ଭୁବନେଶ୍ବର ଦଳିତ ବର୍ଗର ଛାତ୍ରଛାତ୍ରୀଙ୍କ ମାଟ୍ରିକ୍ ପରବର୍ତ୍ତୀ ଛାତ୍ରବୃତ୍ତି ପାଇଁ ପ୍ରଦାନ କରାଯାଉଥିବା ଅର୍ଥରୁ କେନ୍ଦ୍ର ସରକାର ତାଙ୍କ ଅଂଶକୁ ଗତ ବର୍ଷ ଠାରୁ କମାଇ ଦେଇଛନ୍ତି। ଫଳରେ ରାଜ୍ୟ ଉପରେ ଅଧିକ ଆର୍ଥିକ ଭାର ପଡ଼ୁଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ନେଇ ଅସନ୍ତୋଷ ପ୍ରକାଶ କରିବା ସହ କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରୀ ଟି ସି ଗେହଲଟଙ୍କୁ ଚିଠି ଳେଖିଛନ୍ତି। ପୂର୍ବ ପରି ଛାତ୍ରବୃତ୍ତି ପାଇଁ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଥିବା ଢାଞ୍ଚାଗତ ଆର୍ଥିକ ଅନୁଦାନ ବ୍ୟବସ୍ଥା ୯୦:୧୦କୁ ପୁନର୍ବାର ଚାଲୁ କରିବା ପାଇଁ ମୁଖ୍ୟମନ୍ତ୍ରୀ ଦାବି କରିଛନ୍ତି।

Advertisment

ଶ୍ରୀ ପଟ୍ଟନାୟକ ତାଙ୍କ ଚିଠିରେ ଦର୍ଶାଇଛନ୍ତି, ରାଜ୍ୟ ସରକାର ସମାଜର ଦୁର୍ବଳ ବର୍ଗର ଲୋକ, ବି‌େଶଷ କରି ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀଙ୍କ ଗୁଣାତ୍ମକ ଶିକ୍ଷା ଉପରେ ଗୁରୁତ୍ବ ଦେଇ ଆସୁଛନ୍ତି। ଅନୁସୂଚିତ ଜାତିର ପ୍ରାୟ ୨ ଲକ୍ଷ ଛାତ୍ରଛାତ୍ରୀଙ୍କୁ ଉଚ୍ଚଶିକ୍ଷା ପାଇଁ ମାଟ୍ରିକ୍ ପରବର୍ତ୍ତୀ ବୃତ୍ତି ପ୍ରଦାନ କରାଯ‌ାଉଛି। ଏହି ବୃତ୍ତି ସମ୍ପୂର୍ଣ୍ଣ କେନ୍ଦ୍ରୀୟ ପ୍ରବର୍ତ୍ତିତ ଯୋଜନା। ୨୦୧୬-୧୭ ଆର୍ଥିକ ବର୍ଷ ପର୍ଯ୍ୟନ୍ତ ଏ ବାବଦରେ ଖର୍ଚ୍ଚ ହେଉଥିବା ଅର୍ଥର ୯୦ ପ୍ରତିଶତ କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରଣାଳୟ ଦେଉଥିଲା ବେଳେ ଅବଶିଷ୍ଟ ୧୦ ପ୍ରତିଶତ ରାଜ୍ୟ ସରକାର ବହନ କରୁଥିଲେ। ୨୦୧୬-୧୭ରେ କେନ୍ଦ୍ର ସରକାର ୨୧୫.୮୦ କୋଟି ଟଙ୍କା ଦେଇଥିଲା ବେଳେ ରାଜ୍ୟର ଅଂଶ ଥିଲା ୨୨.୪୮ କୋଟି ଟଙ୍କା।

କିନ୍ତୁ ୨୦୧୭-୧୮ରେ ଏହି ବୃତ୍ତି ବାବଦକୁ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରଣାଳୟ ରାଜ୍ୟ ସରକାରଙ୍କ ଉପରେ ଆର୍ଥିକ ବୋଝ ଲଦି ଦେଇଛନ୍ତି। ଏହି ବୃତ୍ତି ଖର୍ଚ୍ଚର ରାଜ୍ୟ ସରକାର ୮୦ ପ୍ରତିଶତ ଅର୍ଥ ବହନ କରିବାକୁ କୁହାଯାଇଛି। ୨୦୧୭-୧୮ରେ ରାଜ୍ୟ ସରକାରଙ୍କୁ ୨୩୮.୨୮ କୋଟି ଟଙ୍କା ଦେବାକୁ ପଡ଼ିଥିଲା ବେଳେ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରଣାଳୟ ମାତ୍ର ୩୫.୧୨ କୋଟି ଟଙ୍କା ଦେଇଥିଲା। ୨୦୧୮-୧୯ରେ ମଧ୍ୟ ସମାନ ସ୍ଥିତି ରହିଛି। ଛାତ୍ରବୃତ୍ତି ଅର୍ଥ ପ୍ରଦାନରେ କେନ୍ଦ୍ର ଓ ରାଜ୍ୟର ଅଂଶରେ ଏପରି ଅତର୍କିତ ପରିବର୍ତ୍ତନ ବୃତ୍ତି କାର୍ଯ୍ୟକ୍ରମକୁ ଶକ୍ତ ଧକ୍କା ଦେଇଛି। ତେଣୁ ଛାତ୍ରବୃତ୍ତି ଯୋଜନାକୁ ସ୍ବାଭାବିକ ଭାବେ ଜାରି ରଖିବା ପାଇଁ ପୂର୍ବ ପରି କେନ୍ଦ୍ର ଓ ରାଜ୍ୟର ଅନୁପାତ ୯୦:୧୦ ରଖିବାକୁ ମୁଖ୍ୟମନ୍ତ୍ରୀ ଦାବି କରିଛନ୍ତି। ଏ ନେଇ କେନ୍ଦ୍ର ମନ୍ତ୍ରୀ ନିଜେ ବ୍ୟକ୍ତିଗତ ଭାବେ ହସ୍ତକ୍ଷେପ କରିବାକୁ ସେ ଅନୁରୋଧ କରିଛନ୍ତି।