ଭୁବନେଶ୍ୱର : ତିବ୍ଦତୀୟ ଧର୍ମଗୁରୁ ଦଲାଇଲାମା ସୋମବାରଠାରୁ ତିନିଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ସେ ସୋମବାର ପୂର୍ବାହ୍ନ ୧୧ଟାରେ ନୂଆଦିଲ୍ଲୀରୁ ଏୟାର ଇଣ୍ଡିଆ ବିମାନରେ ବାହାରି ଅପରାହ୍ନ ୧ଟା ୧୦ରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ। ବିମାନବନ୍ଦରରୁ ସେ ସିଧା ନବୀନ ନିବାସ ଯିବେ। ସେଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ପ୍ରାୟ ୨୦ ମିନିଟ ଆଲୋଚନା କରି ହୋଟେଲ ଟ୍ରାଇଡେଣ୍ଟକୁ ଯିବେ। ହୋଟେଲ୍ରେ ରାତ୍ରି ଯାପନ କରିବେ। ଏହାପରେ ମଙ୍ଗଳବାର ସକାଳ ୮ଟା ୪୦ରେ କିସ୍ ବିଶ୍ୱବିଦ୍ୟାଳୟ ଅଭିମୁଖେ ଯିବେ।
ସକାଳ ୯ଟାରୁ ପୂର୍ବାହ୍ନ ୧୧ଟା ୩୦ ପର୍ଯ୍ୟନ୍ତ ହେବାକୁ ଥିବା କାର୍ଯ୍ୟକ୍ରମରେ ଯୋଗଦେବେ। ଏହି କାର୍ଯ୍ୟକ୍ରମରେ ଦଲାଇଲାମାଙ୍କୁ କିସ୍ ପକ୍ଷରୁ ହ୍ୟୁମାନିଟାରିଆନ୍ ସମ୍ମାନରେ ସମ୍ମାନିତ କରାଯିବ। ଏହି କାର୍ଯ୍ୟକ୍ରମ ପରେ ଅପରାହ୍ନ ୧ଟାରୁ ୧ଟା ୪୫ପର୍ଯ୍ୟନ୍ତ ଚନ୍ଦ୍ରଗିରିରୁ ଆସିଥିବା ତିବ୍ଦତୀୟ ବାସିନ୍ଦାଙ୍କ ସହ ଆଲୋଚନା କରିବେ। ଏହାପରେ ଅପରାହ୍ନ ୧ଟା ୫୦ରେ ହୋଟେଲ ଟ୍ରାଇଡେଣ୍ଟ ଅଭିମୁଖେ ଯିବେ। ସେଠାରେ ରାତ୍ରିଯାପନ କରିବେ। ବୁଧବାର ପୂର୍ବାହ୍ନ ୧୦ଟା ୨୦ରେ ଭୁବନେଶ୍ୱର ବିମାନବନ୍ଦରରୁ ଇଣ୍ଡିଗୋ ବିମାନରେ କୋଲକତା ଅଭିମୁଖେ ଯାତ୍ରା କରିବେ ବୋଲି ଜଣାପଡ଼ିଛି।
ଦଲାଇଲାମାଙ୍କ ଗସ୍ତ ଅବସରରେ କମିସନରେଟ୍ ପୁଲିସ୍ ପକ୍ଷରୁ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ତାଙ୍କୁ ଜେଡ୍ ପ୍ଲସ୍ ସୁରକ୍ଷା ଦିଆଯିବ। ଜଣେ ଏସିପି ର୍ୟାଙ୍କ୍ର ଅଫିସର୍ଙ୍କୁ ତାଙ୍କ ସୁରକ୍ଷା ଦାୟିତ୍ୱରେ ରଖାଯାଇଛି। ସେ ରହିବାକୁ ଥିବା ହୋଟେଲ୍ ଟ୍ରାଇଡେଣ୍ଟ୍ରେ ଏକ ପ୍ଲାଟୁନ୍ ପୁଲିସ୍ ଦିନରାତି ପହରା ଦେବେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/11/dalai_lama.jpg)