ହୋଇଛି। ରକ୍ଷଣାବେକ୍ଷଣ ଅଭାବରୁ ଦୀର୍ଘ ୧୦ ବର୍ଷ ହେବ ଏହା କାମରେ ଆସୁ ନ ଥିବା ସ୍ଥାନୀୟ ଲୋକେ ସୂଚନା ଦେଇଛନ୍ତି। ବାରମ୍ବାର ଅଭିଯୋଗ କଲେ ମଧ୍ୟ ଏହାର ମରାମତି କରାଯାଉ ନାହିଁ। ଏହି ବଙ୍ଗଳାରେ ଥିବା କୋଠରୀ ସବୁ ପରିତ୍ୟକ୍ତ ଅବସ୍ଥାରେ ପଡ଼ି ରହିଛି। ବ‌ାହାରେ ଅନାବନା ଗଛ ଉଠି ଜଙ୍ଗଲ ଭଳି ପରିବେଶ ସୃଷ୍ଟି ହୋଇଛି। ଫଳରେ ମଶା, ମୂଷା ଓ ବିଷଧର ସର୍ପଙ୍କ ଏହା ଏନ୍ତୁଡ଼ିଶାଳ ପାଲଟିଛି। ସରକାରୀ ବାବୁମାନେ ଆସିଲେ କାକଟପୁର ଡାକବଙ୍ଗଳା ଦରକାର ପଡ଼ୁଥିବାବେଳେ ବିଶ୍ରାମ ନେବାକୁ ଅସ୍ତରଙ୍ଗରେ ସ୍ଥାନ ନାହିଁ। ଡାକବଙ୍ଗଳାର ମରାମତି ପାଇଁ ଟଙ୍କାଟିଏ ବ୍ୟୟବରାଦ ନ ହେବାରୁ ପୁନରୁଦ୍ଧାର କାର୍ଯ୍ୟ ହୋଇପାରୁନଥିବା କୁହାଯାଉଛି। ଫଳରେ ପରିତ୍ୟକ୍ତ ଅବସ୍ଥାରେ ଥିବା ବଙ୍ଗଳାରେ ଏବେ ତାଲା ଝୁଲୁଛି। ଦିନ ଥିଲା ଅତିଥିମାନେ ବଙ୍ଗଳାରେ ରାତ୍ରି ଯାପନ କରୁଥିଲେ। କିନ୍ତୁ ଅତିଥିଙ୍କ ବିଶ୍ରାମ କକ୍ଷ ଏବେ ଭୂତକୋଠି ପାଲଟିଛି।

Advertisment

publive-image

ସେହିପରି ପୂର୍ତ୍ତ ବିଭାଗ ପକ୍ଷରୁ ବର୍ଷକ ତଳେ ଅସ୍ତରଙ୍ଗ ପଞ୍ଚାୟତକୁ ହସ୍ତାନ୍ତର ହୋଇଥିବା ଜ୍ଞାନଦେବୀ କଲ୍ୟାଣମଣ୍ଡପ କୌଣସି କାମରେ ଲାଗୁନି। ମଣ୍ଡପର ନିର୍ମାଣ କାର୍ଯ୍ୟ ସରିବା ପୂର୍ବରୁ ଠିକାଦାର ଓ ପୂର୍ତ୍ତବିଭାଗ ମଧ୍ୟରେ ବିବାଦୀୟ ପରିସ୍ଥତି ଉପୁଜିବାରୁ ତରବରିଆ ଭାବେ କାର୍ଯ୍ୟ ସାରି ପଞ୍ଚାୟତକୁ ହସ୍ତାନ୍ତର ହୋଇଥିଲା। ମାତ୍ର ମଣ୍ଡପର ଭିତରେ ଓ ବାହାରେ ବହୁ କାର୍ଯ୍ୟ ବାକି ଥିବାରୁ ଏହା ବ୍ୟବହାର ଉପଯୋଗୀ ହୋଇପାରୁନି। ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ରନାଥ ନାୟକଙ୍କ ସମୟରେ ମଣ୍ଡପର ଶୁଭ ଦିଆଯାଇଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମା’ଙ୍କ ନାଁରେ କଲ୍ୟାଣମଣ୍ଡପଟି ନାମିତ ହୋଇଥିଲା। ମାତ୍ର ମଣ୍ଡପଟି କାର୍ଯ୍ୟକ୍ଷମ ହୋଇ ପାରି ନାହିଁ।