ଘୋଷଣା ହେଲା ଦାମଙ୍କ ବିଜୁ ସମତାକ୍ରାନ୍ତି ଦଳ : ଆରମ୍ଭରୁ ଝଟ୍‌କା, ପ୍ରକାଶ ମନା କଲେ

ଭୁବନେଶ୍ବର : ପୂର୍ବତନ ମନ୍ତ୍ରୀ ଡା.ଦାମୋଦର ରାଉତ ଆଜି ନିଜର ନୂଆ ଦଳର ଘୋଷଣା କରିଛନ୍ତି। ଦଳର ନାଁ ରହିଛି ବିଜୁ ସମତାକ୍ରାନ୍ତି ଦଳ। ପୂର୍ବତନ କେନ୍ଦ୍ର ମନ୍ତ୍ରୀ ବ୍ରଜ କିଶୋର ତ୍ରିପାଠୀଙ୍କ ସହ ମିଶି ଏହି ଦଳ ଘୋଷଣା କରାଯାଇଛି। ଘୋଷଣା ସମୟରେ ଶ୍ରୀ ତ୍ରିପାଠୀ, ପୂର୍ବତନ ବିଧାୟକ ଯଜ୍ଞେଶ୍ବର ବାବୁ, ସଭାପତି ପ୍ରଶାନ୍ତ ମିଶ୍ର, ଯୁବ ସମତା ସଭାପତି ସାରଦା ପ୍ରସନ୍ନ ସ୍ବାଇଁ ଓ ପ୍ରଭାସ ସାମନ୍ତରା ପ୍ରମୁଖ ଉପସ୍ଥିତ ଥିଲେ। ଦୁର୍ନୀତିମୁକ୍ତ ଶାସନ ସହିତ ଓଡ଼ିଆ ଜାତିର ସ୍ବାଭିମାନ ଓ ସ୍ବାର୍ଥ ହାସଲ କରିବା ଲକ୍ଷ୍ୟ ନେଇ ଦଳ ଗଠନ କରାଯାଇଥିବା ଡା.ରାଉତ କରିଛନ୍ତି। ଦଳର କୌଣସି ପଦପଦବିରେ ନ ରହି ପ୍ରଚାର କମିଟି ଅଧ୍ୟକ୍ଷଭାବେ ଡା.ରାଉତ ଦାୟିତ୍ବ ତୁଲାଇବେ ବୋଲି ଦଳ ପକ୍ଷରୁ ଘୋଷଣା ହୋଇଛି।

ଆଜି ସାମ୍ବାଦିକ ସମ୍ମିଳନୀରେ ଡା.ରାଉତ କହିଲେ, ଆଗାମୀ ଦିନରେ ବିଜୁ ସମତାକ୍ରାନ୍ତି ଦଳରେ ଓଡ଼ିଶା ପ୍ରଗତି ଦଳ, ପବ୍ଲିକ ପଲିଟିକାଲ ପାର୍ଟି, ଅବସରପ୍ରାପ୍ତ ପୁଲିସ ପ୍ରଶାସକ ପ୍ରକାଶ ମିଶ୍ର ଓ ପ୍ରସନ୍ନ ମିଶ୍ର ସାମିଲ ହେବାର ସ୍ବୀକୃତି ଦେଇଛନ୍ତି। ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ସହିତ ଆଲୋଚନା ଜାରି ରହିଛି। ଶ୍ରୀ ପଣ୍ଡା କିଛିଦିନ ସମୟ ମାଗିଛନ୍ତି, ହେଲେ ଦଳରେ ମିଶିବା ନେଇ ସ୍ପଷ୍ଟଭାବେ ମନା କରି ନାହାନ୍ତି। ଏପରିକି ଶାସକ ଦଳର ଅନେକ ଅସନ୍ତୁଷ୍ଟ ବିଧାୟକ ବିଜୁ ସମତାକ୍ରାନ୍ତି ଦଳରେ ଯୋଗ ଦେବାକୁ ଇଚ୍ଛୁକ। ୨୦୧୪ ନିର୍ବାଚନରେ ସମତାକ୍ରାନ୍ତି ଦଳର ରହିଥିବା ନିର୍ବାଚନୀ ଇସ୍ତାହାର ବିଜୁ ସମତାକ୍ରାନ୍ତି ଦଳର ଚିନ୍ତାଧାରା ସହିତ ପ୍ରାୟତଃ ସମାନ। ଏକ ରାଜନୈତିକ ଦଳ ଗଠନ ପାଇଁ ଯେଉଁ ପ୍ରକ୍ରିୟା ଆବଶ୍ୟକ ଆଗାମୀ ଦିନରେ ନିର୍ବାଚନ କମିସନଙ୍କ ସହିତ ଆଲୋଚନା ପରେ ନିଷ୍ପତ୍ତି ନିଆଯିବ।

ରାଜନୈତିକ ଦଳ ଘୋଷଣା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଡା.ରାଉତ କଡ଼ା ସମାଲୋଚନା କରିଥିଲେ। ବିଜୁବାବୁ ଓଡ଼ିଆମାନଙ୍କ ସ୍ବାଭିମାନ ପାଇଁ ଲଢ଼େଇ କରୁଥିଲେ। ହେଲେ ଆଜି କ୍ଷମତାରେ ରହିବା ପାଇଁ ଲଢ଼େଇ ଚାଲିଛି ବୋଲି ଡା.ରାଉତ କହିଛନ୍ତି।

ପୂର୍ବତନ କେନ୍ଦ୍ରମନ୍ତ୍ରୀ ବ୍ରଜ କିଶୋର ତ୍ରିପାଠୀ କହିଲେ, ରାଜ୍ୟରେ ବିଜେଡି ସରକାର ପିସି ଖିଆ ସରକାରେ ପରିଣତ ହୋଇଛି। ଆସନ୍ତା ଡିସେମ୍ବର ମାସରେ ଦଳର ବୈଠକ ବସିବା ପରେ ପରବର୍ତୀ ନିଷ୍ପତ୍ତି ନିଆଯିବ ବୋଲି ଶ୍ରୀ ତ୍ରିପାଠୀ ସୂଚନା ଦେଇଛନ୍ତି।

ଅନ୍ୟପକ୍ଷରେ ଡାକ୍ତର ରାଉତଙ୍କୁ ଆରମ୍ଭରୁ ଝଟକା ଲାଗିଛି। କାରଣ, ନୂଆ ଦଳ ‘ବିଜୁ ସମତାକ୍ରାନ୍ତି ଦଳ’ରେ କିମ୍ବା ପ୍ରତ୍ୟକ୍ଷ ରାଜନୀତିରେ ସାମିଲ ହେବା ପାଇଁ ତାଙ୍କର ଏବେ କୌଣସି ଯୋଜନା ନାହିଁ ବୋଲି ରାଜ୍ୟର ପୂର୍ବତନ ପୁଲିସ ଡିଜି ତଥା ଆଇପିଏସ ପ୍ରକାଶ ମିଶ୍ର ଗଣମାଧ୍ୟମକୁ କହିଛନ୍ତି। େସ କହିଛନ୍ତି, ସେ ଏବେ ସରକାରୀ ଚାକରିରୁ ଅବସର େନଇ ଖୁସିରେ ଜୀବନ ବିତାଉଛନ୍ତି। ଡାକ୍ତର ରାଉତ ତାଙ୍କ ସହ ଏହି ଦଳ ଗଠନ ସମ୍ପର୍କରେ କଥା ହୋଇଥିଲେ ଓ ଏଥିପାଇଁ ସେ ତାଙ୍କୁ ଶୁଭକାମନା ଜଣାଇଥିଲେ। ମାତ୍ର ତାହା ଅର୍ଥ ନୁହେଁ ଯେ, ସେ ଦଳରେ ସାମିଲ ହେବାକୁ ସମ୍ମତି ଜଣାଇଥିଲେ। ପୂର୍ବରୁ ବୈଜୟନ୍ତ ପଣ୍ଡାଙ୍କ ବିେରାଧରେ ମଧ୍ୟ ଡାକ୍ତର ରାଉତ ଗଣମାଧ୍ୟମରେ ଅତ୍ୟନ୍ତ କଟୁ ମନ୍ତବ୍ୟ େଦଇଥିଲେ। ଏହାପରେ ବୈଜୟନ୍ତ ଏହି ନୂଆ ଦଳରେ ମିଶିବା ସମ୍ଭାବନା କ୍ଷୀଣ େବାଲି କୁହାଯାଉଛି।

ସମ୍ବନ୍ଧିତ ଖବର