ଅନ୍ତର୍ଜାତୀୟ ଡ୍ୟାମ୍‌ ନିରାପତ୍ତା ସମ୍ମିଳନୀ ଉଦ୍‌ଯାପିତ : ଡିଆର୍‌ଆଇପି ଅଧୀନକୁ ଆସିବ ୧୩% ବଡ଼ ଡ୍ୟାମ୍‌

ଚନ୍ଦ୍ରଶେଖରପୁର : ଡ୍ୟାମ୍‌ ରିହାବିଲିଟେସନ ଆଣ୍ଡ୍‌ ଇମ୍‌ପ୍ରୁଭ୍‌ମେଣ୍ଟ ପ୍ରୋଜେକ୍ଟ(ଡିଆରଆଇପି)ରେ ଉଲ୍ଲେଖନୀୟ ସଫଳତା ମିଳିଛି। ପ୍ରକଳ୍ପ ଅଧୀନରେ ଏବେ ୪% ବଡ଼ ଡ୍ୟାମ୍‌ ରହିଛି। ତାହାକୁ ବଢ଼ାଇ ୧୩% କରାଯିବ। ଏହି ପ୍ରକଳ୍ପରେ ୬ଟି ରାଜ୍ୟ ସାମିଲ ହୋଇଛନ୍ତି। ଆଗାମୀ ଦିନରେ ୧୮ଟି ରାଜ୍ୟକୁ ସାମିଲ କରାଯିବ। ପ୍ରାୟ ୭୦୦ଟି ଡ୍ୟାମର ପୁନରୁଦ୍ଧାର ପାଇଁ କେନ୍ଦ୍ର ସରକାର ଯେଉଁ ୧୧ ହଜାର କୋଟି ଟଙ୍କାର ପ୍ରସ୍ତାବ ଦେଇଥିଲେ ତାହାକୁ ବିଶ୍ୱବ୍ୟାଙ୍କ ଗ୍ରହଣ କରିଛି। ଡ୍ୟାମ୍ ନିରାପତ୍ତା କ୍ଷେତ୍ରରେ ସାରା ଭାରତରେ ପେସାଦାର ସଂଖ୍ୟା ବଢ଼ାଇବା ଉପରେ ଗୁରୁତ୍ୱ ଦେଇ ଦେଶରେ ଥିବା ପ୍ରମୁଖ ବୈଷୟିକ ଶିକ୍ଷାନୁଷ୍ଠାନରେ ଡ୍ୟାମ୍ ନିରାପତ୍ତା ସମ୍ପର୍କରେ ପାଠ୍ୟକ୍ରମ ଖୋଲାଯିବ ବୋଲି କେନ୍ଦ୍ର ଜଳ ସମ୍ପଦ, ନଦୀ ଏବଂ ଗଙ୍ଗା‌ ନବୀକରଣ ରାଷ୍ଟ୍ରମନ୍ତ୍ରୀ ଅର୍ଜୁନ ରାମ ମେଘଓ୍ୱାଲ୍ କହିଛନ୍ତି।

ଦୁଇଦିନ ଧରି କିଟ୍ ବିଶ୍ବବିଦ୍ୟାଳୟରେ ଚାଲିଥିବା ଅନ୍ତର୍ଜାତୀୟ ଡ୍ୟାମ୍ ନିରାପତ୍ତା ସମ୍ମିଳନୀର ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଶ୍ରୀ ମେଘୱାଲ୍‌ ଏହା କହିଛନ୍ତି। ବିଶ୍ୱବ୍ୟାଙ୍କର କଣ୍ଟ୍ରି ନିର୍ଦେଶକ-ଭାରତ ଜୁନୈଦ ହୁସେନ ଯୋଗଦେଇ କହିଲେ ଭାରତରେ ହୋଇଥିବା ବିକାଶ ବିଶ୍ୱସ୍ତରରେ ପ୍ରଭାବ ପକାଇଛି। କେନ୍ଦ୍ର ସରକାରଙ୍କ ସହଯୋଗରେ ଡିଆରଆଇପି ଅଧୀନରେ ବିଶ୍ୱବ୍ୟାଙ୍କ ପକ୍ଷରୁ ଡ୍ୟାମ୍ ପୁନରୁଦ୍ଧାର ପାଇଁ ଫାଇନାନ୍ସ ପ୍ରଦାନ କରାଯିବ। ଅଣ-ଡିଆରଆଇପି ରାଜ୍ୟଗୁଡ଼ିକ ସମେତ ସମ୍ମିଳନୀକୁ ଆସିଥିବା ସମସ୍ତ ଅଂଶୀଦାରଙ୍କୁ ଉଦୀୟମାନ ଡ୍ୟାମ୍ ନିରାପତ୍ତା ଉପରେ ବିଶ୍ୱସ୍ତରର ଶ୍ରେଷ୍ଠ ବ୍ୟବସ୍ଥା ଓ ପ୍ରଯୁକ୍ତିରେ ହୋଇଥିବା ଉନ୍ନତି ବିଷୟରେ ଅବଗତ କରିବା ସମ୍ମିଳନୀର ପ୍ରମୁଖ ଲକ୍ଷ୍ୟ ରଖାଯାଇଥିଲା। ଏଥିସହ ଡ୍ୟାମ୍‌ ଯୋଜନା, ବିକାଶ, ନିର୍ମାଣ, କାର୍ଯ୍ୟକ୍ଷମରେ ରହିଥିବା ଆହ୍ବାନଗୁଡ଼ିକୁ ଜଣାଇବା ଏହି ସମ୍ମିଳନ ନୀତି ନିର୍ଧାରକ, ପ୍ରାକ୍ଟିସିଂ ଇଞ୍ଜିନିୟର, ଡ୍ୟାମ୍ ନିରାପତା ବିଶେଷଜ୍ଞ, ଶିକ୍ଷାବିତ, ଶିଳ୍ପ, ବୈଜ୍ଞାନିକ ଏବଂ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଜ୍ଞାନର ଆଦାନପ୍ରଦାନ ପାଇଁ ହୋଇଛି। ଏହି ସମ୍ମିଳନୀରେ ୩ଟି ଗୁରୁତ୍ୱପୂର୍ଣ୍ଣ ଜାତୀୟ ଗାଇଡଲାଇନ୍, ୧୬ ଜରୁରୀକାଳୀନ ଆକ୍ସନ ପ୍ଲାନ୍ ଓ ୫ ଅପରେସନ୍ ଏବଂ ମେଣ୍ଟେନାନ୍ସ ସମ୍ପର୍କିତ ମାନୁଆଲସ୍‌ ଜାରି କରାଯାଇଛି। ଦେଶ ବିଦେଶର ୩୫ଟି ଜାତୀୟ ଓ ଅନ୍ତର୍ଜାତୀୟ ସଙ୍ଗଠନ ସେମାନଙ୍କ ପ୍ରଯୁକ୍ତି, ଉତ୍ପାଦ ଓ ସେବାକୁ ପ୍ରଦର୍ଶନୀରେ ପ୍ରଦର୍ଶିତ କରିଥିଲେ। ବିଭିନ୍ନ ଦେଶର ୧୦୦ରୁ ଅଧିକ ସମେତ ୭୨୫ ଜଣ ପ୍ରତିନିଧି ସାମିଲ ହୋଇଥିଲେ। ସ୍ପେନ୍, କାନାଡା, ଅଷ୍ଟ୍ରେଲିଆ, ଫ୍ରାନ୍ସ, ସ୍ବିଜରଲ୍ୟାଣ୍ଡ୍, ଲାଓସ୍, ଶ୍ରୀଲଙ୍କା ଓ ଇଣ୍ଡୋନେସିଆର ଡ୍ୟାମ ମାଲିକ ଏବଂ ନୀତି ନିର୍ଧାରକ, ଡ୍ୟାମ୍ ପେସାଦାର, ବୈଜ୍ଞାନିକ ଓ ଶିକ୍ଷାନୁଷ୍ଠାନଗୁଡ଼ିକ ସମ୍ମିଳନୀରେ ଅଂଶଗ୍ରହଣ କରିଥିଲେ।

ସମ୍ବନ୍ଧିତ ଖବର