ଜୁଲାଇ ବର୍ଷାରେ ଡ୍ୟାମ୍‌ ଭର୍ତ୍ତି; ଚାଷୀଙ୍କୁ ପାଣି ନାହିଁ, ଶୋଷୁଛି କିଏ?

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାରେ ଚା‌ଷ କାର୍ଯ୍ୟ ପୁଣି ଧିମେଇ ଯାଇଛି। ପାଣି ଅଭାବରୁ ଜିଲ୍ଲାର ବିଭିନ୍ନ ବ୍ଲକ୍‌ରେ ତଳି ପୋଡ଼ି ଯାଇଥିବା ବେଳେ ଚାଷ ଜମି ଫାଟି ଆଁ କଲାଣି। ଜୁଲାଇ ମାସରେ ସ୍ବାଭାବିକ ଠାରୁ ଅଧିକ ପରିମାଣ ବର୍ଷା ହୋଇଥିବା ବେଳେ ଡ୍ୟାମ୍‌ଗୁଡ଼ିକରେ ମଧ୍ୟ ପାଣି ଭର୍ତ୍ତି ରହିଛି। ଡ୍ୟାମ୍‌ରୁ ବିଭିନ୍ନ କେନାଲ୍‌ ଜରିଆରେ ପାଣି ଛଡ଼ାଯାଉଛି ବୋଲି ଅଧିକାରୀମାନେ କହୁଛନ୍ତି। କୃଷି ବିଭାଗ ମଧ୍ୟ ଜୁଲାଇ ମାସରେ ଭଲ ବର୍ଷା ହୋଇଥିବା କହୁଛି। କିନ୍ତୁ ଚାଷୀଙ୍କୁ ପାଣି ମିଳିପାରୁ ନାହିଁ। ତେବେ ଗଞ୍ଜାମ ଜିଲ୍ଲାରେ ଚାଷୀଙ୍କ ପାଣି ଶୋଷୁଛି କିଏ ବୋଲି ବିଭିନ୍ନ ମହଲରେ ପ୍ରଶ୍ନ ସୃଷ୍ଟି ହୋଇଛି। ତୁରନ୍ତ ଚାଷ ଜମିକୁ ପାଣି ନପହଞ୍ଚିଲେ ମରୁଡ଼ି ସମ୍ଭାବନାକୁ ଏଡ଼ାଇ ଦିଆଯାଇ ପାରିବ ନାହିଁ ବୋଲି ଚାଷୀମାନେ କହିଛନ୍ତି। ଏଣୁ ଡ୍ୟାମ୍‌ରେ ମହଜୁଦ ଥିବା ପାଣିର ସୁବଣ୍ଟନ କରିବାକୁ ଦାବି ହୋଇଛି।

ଚଳିତ ଖରିଫ୍ ଋତୁରେ ଜିଲ୍ଲାରେ ମୋଟ ୪ଲକ୍ଷ ୮ହଜାର ୫୪୮ ହେକ୍ଟର୍ ଜମିରେ ଚାଷ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ତନ୍ମଧ୍ୟରେ ୧ଲକ୍ଷ ୭୦ହଜାର ୩୨୮ ହେକ୍ଟର୍ ଜମିରେ ଧାନ ଚାଷ ପାଇଁ ଲକ୍ଷ୍ୟ ରଖାଯାଇଥିବା ଜିଲ୍ଲା କୃଷି ବିଭାଗ ସୂତ୍ରରୁ ପ୍ରକାଶ। ମୋଟ ଚାଷ ଜମି ମଧ୍ୟରୁ ୩ଲକ୍ଷ ୨ହଜାର ୧୦୯ ହେକ୍ଟର୍‌ ଜମିକୁ ବିଭିନ୍ନ ଜଳ ପ୍ରକଳ୍ପ ଦ୍ବାରା ଜଳସେଚନ ବ୍ୟବସ୍ଥା କରାଯାଇଛି। ୧ଲକ୍ଷ ୬ହଜାର ହେକ୍ଟର୍‌ ଜମିକୁ ଜଳସେଚନ ସୁବିଧା ନାହିଁ। ଚାଷ କାମ ପାଇଁ ଆବଶ୍ୟକ ପ୍ରାୟ ୬୦ ପ୍ରତିଶତ ପାଣି ବର୍ଷା ଜଳରୁ ଭରଣା ହେଉଥିବା ବେଳେ ବଳକା ୪୦ ପ୍ରତିଶତ ପାଣି ଡ୍ୟାମ୍‌ରୁ ଆସିଥାଏ। ଜୁନ୍ ମାସରେ ହାରାହାରି ୧୬୮.୩ ମିମି ବର୍ଷା ହୋଇଥାଏ। କିନ୍ତୁ ଚଳିତ ବର୍ଷ ମାତ୍ର ୯୫.୨୧ ମିମି ବର୍ଷା ରେକର୍ଡ଼ କରାଯାଇଥିଲା। ବର୍ଷା କମ୍ ହୋଇଥିବାରୁ ଚାଷ କାର୍ଯ୍ୟ ଆରମ୍ଭରେ ବିଳମ୍ବ ହୋଇଥିଲା।

ସେହିପରି ଜୁଲାଇ ମାସରେ ହାରାହାରି ୨୨୦.୮ ମିମି ବର୍ଷା ହୋଇଥାଏ। ଚଳିତ ବର୍ଷ ଜୁଲାଇରେ ୨୪୪.୮୯ ମିମି ବର୍ଷା ରେକର୍ଡ଼ କରାଯାଇଛି। ଜୁଲାଇ ମାସରେ ପ୍ରାୟ ୧୦ଦିନ ଧରି ଭଲ ବର୍ଷା ହୋଇଥିଲା। ଫଳରେ ଚାଷୀମାନେ ଚାଷ କାର୍ଯ୍ୟ ତ୍ବରାନ୍ବିତ କରିଥିଲେ। ଏହାପରେ ବର୍ଷା ପୂରା ବନ୍ଦ ହୋଇ ଯାଇଥିଲା। ଶ୍ରାବଣ ମାସରେ ପ୍ରଚଣ୍ଡ ଖରା ଯୋଗୁଁ ଜମିରେ ଥିବା ପାଣି ଶୁଖି ଯାଇଥିଲା। ପାଣି ନମିଳିବାରୁ ତଳି ନଷ୍ଟ ହୋଇ ଯାଇଥିବା ବେଳେ ରୁଆ ହୋଇଥିବା ଚାଷ ଜମି ଫାଟି ଯାଇଛି। ଛତ୍ରପୁର, ଗଞ୍ଜାମ, ପୁରୁଷୋତ୍ତମପୁର, ଦିଗପହଣ୍ଡି, ବେଗୁନିଆପଡ଼ା, ଧରାକୋଟ ଭଳି ବିଭିନ୍ନ ବ୍ଲକ୍‌ରେ ତଳି ପୋଡ଼ି ଯାଇଥିବା ବେଳେ ଚାଷ ନଷ୍ଟ ହୋଇଗଲାଣି। ଫଳରେ ଚାଷୀ ମୁଣ୍ଡରେ ହାତ ଦେଇଛନ୍ତି। ଅନ୍ୟପଟେ ବର୍ଷା ପରେ ଜିଲ୍ଲାର ବିଭିନ୍ନ ଡ୍ୟାମ୍‌ରେ ପାଣି ଗଚ୍ଛିତ ରହିଛି। ହେଲେ ତାହା ଚାଷ ଜମିକୁ ପହଞ୍ଚିପାରୁ ନାହିଁ। ଯାହାକୁ ନେଇ ଚାଷୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି। ତୁରନ୍ତ ଚାଷ ଜମିକୁ କେନାଲ ପାଣି ଯୋଗାଣ କରିବାକୁ ଋଷିକୁଲ୍ୟା ରୟତ ମହାସଭା ସମ୍ପାଦକ ସୀମାଞ୍ଚଳ ନାହାକ ଦାବି କରିଛନ୍ତି।

ଗଞ୍ଜାମ ଜିଲ୍ଲାରେ ୭ଟି ଡ୍ୟାମ୍‌ ରହିଛି। ଅଧିକାଂଶ ଡ୍ୟାମ୍‌ରେ ପାଣି ଭର୍ତ୍ତି ରହିଛି। ଜୟମଙ୍ଗଳ, ହୀରାଧରବାଟି ଓ ଋଷିକୁଲ୍ୟା ସିଷ୍ଟମ୍‌ର କେନାଲଗୁଡ଼ିକରେ ପାଣି ଛଡ଼ା ଯାଉଥିବା ନେଇ ଜଳ ସମ୍ପଦ ବିଭାଗ ତରଫରୁ କୁହାଯାଇଛି। କିନ୍ତୁ ଚାଷୀ ଆବଶ୍ୟକ ପାଣି ପାଇପାରୁ ନଥିବା ଶ୍ରୀ ନାହାକ କହିଛନ୍ତି। ଯାହା ଫଳରେ ବିଭିନ୍ନ ସ୍ଥାନରେ ତଳି ପୋଡ଼ି ଯାଇଥିବା ବେଳେ ଚାଷ ନଷ୍ଟ ହୋଇଗଲାଣି ବୋଲି ସେ କହିଛନ୍ତି। ଭଞ୍ଜନଗର ଡ୍ୟାମ୍‌ରେ ୮୬.୮୧ ପ୍ରତିଶତ ପାଣି ରହିଥିବା ବେଳେ ସୋରଡ଼ା ଡ୍ୟାମ୍‌ରେ ୬୫.୯୭ ପ୍ରତିଶତ, ଡହରେ ୯୦.୨୧ ପ୍ରତିଶତ, ବାଘୁଆରେ ୭୨.୧୯ ପ୍ରତିଶତ, ଧନେଇରେ ୯୬.୨୫ ପ୍ରତିଶତ, ଘୋଡ଼ାହାଡ଼ରେ ୮୧.୫୬  ପ୍ରତିଶତ ଓ ବାଘଲଟିରେ ୭୯.୪୦ ପ୍ରତିଶତ ପାଣି ରହିଛି। ଏଣୁ ଚାଷ ପାଇଁ ଏହି ପାଣିର ସୁବଣ୍ଟନ କରିବାକୁ ଚାଷୀ ମହଲରେ ଦାବି ହୋଇଛି।

ସମ୍ବନ୍ଧିତ ଖବର