ଭୁବନେଶ୍ୱରରେ ଦଲାଇଲାମା: ଏସିଆ ମହାଦେଶର ଦୁଇ ବଡ଼ ରାଷ୍ଟ୍ରଙ୍କ ଭିତରେ ସୁସଂପର୍କ ଓ ସହଯୋଗ ରହିବା ଦରକାର

ଭୁବନେଶ୍ୱର : ତିବ୍ଦତୀୟ ଧର୍ମଗୁରୁ ଦଲାଇଲାମା ତିନିଦିନିଆ ଓଡ଼ିଶା ଗସ୍ତରେ ଆସି ସୋମବାର ଭୁବନେଶ୍ୱରରେ ପହଞ୍ଚିଛନ୍ତି । ସେ ସୋମବାର ପୂର୍ବାହ୍ନରେ ନୂଆଦିଲ୍ଲୀରୁ ଏୟାର ଇଣ୍ଡିଆ ବିମାନରେ ଯୋଗେ ଅପରାହ୍ନ ୧ଟା ୧୦ରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଥିଲେ । ଏହପରେ ବିମାନବନ୍ଦରରୁ ସେ ସିଧା ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ପ୍ରାୟ ୨୦ ମିନିଟ ଧରି ଆଲୋଚନା କରିଛନ୍ତି। ଏହାପରେ ଦଲାଇଲାମା ଏବଂ ମୁଖ୍ୟମନ୍ତ୍ରୀ ମିଳିତ ଭାବେ ଗଣମାଧ୍ୟମକୁ ସମ୍ବୋଧିତ କରିଛନ୍ତି। ଏହି ଅବସରରେ ସାମ୍ବାଦିକମାନେ ଡୋକଲାମ୍ ପ୍ରସଙ୍ଗ ନେଇ ତାଙ୍କୁ ବିଭିନ୍ନ ପ୍ରଶ୍ନ ପଚାରିଥିଲେ। ଏହାର ଉତ୍ତରରେ ଦଲାଇଲାମା କହିଥିଲେ ଭାରତ ଓ ଚୀନ ଏସିଆ ମହାଦେଶର ଦୁଇ ବଡ଼ ରାଷ୍ଟ୍ର, ତେଣୁ ସେମାନଙ୍କ ଭିତରେ ସୁସଂପର୍କ  ଓ ସହଯୋଗ ରହିବା ଦରକାର। ଏଥିସହ ଦଲାଇଲାମା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କରିବା ସହ ତାଙ୍କୁ ରବର୍ଟ ମୁଗାବେଙ୍କ ସହ ତୁଳନା କରିଥିଲେ।

ଆସନ୍ତାକାଲି ସକାଳ ୯ଟାରୁ ପୂର୍ବାହ୍ନ ୧୧ଟା ୩୦ ପର୍ଯ୍ୟନ୍ତ କିସରେ ହେବାକୁ ଥିବା କାର୍ଯ୍ୟକ୍ରମରେ ଦଲାଇଲାମା ଯୋଗଦେବେ। ଏହି କାର୍ଯ୍ୟକ୍ରମରେ ଦଲାଇଲାମାଙ୍କୁ କିସ୍‌ ପକ୍ଷରୁ ହ୍ୟୁମାନିଟାରିଆନ୍‌ ସମ୍ମାନରେ ସମ୍ମାନିତ କରାଯିବ। ଏହି କାର୍ଯ୍ୟକ୍ରମ ପରେ ଅପରାହ୍ନ ୧ଟାରୁ ୧ଟା ୪୫ପର୍ଯ୍ୟନ୍ତ ଚନ୍ଦ୍ରଗିରିରୁ ଆସିଥିବା ତିବ୍ଦତୀୟ ବାସିନ୍ଦାଙ୍କ ସହ ଆଲୋଚନା କରିବେ। ଏହାପରେ ଅପରାହ୍ନ ୧ଟା ୫୦ରେ ହୋଟେଲ ଟ୍ରାଇଡେଣ୍ଟ ଅଭିମୁଖେ ଯିବେ। ସେଠାରେ ରାତ୍ରିଯାପନ କରିବେ। ବୁଧବାର ପୂର୍ବାହ୍ନ ୧୦ଟା ୨୦ରେ ଭୁବନେଶ୍ୱର ବିମାନବନ୍ଦରରୁ ଇଣ୍ଡିଗୋ ବିମାନରେ କୋଲକତା ଅଭିମୁଖେ ଯାତ୍ରା କରିବେ ବୋଲି ଜଣାପଡ଼ିଛି।

ଦଲାଇଲାମାଙ୍କ ଗସ୍ତ ଅବସରରେ କମିସନରେଟ୍‌ ପୁଲିସ୍‌ ପକ୍ଷରୁ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ତାଙ୍କୁ ଜେଡ୍‌ ପ୍ଲସ୍‌ ସୁରକ୍ଷା ଦିଆଯିବ।

ଏଥିସହିତ ଦଲାଇଲାମା ନବୀନ ନିବାସରେ ପହଞ୍ଚି ଅତିଥି ପୁସ୍ତିକାରେ ନିଜର ହସ୍ତାକ୍ଷରେ ନବୀନ ପଟ୍ଟନାୟକଙ୍କ କାଯ୍ୟଶୈଳୀକୁ ପ୍ରଶଂସା କରିବା ସହିତ ତାଙ୍କର ଆଗାମୀ ଜୀବନର ଶୁଭକାମନା କରିଥିଲେ।

ସମ୍ବନ୍ଧିତ ଖବର