ବିମାନବନ୍ଦର ନିକଟରେ ହିଁ ରହିବ ଡାକୋଟା: ମନ୍ତ୍ରୀ

‘କଟକ ଆନନ୍ଦଭବନ ସାମ୍ନାରେ ରହୁ’

ଭୁବନେଶ୍ବର : ବିଜୁବାବୁଙ୍କ ପ୍ରିୟ ବିମାନ ‘ଡାକୋଟା’କୁ କୋଲକାତାରୁ ଭୁବନେଶ୍ବର ଆଣିବା ପାଇଁ ରାଜ୍ୟ ସରକାର ପୁଣି ଉଦ୍ୟମ ଆରମ୍ଭ କରିଛନ୍ତି। ହେଲେ, ବିମାନ ଆସିଲେ ଭୁବନେଶ୍ବରରେ ନା କଟକରେ ରହିବ, ଦ୍ବନ୍ଦ୍ବ ଲାଗି ରହିଛି। ଏନେଇ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ମୁହଁ ଖୋଲିଛନ୍ତି। ମନ୍ତ୍ରୀ ଶ୍ରୀ ବେହେରା କହିଛନ୍ତି ଯେ ଡାକୋଟା ବିମାନ ପାଇଁ ଜାଗା ଚିହ୍ନଟ ସରିଛି। ଏହାକୁ ଭୁବନେଶ୍ବର ବିମାନବନ୍ଦରରେ ଥିବା ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ନିକଟରେ ରଖାଯିବ। ଏ ସମ୍ପର୍କରେ ରାଜ୍ୟ ସରକାର ଭାରତୀୟ ବିମାନବନ୍ଦର କର୍ତ୍ତୃପକ୍ଷଙ୍କୁ ଚିଠି ଲେଖିଥିଲେ। ଏବେ ପୁଣି ଚିଠି ଲେଖି ଶୀଘ୍ର ଅନୁମତି ଦେବାକୁ ‌କୁହାଯାଇଛି। ଆଶା କରୁଛୁ, ଖୁବ୍‌ଶୀଘ୍ର ଅନୁମତି ମିଳିଯିବ। ସେହିପରି ଡାକୋଟା ବିମାନ କିପରି କୋଲକାତାରୁ ଭୁବନେଶ୍ବର ଆସିବ, ସେ ବ୍ୟବସ୍ଥା ପୂର୍ତ୍ତ ବିଭାଗ କରିବ। ପୂର୍ତ୍ତ ବିଭାଗକୁ ଶୀଘ୍ର ଟେଣ୍ଡର୍‌ ଆହ୍ବାନ କରିବାକୁ କୁହାଯାଇଛି। ଟେଣ୍ଡର୍‌ ପ୍ରକ୍ରିୟା ଶେଷ ହେଲେ ଡାକୋଟାକୁ ଭୁବନେଶ୍ବର ଅଣାଯିବ ବୋଲି ସେ କହିଛନ୍ତି।

‘କଟକ ଆନନ୍ଦଭବନ ସାମ୍ନାରେ ରହୁ’
କଟକ : ବିଜୁ ବାବୁଙ୍କ ଐତିହାସିକ ଡାକୋଟା ବିମାନକୁ କୋଲକାତାରୁ ଓଡ଼ିଶା ଆଣିବା ପାଇଁ ରାଜ୍ୟ ସରକାର ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଏହାକୁ ବିଭିନ୍ନ ମହଲରେ ସ୍ବାଗତ କରାଯାଉଥିବା ବେଳେ ଭୁବନେଶ୍ବର ନେବାପାଇଁ ଯେଉଁ ମତ ସାମ୍‌ନାକୁ ଆସିଛି, ତାହାକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି କଟକର ନେତା, ବୁଦ୍ଧିଜୀବୀ ତଥା ଐତିହାସିକ। ବିଜୁଙ୍କ ଡାକୋଟା ବିମାନକୁ କଟକରେ ନ ରଖି ଅନ୍ୟ କେଉଁଠି ରଖିବାର ଚିନ୍ତା ଏବେ ଆସୁଛି କାହିଁକି ବୋଲି ସେମାନେ ପ୍ରଶ୍ନ କରିଛନ୍ତି। କଟକରେ ବିଜୁବାବୁଙ୍କ ଜନ୍ମସ୍ଥାନ ଆନନ୍ଦ ଭବନକୁ ସଂଗ୍ରହାଳୟରେ ପରିଣତ କରାଯାଇଛି। ଠିକ୍‌ ତା’ ସାମ୍‌ନାରେ ଡାକୋଟା ବିମାନକୁ ଆଣି ରଖିବା ପାଇଁ ବହୁପୂର୍ବରୁ ଜାଗା ଚିହ୍ନଟ ସହିତ ଅଧିକାରୀସ୍ତରୀୟ ଯାଞ୍ଚ ବି ହୋଇଛି। ଏବେ ତାହାକୁ ନେଇ ବିରୋଧାଭାସ ସୃଷ୍ଟି ହେବାର କୌଣସି କାରଣ ନାହିଁ ବୋଲି କଟକରେ ଦୃଢ ମତ ପ୍ରକାଶ ପାଇଛି।

ଏ ସଂପର୍କରେ ରାଜ୍ୟସଭା ସାଂସଦ ସୁବାସ ସିଂହ କହିଛନ୍ତି ଯେ ବିଜୁବାବୁଙ୍କ ଜନ୍ମ, ପାଠପଢ଼ା, ସ୍ବାଧୀନତା ସଂଗ୍ରାମରେ ଯୋଗଦାନ ସବୁ କଟକରେ। ଏପରିକ ତାଙ୍କ ରାଜନୈତିକ ଜୀବନ କଟକରୁ ହିଁ ଆରମ୍ଭ ହୋଇଛି। ତାଙ୍କ ଜନ୍ମସ୍ଥାନ ସଂଗ୍ରହାଳୟ କଟକରେ ରହିଛି। ତେଣୁ ଡାକୋଟା ପାଇଁ କଟକ ହିଁ ଉପଯୁକ୍ତ ସ୍ଥାନ ବୋଲି କହିଛନ୍ତି ସାଂସଦ ଶ୍ରୀ ସିଂହ। ସେହିଭଳି ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ କହିଛନ୍ତି ଯେ କଟକର ତୁଳସୀପୁର ଆନନ୍ଦ ଭବନରେ ବିଜୁ ବାବୁଙ୍କ ଜନ୍ମସ୍ଥାନ ସଂଗ୍ରହାଳୟ ମୁଖ୍ୟମନ୍ତ୍ରୀ ‌ନବୀନ ପଟ୍ଟନାୟକଙ୍କ ଦ୍ବାରା ଲୋକାର୍ପିତ ହେବା ପରଠାରୁ ଡାକୋଟା ବିମାନକୁ ଏଠାରେ ଆଣି ରଖିବାର ଯୋଜନା ଆରମ୍ଭ ହୋଇଛି। ବିଜୁ ବାବୁଙ୍କର ମୂଳ ବାସସ୍ଥାନ କଟକର ଆନନ୍ଦ ଭବନ ହିଁ ଥିଲା। ତେଣୁ ଡାକୋଟା ସବୁ ଦୃଷ୍ଟିରୁ ଆନନ୍ଦ ଭବନ ସଂଗ୍ରହାଳୟ ସହିତ ସ୍ଥାନ ପାଇବାର ଯଥାର୍ଥତା ରହିଛି।

ଏ ପ୍ରସଙ୍ଗରେ ବିଶିଷ୍ଟ ଐତିହାସିକ ତଥା ଗବେଷକ ପ୍ରଫେସର ଡକ୍ଟର ଖାରବେଳ ମହାନ୍ତି କହିଛନ୍ତି ଯେ ବିଜୁ ପଟ୍ଟନାୟକଙ୍କ ଜନ୍ମ କଟକରେ। ତାଙ୍କ ଘର ଆନନ୍ଦଭବନ ଏବେ ସଂଗ୍ରହାଳୟ ହୋଇଛି। ସେଥିରେ ତାଙ୍କର ସ୍ମୃତି ସହିତ ଜଡିତ ଅନେକ ସାମଗ୍ରୀ ସ୍ଥାନ ପାଇଛି। ଭୁବନେଶ୍ବର ଆଣି ଡା‌କୋଟାକୁ ଅଲଗା କରି ରଖିଲେ ଭଲ ହେବ ନା ଆନ୍ଦନଭବନ ସଂଗ୍ରହାଳୟ ସହ ମିଶାଇ ରଖିଲେ ଭଲ ହେବ, ତାହା ଚିନ୍ତା କରାଯିବା ଆବଶ୍ୟକ। କଟକର ବିଭିନ୍ନ ସଂଗ୍ରହାଳୟ ଦାୟିତ୍ବରେ ଥିବା ଅଧିକାରୀ ଜ୍ୟୋତିପ୍ରକାଶ ଦାସ କହିଛନ୍ତି ଯେ ଡାକୋଟାକୁ ବିଜୁ ପଟ୍ଟନାୟକଙ୍କ ଜନ୍ମସ୍ଥାନ ସଂଗ୍ରହାଳୟ ନିକଟରେ ରଖାଯିବା ଉଚିତ। ଏହାଦ୍ବାରା ଆନନ୍ଦଭବନକୁ ଆସୁଥିବା ପର୍ଯ୍ୟଟକମାନେ ବିଜୁ ପଟ୍ଟନାୟକଙ୍କ ଜୀବନୀ ସହିତ ଡାକୋଟା ବିଷୟରେ ଅନେକ କଥା ଜାଣିପାରିବେ।

ସମ୍ବନ୍ଧିତ ଖବର