ଭୁବନେଶ୍ବର : କେଉଟ, କୈବର୍ତ୍ତ, ଧୀବର ଆଦି ସବର୍ଣ୍ଣ ଜାତି ଅଟନ୍ତି। କିନ୍ତୁ ସେମାନେ ଚକ୍ରାନ୍ତ କରି ସରକାରଙ୍କ ସହଯୋଗରେ ୨୦୦୨ରେ ଏସ୍ସି ତାଲିକାରେ ନିଜକୁ ଅନ୍ତର୍ଭୁକ୍ତ କରିଛନ୍ତି। ଏମାନଙ୍କ ସଂଖ୍ୟା ୨ଲକ୍ଷ ଥିଲେ ମଧ୍ୟ ୮୦ଲକ୍ଷ ଦଳିତମାନଙ୍କର ସୁବିଧା ସୁଯୋଗ ହାସଲ କରି ଚାଲିଛନ୍ତି। ଦୀର୍ଘ ଦିନ ଧରି ସେମାନଙ୍କୁ ବିରୋଧ କରୁଥିଲେ ମଧ୍ୟ ସରକାର ତାଙ୍କୁ ଏସ୍ସି ତାଲିକାରୁ ବାଦ୍ ଦେଉନାହାନ୍ତି, ବରଂ ତାଙ୍କ ରାଢ଼ି, ନିଆରି, ଘଣି ଆଦି ୭ଟି ସବର୍ଣ୍ଣ ଜାତିକୁ ଏସ୍ସି ତାଲିକାରେ ସ୍ଥାନ ଦେବା ଲାଗି ସୁପାରିସ୍ କରିଛନ୍ତି। ସେହିପରି ତେଲି, ତନ୍ତୀ, ଭଣ୍ଡାରି, ବାରିକ, ଗୁଡ଼ିଆ, କମାର, କୁମ୍ଭାର, ରଙ୍ଗଣୀ ଆଦି ବହୁ ସବର୍ଣ୍ଣ ଜାତି ଅର୍ଥ ବ୍ୟୟ କରି ଓଡ଼ିଶାର ଏସ୍ସି ତାଲିକାରେ ସାମିଲ୍ ହେବା ପାଇଁ ଚେଷ୍ଟା କରୁଛନ୍ତି। କିନ୍ତୁ ମେହେନ୍ତର, ଦଳିତ, ବୈଷ୍ଣବ ଜାତିମାନେ ଏସ୍ସି ଓ ଶବରମାନଙ୍କୁ ଏସ୍ଟି ତାଲିକାରେ ସ୍ଥାନିତ କରାଯାଉ ନାହିଁ। ଏଣୁ କେଉଟ, କୈବର୍ତ୍ତୀ, ଧୀବର ଆଦି ଜାତିଗୁଡ଼ିକ ବାଦ୍ ଦେବାସହ ମେହେନ୍ତର, ବୈଷ୍ଣବ ଆଦି ଜାତିମାନଙ୍କୁ ଏସ୍ସି, ଏସ୍ଟି ତାଲିକାଭୁକ୍ତ କରିବା ପାଇଁ ଓଡ଼ିଶା ଅସ୍ପୃଶ୍ୟ ଦଳିତ ସଂରକ୍ଷଣ ସମିତି ପକ୍ଷରୁ ବୁଦ୍ଧମନ୍ଦିର ସମ୍ମିଳନୀ କକ୍ଷରେ ଏକ ସାମ୍ବାଦିକ ସମ୍ମିଳନୀ ଦାବି କରାଯାଇଛି।
ସରକାର ଯଦି ତୁରନ୍ତ ଦାବି ନଶୁଣନ୍ତି, ତେବେ ଦଳିତ ଅନୁଷ୍ଠାନ ଗୁଡ଼ିକ ପକ୍ଷରୁ ୮୦ଲକ୍ଷରୁ ଅଧିକ ଦଳିତ ଓ ୧ଲକ୍ଷରୁ ଅଧିକ ବନବାସୀମାନେ ରାଜରାସ୍ତାକୁ ଓହ୍ଲାଇବା ପାଇଁ ବାଧ୍ୟ ହେବେ ବୋଲି ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି।