କଂଗ୍ରେସ ଭବନରେ ଦାମ

ଭୁବନେଶ୍ୱର: ଆଜି ସନ୍ଧ୍ୟାରେ କଂଗ୍ରେସ ଭବନରେ ଅନୁଷ୍ଠିତ ‘ସମ୍ବିଧାନ ବଞ୍ଚାଅ’ ସମ୍ମିଳନୀରେ ବିଜେଡିରୁ ବହିଷ୍କୃତ ନେତା ଡା. ଦାମୋଦର ରାଉତ ଯୋଗଦେବା ଘଟଣା ରାଜନୈତିକ ମହଲରେ ଚର୍ଚାର ବିଷୟ ହୋଇଛି। ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମ୍ମିଳନୀରେ ଓଡ଼ିଶା ପ୍ରଭାରୀ ଜିତେନ୍ଦ୍ର ସିଂହ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା, ପୂର୍ବତନ ପିସିସି ସଭାପତି ଜୟଦେବ ଜେନା, ଏଆଇସିସି ନେତା ଓ କର୍ମକର୍ତାଙ୍କ ସହିତ ସିପିଆଇ(ଏମ୍‌) ନେତା ଜନାର୍ଦନ ପତି, ସିପିଆଇ ନେତା ରାମକୃଷ୍ଣ ପଣ୍ଡା, ସମାଜବାଦୀ ପାର୍ଟିର ରାଜ୍ୟ ସଭାପତି ରବି ବେହେରା ପ୍ରମୁଖ ନେତାମାନଙ୍କୁ ଦେଖିବାକୁ ମିଳିଥିଲା। ଏହି ଅବସରରେ ପିସିସି ସଭାପତି ଶ୍ରୀ ପଟ୍ଟନାୟକ କହିଲେ ଯେ ଆଜି ଗଣତନ୍ତ୍ର ବିପନ୍ନ। ବ୍ୟକ୍ତିଙ୍କ ଅଧିକାର କ୍ଷୁର୍ଣ୍ଣ ହୋଇପଡ଼ିଛି। ରାଜ୍ୟ ଓ ଦେଶରେ ସମ୍ବିଧାନ ସଙ୍କଟ ଦେଇ ଗତି କରୁଥିବା କହି ଉଭୟ ରାଜ୍ୟ ବିଜେଡି ଓ କେନ୍ଦ୍ର ବିଜେପି ସରକାରଙ୍କୁ ସମାଲୋଚନା କରିଥିଲେ ଡା. ରାଉତ।

ଉଲ୍ଲେଖଯୋଗ୍ୟ, ଆଗାମୀ ୨୦୧୯ ସାଧାରଣ ନିର୍ବାଚନ ପାଇଁ ରାଜ୍ୟରେ ଅଣବିଜେଡି ଓ ଅଣବିଜେପି ରାଜନୈତିକ ଶକ୍ତିମାନଙ୍କୁ ନେଇ କଂଗ୍ରେସ ସାମ୍ମୁଖ୍ୟ ଗଠନ କରିବାକୁ ଆଭିମୁଖ୍ୟ ବହୁପୂର୍ବରୁ ସ୍ପଷ୍ଟ କରିସାରିଛି। ବିଜେଡି ପାଇଁ କଂଗ୍ରେସ ଅଛୁଆଁ ନୁହେଁ ବୋଲି ବିଜେଡି ନେତା ଭାବେ ଦାମୋଦର କହିଥିଲେ। କିନ୍ତୁ ତାଙ୍କୁ ନିଜ ଦଳ ବିଜେଡିର କେହି ସମର୍ଥନ କରିନଥିଲେ। ଆଜି ସେ କଂଗ୍ରେସ ଭବନ ଆସି ସେହି ମଞ୍ଚରେ ଭାଷଣ ଦେଇଥିବାରୁ ଏ ନେଇ ନୂଆ ରାଜନୈତିକ ସମୀକରଣ ସୃଷ୍ଟି ହେବାର ସମ୍ଭାବନା ଦେଖାଦେଇଛି। ବିଶେଷ କରି ସେ ରାଜ୍ୟରେ ଅଣବିଜେଡି ଓ ଅଣବିଜେପି ରାଜନୈତିକ ଶକ୍ତିମାନଙ୍କ ସହିତ ମିଶି ପାରନ୍ତି ବୋଲି ଚର୍ଚା ଆରମ୍ଭ ହୋଇଛି।

ସମ୍ବନ୍ଧିତ ଖବର