ବିଜେପିରେ ଯୋଗଦେବା ପରେ ଦାମ ରାଉତ କହିଲେ, ଶେଷ ଜୀବନରେ ଜନ୍ମମାଟିର ସେବା କରିବାକୁ ଚାହୁଁଛି, ତେଣୁ ଜନ୍ମସ୍ଥାନ ବାଲିକୁଦା-ଏରସମା ଆସନରୁ ଲଢିବାକୁ ଆଗ୍ରହୀ

ଭୁବନେଶ୍ୱର : ପୁଅ ପାଇଁ ପାରାଦୀପ ଆସନ ଛାଡିବେ ଦାମ ରାଉତ । ଏନେଇ ଚର୍ଚା ଏଥିପାଇଁ ହେଉଛି ଯେ, ଆଜି ବିଜେପିରେ ଯୋଗ ଦେବା ପରେ ଦାମ କହିଛନ୍ତି , ସେ ବାଲିକୁଦା-ଏରସମା ଆସନରୁ ଲଢିବାକୁ ଆଗ୍ରହୀ । ଦାମ କହିଛନ୍ତି, ଜନ୍ମସ୍ଥାନ ବାଲିକୁଦାରୁ ସେ ୨୫ ବର୍ଷ ବିଧାୟକ ଥିଲେ । ତେଣୁ ଶେଷ ଜୀବନରେ ଜନ୍ମମାଟିର ସେବା କରିବାକୁ ଚାହୁଁଛି । ତେବେ ଦାମଙ୍କ ବାଲିକୁଦା-ଏରସମାରୁ ଲଢିବା ନିଷ୍ପତି ପୁଅ ସମ୍ବିତ ରାଉତରାୟଙ୍କୁ ଆଶ୍ୱସ୍ତି ଦେଇପାରେ । କାରଣ, ପାରାଦୀପ ଆସନରୁ ଲଢିବାକୁ ସେ ଅନେକ ଦିନରୁ ଆଗ୍ରହୀ ଥିବା କହିସାରିଛନ୍ତି ସମ୍ବିତ । ତେଣୁ ବିଜେଡି ଯଦି ସମ୍ବିତଙ୍କୁ ପାରାଦୀପରୁ ଟିକେଟ୍ ଦିଏ , ତେବେ ବାପାଙ୍କ ସହ ଟକ୍କର ନେଇ ଆଉ ଆଶଙ୍କା ରହିବ ନାହିଁ । ଏପରିକି ବାପାଙ୍କ ଲୋକପ୍ରିୟତା ଏବଂ ବିଜେଡି ଟିକେଟ୍ ତାଙ୍କୁ ନିର୍ବାଚନରେ ଲାଭ ଦେବା ସମ୍ଭାବନା ଅଧିକ ।

ସେପଟେ ଚର୍ଚା ହେଉଛି, ପୁଅ ସମ୍ବିତଙ୍କୁ ମଧ୍ୟ ବିଜେପିରେ ମିଶାଇ ଦାମ, ପାରାଦୀପ ଟିକେଟ୍ ଲବି କରୁଛନ୍ତି । ଏହା ଯଦି ସତ ହୁଏ ତେବେ, ବାଲିକୁଦା-ଏରସମାରୁ ବାପା ଦାମ ରାଉତ ଏବଂ ପାରାଦୀପରୁ ଲଢିପାରନ୍ତି ପୁଅ ସମ୍ବିତ ରାଉତରାୟ । ଏହାପୂର୍ବରୁ ଆଜି ସନ୍ଧ୍ୟାରେ ନୂଆଦିଲ୍ଲୀରେ ବିଜେପିରେ ଯୋଗ ଦେଇଛନ୍ତି ଦାମ ରାଉତ । ବିଜେପି ମୁଖ୍ୟାଳୟରେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରାଜ୍ୟ ପ୍ରଭାରୀ ଅରୁଣ ସିଂଙ୍କ ଉପସ୍ଥିତିରେ ପଦ୍ମ ଧରିଛନ୍ତି ଦାମୋଦର ରାଉତ । ବିଜେଡିରୁ ବହିଷ୍କାର ହେବାର ଠିକ୍ ୬ ମାସ ପରେ ଗେରୁଆ କ୍ୟାମ୍ପରେ ଏଣ୍ଟ୍ରି ମାରିଛନ୍ତି ଦାମ । ଏହାପୂର୍ବରୁ ପାରାଦୀପରେ ପଦ୍ମ ଫୁଟାଇବାକୁ ଦାମ ଯେଉଁ ପଣ କରିଥିଲେ ବିଜେପିରେ ମିଶିବା ପରେ ତାହା ଆହୁରି ସହଜ ହୋଇଯିବ ବୋଲି ଚର୍ଚ୍ଚା ହେଉଛି । ଏହାପୂର୍ବରୁ ଦାମ ଆଜି ଗଣମାଧ୍ୟମରେ କହିଥିଲେ, ମୋତେ ଯେଉଁଭଳି ନିନ୍ଦିତ କରାଯାଇଛି ମୁଁ ମଧ୍ୟ ନବୀନ ସରକାରକୁ ସେହିଭଳି ନିନ୍ଦିତ କରିବି ।

ଗୋଟିଏ ପଟେ ବାପା ଦାମ ରାଉତ ବିଜେପିରେ ମିଶି ବିଜେଡିକୁ ଚେକ୍ ଦେବାକୁ ଚାହୁଁଥିବା ବେଳେ ଦିନ ତମାମ ନବୀନ ନିବାସରେ ପୁଅ ସମ୍ବିତ ରାଉତରାୟଙ୍କୁ ଦେଖିବାକୁ ମିଳିଥିଲା । ନବୀନଙ୍କ କ୍ୟାମ୍ପର ଡଜେନ ସରିକି ନେତା ସମ୍ବିତଙ୍କୁ ସହ ଆଲୋଚନା କରିଥିଲେ । ଏପରିକି ବାପାଙ୍କୁ ବିଜେପିରେ ଯୋଗ ନ ଦେବାକୁ ବୁଝାଇବାକୁ ସମ୍ବିତଙ୍କୁ କୁହାଯାଇଥିଲା । କିନ୍ତୁ ଦାମଙ୍କୁ ଚୁପ୍ କରିବାକୁ ବିଜେଡି ଯେଉଁ ଫର୍ମୁଲା ଆପଣାଇଥିଲା ସେଥିରେ ଖୋଦ୍ ନିଜେ ପୂର୍ଣ୍ଣଛେଦ ଟାଣିଛନ୍ତି ଦାମ । ପୁଅ କିମ୍ବା ଝିଅ କାହା କଥା ଶୁଣିବି ନାହିଁ ବୋଲି ଆଜି ରୋକଠୋକ କହିଛନ୍ତି ଦାମ । ଏପରିକି ୨୦୧୯ରେ ନବୀନ ସରକାରକୁ ମାତ୍ ଦେବାକୁ ସବୁ ପ୍ରକାର ପ୍ରୟାସ କରିବି ବୋଲି କହିଛନ୍ତି ଦାମ । ଏହାଛଡା ମୋତେ ଯେଉଁଭଳି ନିନ୍ଦିତ କରାଯାଇଛି ମୁଁ ସେହିଭଳି ନିନ୍ଦିତ କରିବି ବୋଲି କହିଛନ୍ତି ଦାମ । ଆଉ ଏଭଳି କହି ଦାମ ଆଟାକିଙ୍ଗ ମୁଡରେ ଥିବା ଦର୍ଶାଇଛନ୍ତି ।ସେପଟେ ସମ୍ବିତ ମଧ୍ୟ ପାରାଦୀପ ନିର୍ବାଚନ ମଣ୍ଡଳୀରୁ ଲଢିବାକୁ ଆଶାୟୀ ଥିବା କହିଛନ୍ତି ।

ସମ୍ବନ୍ଧିତ ଖବର