ଡାଲି ଦର ବଢ଼ୁଛି, ଚାଷ ପାଇଁ ବି ଚାଷୀର ଉତ୍ସାହ ନାହିଁ

ଆବଶ୍ୟକତାର ୧୦ % ଡାଲି ଉତ୍ପାଦନ ହେଉଛି, ଅମ୍ଳ ମାଟି ସହିତ ରଣନୀତି ଅଭାବ ପାଇଁ ନିରୁତ୍ସାହିତ

ଭୁବନେଶ୍ବର : ଓଡ଼ିଶାକୁ ବାର୍ଷିକ ପ୍ରାୟ ସାଢେ ୯ ଲକ୍ଷ ଟନ ଡାଲିର ଆବଶ୍ୟକତା ରହିଛି। ଏଥିରୁ କେବଳ ୯୦ ହଜାରରୁ ୧ ଲକ୍ଷ ଟନ ଅର୍ଥାତ ୧୦ ପ୍ରତିଶତ ରାଜ୍ୟ ଉତ୍ପାଦନ କରେ। ଏକଥା କହିଛନ୍ତି ରାଜ୍ୟ ବ୍ୟବସାୟୀ ସଂଘ ମହାସଚିବ ସୁଧାକର ପଣ୍ଡା। ଏଥିଯୋଗୁଁ ବର୍ଷ ତମାମ ରାଜ୍ୟକୁ କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ, ମହାରାଷ୍ଟ୍ର, ଉତ୍ତରପ୍ରଦେଶ ଉପରେ ନିର୍ଭର କରିବାକୁ ପଡ଼ୁଛି। ବିଭିନ୍ନ ସମୟରେ ଦର ଲଗାମ ଛଡ଼ା ହୋଇ ଯାଉଛି। ବର୍ତ୍ତମାନ ହରଡ଼ ଦର ୧୧୦, ମସୁର ୭୫, ମୁଗ ୮୫, ବିରି ୯୦ ଟଙ୍କାରେ ବିକ୍ରି ହେଉଛି। କୃଷି ବୈଜ୍ଞାନିକ ଡ. ରାଧାକାନ୍ତ ପାଣିଗ୍ରାହୀଙ୍କ କହିବା ଅନୁସାରେ, ରାଜ୍ୟର ଭିତ୍ତିଭୂମି ଅନୁସାରେ ଉପଯୁକ୍ତ ରଣନୀତି ପ୍ରସ୍ତୁତ ହେଲେ ଡାଲି ଚାଷ ୨୦-୨୩ ଲକ୍ଷ ହେକ୍ଟରରୁ ୩୦-୩୫ ଲକ୍ଷ ହେକ୍ଟର ପର୍ଯ୍ୟନ୍ତ କରାଯାଇ ପାରିବ।


Meri Kheti

କୃଷି ବୈଜ୍ଞାନିକ ଡ. ପାଣିଗ୍ରାହୀ କହିଛନ୍ତି, ରାଜ୍ୟର ପ୍ରାୟ ପ୍ରତ୍ୟେକ ଜିଲ୍ଲାରେ ସବୁ ପ୍ରକାର ଡାଲି ଚାଷ ହୁଏ। ଗଞ୍ଜାମ, ନୟାଗଡ଼, ପୁରୀ, ଢେଙ୍କାନାଳ, ଖୋର୍ଧା, ଗଜପତିରେ ମୁଗ, ବିରି, ମଟର, ବଲାଙ୍ଗୀର, ସୁବର୍ଣ୍ଣପୁରରେ ବୁଟ, ରାୟଗଡ଼ାରେ ହରଡ଼, କୋରାପୁଟ, କେନ୍ଦୁଝର, ଫୁଲବାଣୀରେ ବୁଟ, ମଟର, ରାଜମା, ଭବାନୀପାଟନା ଏବଂ ଉମରକୋଟରେ ବିରିର ଉତ୍ପାଦନ ହୋଇଥାଏ। ମୁଖ୍ୟତଃ ରବିରେ ୬୦ ପ୍ରତିଶତ ଏବଂ ଖରିଫରେ ୩୦ ପ୍ରତିଶତ ଡାଲି ଚାଷ ହୁଏ। କିନ୍ତୁ ବର୍ତ୍ତମାନ ୟୁରିଆର ମାତ୍ରାଧିକ ବ୍ୟବହାର ଯୋଗୁଁ ମାଟି ଅମ୍ଳ ହେଉଛି ଏବଂ ଆଶାଜନକ ଭାବରେ ଡାଲି ଚାଷ ହୋଇନପାରି ବାଧାପ୍ରାପ୍ତ ହେଉଛି। ଦ୍ବିତୀୟତଃ ଧାନ ଚାଷ ପାଇଁ ଯେଉଁଭଳି ସ୍ବତନ୍ତ୍ର କାର୍ଯ୍ୟକ୍ରମ ରହିଛି, ଆବଶ୍ୟକତା ଅନୁସାରେ ପାଣି, ରୋଗପୋକ ହେଲେ ନିରାକରଣ ବ୍ୟବସ୍ଥା ସହିତ ମାର୍କେଟିଂ ପ୍ରତି ଦୃଷ୍ଟି ଦିଆଯାଉଛି, ଡାଲିରେ ଏହା ନାହିଁ।

Telugu News

ବିଶେଷକରି ରବିରେ ଅଧିକାଂଶ ପ୍ରତିଶତ ଚାଷ ହେଲେ ମଧ୍ୟ ପାଣି ବ୍ୟବସ୍ଥା ନାହିଁ। ଯେଉଁ ବର୍ଷ ଅଦିନିଆ ବର୍ଷା ହୋଇଯାଏ ସେହିବର୍ଷ ଡାଲି ଉତ୍ପାଦନ ବୃଦ୍ଧି ପାଏ। ତେଣୁ ଏହି ଫସଲ ପ୍ରତି ଚାଷୀ ବେଶି ଆଗ୍ରହ ଦେଖାନ୍ତି ନାହିଁ। ଏଥିସହିତ ରୋଗ-ପୋକ ହେଲେ ମଧ୍ୟ ଏହାର ନିରାକରଣ ନେଇ ପ୍ଲାଣ୍ଟ୍‌ ପ୍ରୋଟେକ୍ସନ ବିଭାଗ ଏତେ ଯତ୍ନଶୀଳ ନୁହେଁ। ତୃତୀୟତଃ ମାର୍କଫେଡ୍‌, ନାଫେଡ୍‌ ପକ୍ଷରୁ ଡାଲି କ୍ରୟ ପାଇଁ ବିଭିନ୍ନ ସମୟରେ ସରକାରଙ୍କ ପକ୍ଷରୁ କୁହାଯାଉଥିଲେ ମଧ୍ୟ ଏହା ବିଶେଷ ଭାବରେ କାର୍ଯ୍ୟକାରୀ ହେଉନଥିବା ଚାଷୀମାନେ ଅଭିଯୋଗ କରନ୍ତି। ସରକାର ପ୍ରତିବର୍ଷ ଅଣଧାନ ଫସଲକୁ ଗୁରୁତ୍ବ ଦେବା କଥା କୁହନ୍ତି। କିନ୍ତୁ ଯୋଜନା ପ୍ରସ୍ତୁତ ବେଳେ ନିଜେ ଡାଲି ଭଳି ଅଣଧାନ ଫସଲକୁ ସାମିଲ କରନ୍ତି ନାହିଁ। ଏଥିଯୋଗୁଁ ଆଗ୍ରହ ପ୍ରକାଶ ହେଉନଥିବା ଚାଷୀମାନେ କୁହନ୍ତି। ଚାଷୀମାନଙ୍କ ସୁବିଧା ପାଇଁ ଓୟୁଏଟି ବ୍ରହ୍ମପୁର ପକ୍ଷରୁ ୨୦୨୧ ରେ କଳିଙ୍ଗ ଉରଡ଼(ବିରି)୪୧ ଏବଂ ଏବଂ ୨୦୨୦ ମସିହାରେ ଓବିସି ୩୩ ଶଶି ବିହନ ପ୍ରସ୍ତୁତ କରିଛି। ଏହା ବର୍ଷ ତମାମ ସର୍ବାଭାରତୀୟ ସ୍ତରରେ ଚାଷ ହୋଇ ପାରୁଛି। ଖୁବ ଶୀଘ୍ର ଅନ୍ୟ କିସମର ଡାଲି ବିହନ ବାହାରିବ।

ସମ୍ବନ୍ଧିତ ଖବର