ଭୁବନେଶ୍ୱର : ତିବ୍ଦତୀୟ ଧର୍ମଗୁରୁ ଦଲାଇଲାମା ଆଜି ତିନି ଦିନିଆ ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ୱରରେ ପହଞ୍ଚିଛନ୍ତି। ରାଜ୍ୟ ସରକାରଙ୍କ ତରଫରୁ ରାଜସ୍ୱ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର ଏବଂ ସଂସ୍କୃତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ବିମାନବନ୍ଦରରେ ତାଙ୍କୁ ସ୍ୱାଗତ କରିବା ପରେ ସେ ସିଧା ନବୀନ ନିବାସକୁ ଯାଇଥିଲେ। ସେଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଆଲୋଚନା କରିବା ପରେ ଗଣମାଧ୍ୟମକୁ ସମ୍ବୋଧନ କରି ନବୀନଙ୍କୁ ଭୂରି ଭୂରି ପ୍ରଶଂସା କରିଛନ୍ତି। ଦଲାଇଲାମା ଗଣମାଧ୍ୟମରେ ଉଦ୍‌ବୋଧନ ଦେବା ସମୟରେ ନବୀନଙ୍କ ସହ ଯେପରି ବ୍ୟବହାର କରିଥିଲେ ତାହା ବେଶ୍‌ କୌତୁହଳପ୍ରଦ ଥିଲା। ସ୍ଥିତି ଏମିତି ଥିଲା ଯେ ନିଜେ ନବୀନ ବି ମନଖୋଲି ହସିଥିଲେ।

Advertisment

ଧର୍ମଗୁରୁ ଦଲାଇଲାମା ନବୀନ ନିବାସରେ ପହଞ୍ଚିଲା ପରେ ନବୀନ ତାଙ୍କୁ ଫୁଲତୋଡ଼ା ଦେଇ ସ୍ୱାଗତ କରିଥିଲେ। ଏହା ପରେ ଭିତରକୁ ଯାଇ ପ୍ରାୟ ୨୫ ମିନିଟ ଉଭୟ ଆଲୋଚନା କଲା ପରେ ପୋର୍ଟିକୋକୁ ଆସିଥିଲେ। ନବୀନଙ୍କ ହାତକୁ ଜାବୁଡ଼ି ଧରି ଦଲାଇଲାମା ପାହାଚ ଓହ୍ଲାଇଥିଲେ। ଗଣମାଧ୍ୟମ ପ୍ରତିନିଧି କିଛି ପ୍ରଶ୍ନ ନ ପଚାରିବା ଆଗରୁ ଦଲାଇଲାମା କହିଚାଲିଲେ। ସେ ହସି ହସି କହିଥିଲେ ଯେ, ମୁଁ ଏବେ ବୃଦ୍ଧ ହୋଇଗଲିଣି। ମୋ ଆଣ୍ଠୁରେ ସମସ୍ୟା ଦେଖାଦେଲାଣି।

ଏହାପରେ ସାମ୍ବାଦିକଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେବା ସମୟରେ ନବୀନଙ୍କୁ ମନଖୋଲି ପ୍ରଶଂସା କରିଥିଲେ। ନବୀନଙ୍କ ବିଷୟରେ ବିଭିନ୍ନ କଥା କହି ତାଙ୍କ ପେଟ, କାନ୍ଧ ଓ ଛାତିରେ ହାତ ମାରି ଦେଉଥିଲେ। ଆଉ ନବୀନ ବି ଧର୍ମଗୁରୁଙ୍କ ଏପରି ଆଚରଣରେ ବହୁତ ଖୁସି ହୋଇଯାଇଥିଲେ। ମନ ଖୋଲି ହସିଥିଲେ। ନବୀନଙ୍କ ହସ ଦେଖି ଦଲାଇଲାମା କହିଥିଲେ ଯେ, କେବଳ ଔଷଧ ଖାଇଲେ ସୁସ୍ଥ ରହିହେବନି। ସୁସ୍ଥ ରହିବା ପାଇଁ ମନରେ ଶାନ୍ତି ରହିବା ଦରକାର। ମୁଁ ଯାହା ସହ ମିଶେ ତାଙ୍କ ସହ ବନ୍ଧୁତା ରଖେ କହି ନବୀନଙ୍କ ହାତକୁ ଜାବୁଡ଼ି ଧରିଥିଲେ। ଏହାପରେ କହିଥିଲେ ରାଜନୀତି ଓ ରାଜନୈତିକ ଦଳ ଆଗ ନୁହେଁ। ସ୍ୱାସ୍ଥ୍ୟ ଆଗ। ଓଡ଼ିଶାର ସବୁଠୁ ଦୀର୍ଘକାଳୀନ ମୁଖ୍ୟମନ୍ତ୍ରୀ ହେବାର ଗୌରବ ନବୀନ ହାସଲ କରିଥିବାରୁ ମୁଁ ତାଙ୍କୁ ପ୍ରଶଂସା କଲି। ଏହା ଲୋକଙ୍କ ବିଶ୍ୱାସ, ସମ୍ମାନ ଯୋଗୁଁ ସମ୍ଭବ ହୋଇଛି। ଜିମ୍ବାେଓ୍ଵର ରାଷ୍ଟ୍ରପତି ମୁଗାବେ ଯେପରି ୯୩ବର୍ଷ ବୟସରେ କ୍ଷମତା ଲୋଭୀ ଅଛନ୍ତି ଓ ଏବେ ବି ତାଙ୍କ ପତ୍ନୀଙ୍କୁ କ୍ଷମତା ଦେବାକୁ ଚାହୁଁଛନ୍ତ, ଏଠି ସେମିତି ନୁହେଁ। ଏହା ଶୁଣି ନବୀନ ଆହୁରି ହସିଥିଲେ।

ଚୀନ୍‌ ଓ ଭାରତ ସମ୍ପର୍କରେ କହିଥିଲେ ଯେ, ଉଭୟ ରାଷ୍ଟ୍ର ପରସ୍ପରକୁ ନିର୍ଭର କରୁଛନ୍ତି ଓ ଭବିଷ୍ୟତରେ ବି କରିବେ।

ଦଲାଇଲାମାଙ୍କ ତିନି ଦିନିଆ ଓଡ଼ିଶା ଗସ୍ତ ଆଜି ଆରମ୍ଭ ହୋଇଥିବା ବେଳେ ସେ ହୋଟେଲ୍‌ ଟ୍ରାଇଡେଣ୍ଟ୍‌ରେ ଅବସ୍ଥାନ କରୁଛନ୍ତି। ତାଙ୍କ ଗସ୍ତ ପାଇଁ କମିସନରେଟ୍‌ ପୁଲିସ୍‌ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଆସନ୍ତାକାଲି ଦଲାଇଲାମାଙ୍କୁ କିସ୍‌ ବିଶ୍ୱବିଦ୍ୟାଳୟ ପକ୍ଷରୁ ‘ହ୍ୟୁମାନିଟାରିଆନ୍‌’ ସମ୍ମାନରେ ସମ୍ମାନିତ କରାଯିବ। ଦଲାଇଲାମା ବୁଧବାର କୋଲକତା ଅଭିମୁଖେ ଯିବେ।