ଭୁବନେଶ୍ୱର: ତିନିଜଣ ଦାୟିତ୍ୱହୀନ ଯୁବନେତାଙ୍କ ପାଇଁ ମନ୍ତ୍ରୀମଣ୍ଡଳରୁ ଦାମୋଦର ରାଉତଙ୍କୁ ବାଦ୍‌ ଦିଆଗଲା। ସେମାନଙ୍କର ସୁଚିନ୍ତିତ ଅଭିଯାନକୁ ବିଶ୍ୱାସକୁ ନିଆଗଲା। ଅଥଚ ଯେଉଁ ମଂଚରେ ଦାମ ବାବୁ ବିବାଦୀୟ ବୟାନ ଦେଇଥିଲେ ସେଠାରେ ଉପସ୍ଥିତ ଥିବା ଜିଲ୍ଲାପାଳ, ପ୍ରକଳ୍ପ ଅଧିକାରୀ ଓ ଦଳୀୟ ନେତାଙ୍କ ମତାମତ ଲୋଡାଗଲା ନାହିଁ। ଉଭୟ ମନ୍ତ୍ରୀମଣ୍ଡଳ ଓ ଦଳୀୟ ଉପ-ସଭାପତି ପଦରୁ ବାଦ୍‌ ପଡିଥିବା ଡାକ୍ତର ଦାମୋଦର ରାଉତ କିଛି ଏଭଳି ଢଙ୍ଗରେ ମୁହଁ ଖୋଲିଛନ୍ତି। ଗଣମାଧ୍ୟମକୁ ବୟାନ ଦେଇ ନୁହେଁ ବରଂ ନିଜେ ପ୍ରତିଷ୍ଠା କରିଥିବା ସଂଚାର ଖବର କାଗଜରେ ମନର କଥାକୁ ଲେଖିଦେଇଛନ୍ତି ଏହି ରାଜନେତା। ଯାହା ପୁଣିଥରେ ଏକ ବିବାଦୀୟ ପରିସ୍ଥିତି ତିଆରି କରିବାର ଆଶଙ୍କା ରହିଛି।

Advertisment

ଅନର୍ଥର ଅନ୍ତରାଳେ ଶୀର୍ଷକରେ ଦାମ ବାବୁ ଲେଖିଛନ୍ତି, ମାଲକାନଗିରି ମଂଚରେ ଦେଇଥିବା ବକ୍ତବ୍ୟ କିଭଳି ବେଦଜ୍ଞାନ ଅଧିକାରୀ, ସମାଜର ସବୁ ବର୍ଗର ଲୋକ ସମ୍ମାନର ଅଧିକାରୀ, ବ୍ରାହ୍ମଣ ମାନଙ୍କୁ କିଭଳି ଅପମାନ ଦେଲା ବୁଝିପାରୁନାହିଁ। ମହୋତ୍ସବରେ ସଭାପତିତ୍ୱ କରୁଥିବା ଜିଲ୍ଲାପାଳ, ପରିଚାଳନା କରୁଥିବା ପ୍ରକଳ୍ପ ଅଧିକାରୀ, ମଂଚରେ ଉପସ୍ଥିତ ଥିବା ଦଳୀୟ ନେତାଙ୍କ ଠାରୁ ମତାମତ ଲୋଡାଗଲା ନାହିଁ। ଅଥଚ ମୁଁ ଜାଣିବାରେ ତିନିଜଣ ଦାୟିତ୍ୱହୀନ ଦଳୀୟ ଯୁବନେତାଙ୍କ ସୁଚିନ୍ତିତ ଅଭିଯାନକୁ ବିଶ୍ୱାସକୁ ନେଇ ମତେ ପଦଚ୍ୟୁତ କରାଗଲା। ସେଥିରେ ମୁଁ ଆଦୌ ଦୁଃଖିତ କିମ୍ବା ବିଚଳିତ ନୁହେଁ। କାରଣ ମୋ ଘର ହେଉଛି ବିଜୁ ଜନତା ଦଳ, ମୋ ଘରର ମୁରବୀ ହେଉଛନ୍ତି ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀଙ୍କ ଇଛାରେ ମନ୍ତ୍ରୀ ହୋଇଥିଲି ତାଙ୍କ ଇଛାରେ ମନ୍ତ୍ରିମଣ୍ଡଳରୁ ଅନ୍ତର କରାଗଲା। ଏଥିରେ ଦୁଃଖିତ ନୁହେଁ କାରଣ, ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇବା ମୋର ସାମ୍ବିଧାନିକ ଅଧିକାର ନୁହେଁ।

ଖୁବ ସନ୍ତୁଳିତ ଏହି କେଇପଦ କଥାରେ ଦାମ ବାବୁ ଦୁଇଟି ଶିକାର କରିଛନ୍ତି। ଗୋଟିକରେ ଦଳୀୟ ଯୁବନେତାଙ୍କୁ ଟାର୍ଗେଟ୍‌ ଆଉ ଅନ୍ୟଟିରେ ପ୍ରସଙ୍ଗକୁ ମୁଖ୍ୟମନ୍ତ୍ରୀଙ୍କ ଇଛାଧୀନ ବ୍ୟାପାର କରି ପୁଣି ବିଶ୍ୱାସ ଜିତିବାକୁ ଉଦ୍ୟମ କରିବା। ତେବେ ପ୍ରଶ୍ନ ଉଠୁଛି, ଦାମ ବାବୁ କେଉଁ ତିନି ଯୁବନେତାଙ୍କ କଥା ଉପସ୍ଥାପନ କରିବାକୁ ଚାହୁଁଛନ୍ତି। ଯେଉଁମାନଙ୍କୁ ନିକଟରେ ମନ୍ତ୍ରିମଣ୍ଡଳରୁ ବାଦ୍‌ ଦେଇ ସୁପ୍ରିମୋ ଦଳୀୟ ସଂଗଠନକୁ ମଜଭୁତ କରିବାର ଦାୟିତ୍ୱ ଦେଇଥିଲେ ସେମାନେ ପ୍ରକୃତରେ ଏକ ସୁଚିନ୍ତିତ ଅଭିଯାନ ଚଳାଇଥିଲେ କି? ଦାମ ବାବୁଙ୍କ ଲେଖାରେ ଯଦିଓ ସିଧାସଳଖ କାହାକୁ ଇଙ୍ଗିତ କରାଯାଇନି, ତଥାପି ଏହା ଅତୀତରେ ମଧ୍ୟ ସ୍ପଷ୍ଟ ହୋଇଥିଲା ଯେ ଯୁବନେତା ଓ ବରିଷ୍ଠ ନେତାଙ୍କ ଭିତରେ ମନୋମାଳିନ୍ୟ ରହିଛି। ଯାହାକୁ ନିଜେ ଡାକ୍ତର ରାଉତ ଗଣମାଧ୍ୟମ ସାମ୍ନାରେ ଉପସ୍ଥାପନ ମଧ୍ୟ କରିଥିଲେ।

publive-image

ଦାମବାବୁ ଆହୁରି ଲେଖିଛନ୍ତି, ସେ ଏବେ ଏକ ତିକ୍ତ ଅନୁଭୁତିକୁ ସାମ୍ନା କରୁଛନ୍ତି। ହେଲେ ଏହି ତିକ୍ତ ଅନୁଭୁତିକୁ ସେ ବିସ୍ତାରିତ ଭାବେ ଦୁନିଆ ସାମ୍ନାରେ ପ୍ରକାଶ କରିବାକୁ ପ୍ରୟାସ କରିପାରୁନାହାନ୍ତି। କାରଣ ତାଙ୍କ ମନରେ ଆଶଙ୍କା ରହିଛି ତିକ୍ତ ଅନୁଭୁତିକୁ ଶୁଣିଲେ ଘର ଭୁଶୁଡିଯିବାର ଆଶଙ୍କା ରହିଛି। ସେ ନିଜ ଘରକୁ ଭଲପାଆନ୍ତି। ଘରର ମୁରବୀଙ୍କ ମନରେ ଦୁଃଖହେବା ଅଶୁଭ କାମନା କରିବା କିମ୍ବା ତାଙ୍କ ମୁରବିତ୍ୱ ଉପରେ ଆଂଚ ଆଣିବା ପାଇଁ ତାଙ୍କ ବିବେକ ତାଙ୍କୁ ବାଧା ଦେଉଛି। ଆଉ ଦାମ ବାବୁ ଲେଖାର ପରବର୍ତ୍ତୀ ପର୍ଯ୍ୟାୟରେ ନିଜ ଘର ଭାବେ ବିଜେଡିକୁ ଉପସ୍ଥାପନ କରିଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମୁରବୀ ଭାବେ ଚିତ୍ରଣ କରିଛନ୍ତି। ଅର୍ଥାତ କେଉଁଠି ନା କେଉଁଠି ଦାମ ବାବୁଙ୍କୁ ମନ୍ତ୍ରିମଣ୍ଡଳରୁ ବାଦ୍‌ ଦେବାକୁ ଯେଉଁ ନିଷ୍ପତ୍ତି ହୋଇଥିଲା ତାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ବିଜୁ ଅମଳର ଏହି ନେତା। ଆଉ ମନର କଥାକୁ ଚୁମ୍ବକରେ ସାମ୍ନାକୁ ଆଣି ବଡ ବାଣ ମାରିଛନ୍ତି।

ଏମିତିରେ ବି ନବୀନଙ୍କ ମନ୍ତ୍ରିମଣ୍ଡଳରେ ଯୁବମନ୍ତ୍ରୀଙ୍କୁ ନେଇ ଅତୀତରେ କଡ଼ାବାଣ ମାରିଥିଲେ ଦାମ ବାବୁ। କହିଥିଲେ, ଏଠି ଯୁବମନ୍ତ୍ରୀ ହେଉଛନ୍ତି ବରିଷ୍ଠ ଆଉ ବରିଷ୍ଠ ମନ୍ତ୍ରୀ ହେଉଛନ୍ତି ବୟସ୍କ। ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନରେ ଏହି ତେରଛା ଉତ୍ତର ସେହି ସମୟରେ ବେଶ ଚର୍ଚ୍ଚାର ବିଷୟ ପାଲଟିଥିଲା। ଆଉ ଏବେ ପୁଣି ଦାମ ବାବୁଙ୍କ ଟାର୍ଗେଟର ରାଡାରକୁ ପୁଣି ଆସିଛନ୍ତି ଯୁବନେତା। ଉଭୟ ସରକାର ଆଉ ଦଳରେ ଯୁବନେତାଙ୍କ ପ୍ରଭାବକୁ ନେଇ ସବୁବେଳେ ଚର୍ଚ୍ଚା ଚାଲିଥିବା ବେଳେ ଡାକ୍ତର ରାଉତ ଏହାର କିଛି ଅଂଶ ଏବେ ସାମ୍ନାକୁ ଆଣିଛନ୍ତି। ହେଲେ ଏହାକୁ ବାସ୍ତବତା ବୁଝାଯିବ ନା ମନର କ୍ଷୋଭ ? କିନ୍ତୁ ଗୋଟିଏ କଥା ସ୍ପଷ୍ଟ ଦାମ ବାବୁଙ୍କ ତୁଣ୍ଡ ଅବା କଲମ ଏଭଳି ଅନେକ ବିବାଦୀୟ ଦିଗକୁ ସାମ୍ନାକୁ ଆଣିବ।