୧୫ ଶ୍ରମିକଙ୍କ ୬ ଲକ୍ଷ ଟଙ୍କା ନେଇ ଦଲାଲ୍‌ ଫେରାର, ଡିଏଲଓଙ୍କ ନିକଟରେ ଅଭିଯୋଗ 

ଜୟପୁର:  ପ୍ରାୟ୧୫ଜଣ ଦାଦନ ଶ୍ରମିକଙ୍କର ସାଢ଼େ ୪ମାସର ମଜୁରୀ ଟଙ୍କାକୁ ଦଲାଲ ହଡ଼ଫ କରିଥିବାକୁ ନେଇ କୋରାପୁଟ ଜିଲ୍ଲା ଶ୍ରମ ଅଧିକାରୀ (ଡିଏଲଓ)ଙ୍କ ନିକଟରେ ଅଭିଯୋଗ ହୋଇଛି। ହଡପ ହୋଇଥିବା ଟଙ୍କା ପ୍ରାୟ ୬ ଲକ୍ଷ ହେବ।  ଅଭିଯୋଗକୁ ଭିତ୍ତିକରି ଜିଲ୍ଲା ଶ୍ରମ ବିଭାଗ ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି।

ସୂଚନା ଅନୁଯାୟୀ, ଜୟପୁର ବ୍ଲକର ଟାଙ୍କୁଆ ପଂଚାୟତର ପଣସପୁଟ ବାଗ୍ରା ଅଂଚଳର ଜୈନେକ ଶ୍ରମିକ ଦଲାଲ କାହ୍ନୁଗୁଡାର ୧୧ଜଣ, ବୈପାରୀଗୁଡାର ୨ଜଣ, ସାନକାଉଡି ଓ ଡଙ୍ଗରକରଚିର ଜଣେ ଲେଖାଏଁ ଏଭଳି ୧୫ଜଣ ଶ୍ରମିକଙ୍କୁ ଆନ୍ଧ୍ର ପ୍ରଦେଶର କାକିନାଡ଼ା ଚିଙ୍ଗୁଡି ଉତ୍ପାଦନ କଂପାନିକୁ କାମ କରିବାକୁ ନେଇଥିଲେ। ଶ୍ରମିକମାନଙ୍କୁ ନେବା ସମୟରେ ମାସକୁ ୯ହଜାର ଟଙ୍କାର ମଜୁରୀ, ରହିବା ପାଇଁ ଘର, ୩ ଓଳି ଖାଦ୍ୟ, ଜଳଖିଆ, ଚା ଆଦି ଦିଆଯିବ ବୋଲି ଦଲାଲ ପ୍ରତିଶ୍ରୃତି ଦେଇଥିଲେ। ସେଠାକୁ ଯିବା ପରେ କେବଳ ରହିବା ପାଇଁ ଘର ଖଣ୍ଡିକ ମିଳିଥିବା ବେଳେ ଶ୍ରମିକମାନେ ଗାଈଗୋରୁଙ୍କ ଭଳି ରହୁଥିଲେ। ନିଜର ଟଙ୍କାରେ ହିଁ ଖାଇବା ପିଇବା ଏମାନେ କରୁଥିଲେ।

ତେବେ ଏହି ୧୫ଜଣ କାମ କରିବା ପରେ ମଧ୍ୟ ଏମାନଙ୍କ ମଜୁରୀ ଟଙ୍କା ନ ମିଳିବାରୁ ଏମାନେ ବହୁ କଷ୍ଠରେ ଘରକୁ ପଳାଇ ଆସିଥିଲେ। ଆସିବା ସମୟରେ ଦଲାଲଙ୍କ ମାଧ୍ୟମରେ ମଜୁରୀ ଟଙ୍କା ପଠାଯିବ ବୋଲି କଂପାନିର ସୁପରଭାଇଜର ମହିଳା ଜଣକ ଏମାନଙ୍କୁ ପ୍ରତିଶ୍ରୃତି ଦେଇଥିଲେ। ସୁପରଭାଇଜରଙ୍କୁ ଫୋନ କଲେ ଦଲାଲ ଜଣକ ସବୁ ଟଙ୍କା ନେଇକି ଯାଇଥିବା କହୁଥିବା କହିଛନ୍ତି ଦାଦନ ଶ୍ରମିକ ବୈଦ୍ୟନାଥ ମାଝୀ। ଏବେ ଉକ୍ତ ଦଲାଲ ଜଣକ ଧରା ଛୁଆଁ ଦେଉ ନଥିବା ଏବଂ ମଜୁରୀ ଟଙ୍କା ମାଗିଲେ ଧମକ ଚମକ ଦେଉଥିବା ଏମାନେ ଅଭିଯୋଗ କରିଛନ୍ତି। ଏମାନଙ୍କ ଅଭିଯୋଗପତ୍ର ଡିଏଲଓ ପ୍ରସନ୍ନ ପାଣିଗ୍ରାହୀ ଗ୍ରହଣ କରି ଘଟଣାର ତଦନ୍ତ କରାଯିବ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର