ଭଞ୍ଜନଗର: ନବ କଳିଙ୍ଗର ଐର ଖାରବେଳ, କଳିଙ୍ଗ ବୀର, ଝଡ଼ର ଇଗଲ୍‌, ଉତ୍କଳ ମାଟିର ବୀରପୁତ୍ର ଏଭଳି ଅନେକ ପରିଚୟ ଥିଲେ ମଧ୍ୟ ଓଡ଼ିଶାର ପ୍ରତିଟି ଜନମାନସରେ ସେ ବିଜୁବାବୁ ଭାବେ ଅତି ପରିଚିତ। ପ୍ରବାଦପୁରୁଷ ବିଜୁ ପଟ୍ଟନାୟକ ଜାତି ଆଉ ମାଟି ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିବା ସହ ଜାତୀୟ ରାଜନୀତିର ଅପ୍ରତିଦ୍ବନ୍ଦ୍ବୀ ଜନପ୍ରତିନିଧି ଭାବେ ନିଜକୁ ପ୍ରତିଷ୍ଠିତ କରିଥିଲେ। ଓଡ଼ିଶାର ଜନମାନସର ନେତା ବିଜୁ ପଟ୍ଟନାୟକଙ୍କୁ ଆଜି ବି ଝୁରୁଝି ତାଙ୍କ ପୈତୃକ ଗାଁ ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବ୍ଲକ୍ ଅଧୀନ ଘୁମୁସରନୂଆଗାଁ।

Advertisment

ଓଡ଼ିଶାକୁ ସାର ବିଶ୍ବରେ ପରିଚିତ କରାଇଥିବା ଏହି ମହାପୁରୁଷଙ୍କ ନିଜ ଭିଟାମାଟି ଏବେ କେବଳ ତାଙ୍କ ସ୍ମୃତିକୁ ସାଉଁଟୁଛି। ଗୋଟିଏପଟେ ରାଜ୍ୟ ସରକାର ବିଜୁବାବୁଙ୍କ ଜୟନ୍ତୀ ପାଳନ ଅବସରରେ ତାଙ୍କ ବୀରତ୍ବର ପରିଚୟ ଡାକୋଟା ବିମାନକୁ କୋଲକାତାରୁ ଭୁବନେଶ୍ବରର ଆଣି ଅବସ୍ଥାପିତ କରିବା ସହ ଏହାର ଆଧୁନିକୀକରଣ ଓ ନବକଳେବର କରିଛନ୍ତି। ଯାହାକି ଆସନ୍ତାକାଲି ଲୋକାର୍ପିତ ହେବାକୁ ଯାଉଛି। କିନ୍ତୁ ବିଜୁବାବୁଙ୍କ ଜୀବନର ଅନେକ ସମୟ କଟିଥିବା ପୈତୃକ ଗାଁ ଓ ଘର କଥା ଯେପରି ଭୁଲିଯାଇଛନ୍ତି। ପ୍ରଶାସନ ମଧ୍ୟ ସ୍ମୃତିରକ୍ଷା ପାଇଁ କେବେ ଉତ୍ସାହ ଦେଖାଇନାହିଁ।

ଆଜି ବି ବିଜୁବାବୁଙ୍କୁ ଝୁରୁଛି ଘୁମୁସରନୂଆଗାଁ
୫ ବେଡ୍‌ରୁମ୍‌ ଗାଁ ଘରର ଦୁଆରବନ୍ଧ ବିଜୁ ବାବୁଙ୍କ ଅନୁସାରେ ଉଚ୍ଚ

ବିଜୁବାବୁଙ୍କ ପାରିବାରିକ, ସାମାଜିକ ଓ ରାଜନୈତିକ ଜୀବନ ସହ ଗଞ୍ଜାମ ଜିଲ୍ଲା ଅଙ୍ଗାଙ୍ଗୀ ଭାବେ ଜଡ଼ିତ। ତନ୍ମଧ୍ୟରୁ ପୈତୃକଗ୍ରାମ ଘୁମୁସରନୂଆଗାଁରେ ବିଜୁବାବୁଙ୍କ ଅନେକ ସମୟ ବିତିଛି। ଗ୍ରାମର ସବୁ ଲୋକଙ୍କ ଦୁଃଖସୁଖର ସେ ସାଥୀ ହୋଇଛନ୍ତି। ଜିଲ୍ଲାକୁ ଆସିଲେ ପୈତୃକ ଗ୍ରାମର ଘରକୁ ସେ ଆସିବାକୁ ଭୁଲୁ ନଥିଲେ। ରହିବା ପାଇଁ ବଡ଼ନଦୀତଟରେ ସୁନ୍ଦର ଘର ତିଆରି କରିଥିଲେ। ପ୍ରାୟ ସମୟ‌ରେ ନିଜ‌େ ଏକୁଟିଆ ବି ସାଇକେଲ୍ ଧରି ବୁଲୁଥିଲେ। ନିଜ ବଡ଼ବାପା ପୁଅ ଭାଇଙ୍କୁ ମିଶିବା ସହ ଗାଁରେ ବୁଲାବୁଲି କରୁଥିଲେ। ଆଉ ଗ୍ରାମବାସୀ ବି ସେମାନଙ୍କ ଗୁହାରି ଜଣାଉଥିଲେ। ତେବ‌େ ଏହି ଗୃହ ଆଜି ଅଲୋଡ଼ା ହୋଇ ପଡ଼ିରହିଛି।

ବିଜୁବାବୁଙ୍କ ଦାଦାପୁଅ ଭାଇ ବିନାୟକ ପଟ୍ଟନାୟକ ଓ ଭଗବାନ ପଟ୍ଟନାୟକ ଜି.ନୂଆଗାଁରେ ରହୁଥିଲେ। ଭଗବାନ ପଟ୍ଟନାୟକଙ୍କ ପୁଅ ପ୍ର‌ମୋଦ ପଟ୍ଟନାୟକଙ୍କ କହିବାନୁଯାୟୀ, ବିଜୁବାବୁ ଏଠାରେ ରହିବା ପାଇଁ ସ୍ବତନ୍ତ୍ର ଗୃହ ନିର୍ମାଣ କରିବାକୁ ଭାଇ ବିନାୟକଙ୍କୁ କହିଥିଲେ। ଏହାପରେ ସେଠାରେ ବିନା ପିଲର୍‌ରେ କେବଳ ଲୁହା ପାଇପ୍ ସାହାଯ୍ୟରେ ଇଟାକାନ୍ଥରେ ଘର ନିର୍ମାଣ କରା ଯାଇଥିଲା। ଉପରେ ଛାତ ବଦଳରେ ପଡ଼ିଥିଲା ଆଜବେଷ୍ଟସ୍‌। ସେଠାରେ ୫ଟି ବେଡ୍‌ରୁମ, ରୋଷେଇଗୃହ, ମଝିରେ ଅଗଣା ସମେତ ଏକାଧିକ କୋଠରି ନିର୍ମାଣ କରା ଯାଇଥିଲା।

ଖାସ୍‌ କରି ବିଜୁବାବୁଙ୍କ ପାଇଁ ଘରର ଦୁଆରବନ୍ଧ ଗୁଡ଼ିକ ବହୁତ ଉଚ୍ଚ ମଧ୍ୟ କରା ଯାଇଥିଲା। କାଠର ତିଆରି ଖଟ ଓ ବିଭିନ୍ନ ଆସବାବପତ୍ର ରହିଥିଲା। ବିଜୁ ବାବୁ ‌ଏଠାରେ ବହୁ ଦିନ ରହୁଥିବା ବ‌େଳେ କେତେକ ପର୍ବପର୍ବାଣୀରେ ମଧ୍ୟ ଯୋଗ ଦେଇଛନ୍ତି। ଏଥିସହ ବହୁ ରାଜନେତା ଓ ସ୍ଥାନୀୟ ଲୋକ ତାଙ୍କୁ ସାକ୍ଷାତ କରିବାକୁ ଆସୁଥିଲେ। ଅଞ୍ଚଳର ବହୁ ବ୍ୟକ୍ତିଙ୍କୁ ବିଜୁବାବୁ ସହାୟତା କରିବା ସହ ପରିବାରର କେତେକ ଭାଇଙ୍କୁ ପାଠପଢ଼ା ସମେତ ଅନେକ ସମୟରେ ସାହାଯ୍ୟ କରିଥି‌ଲେ। ଏଥିସହ ଏହି ଅଞ୍ଚଳର ବିକାଶରେ ମଧ୍ୟ ତାଙ୍କର ବହୁ ଅବଦାନ ରହିଥିଲା। ଗାଁକୁ ବିଜୁବାବୁ କେବେ ଭୁଲି ପାରୁ ନଥିଲେ ବୋଲି କିଛି ବରିଷ୍ଠ ନାଗରିକ କହିଛନ୍ତି।  କିନ୍ତୁ ବିଜୁବାବୁଙ୍କ ସ୍ମୃତି ହୋଇ ରହିଥିବା ଗୃହ ଆଜି ବି ଅଲୋଡ଼ା ହୋଇ ପଡ଼ିଛି। ଏହାର ସ୍ମୃତିରକ୍ଷା ତଥା ଏହି ଘରକୁ ବିଜୁ ସ୍ମୃତିଭବନ କରିବାରେ ରାଜ୍ୟ ସରକାର ପଦକ୍ଷେପ ନେବା ପାଇଁ ଦାବି ହୋଇଛି।