ଖତ ଖାଉଛି ୨୦ ଭ୍ରାମ୍ୟମାଣ ପାଇଖାନା: ପୁଲିସ ବିଭାଗରେ କେଳେଙ୍କାରୀ, ୪୫ ଲକ୍ଷ କ୍ଷତି ସହିବେ ସରକାର

କଟକ: ପୁଲିସ ବିଭାଗରେ ଏବେ ଖତ ଖାଉଛି ୨୦ଟି ଭ୍ରାମ୍ୟମାଣ ପାଇଖାନା। ଏଥିପାଇଁ ୪୫ ଲକ୍ଷ ୭୭ ହଜାର ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ତାହା କିନ୍ତୁ ବର୍ଷେ ହେଲା ବ୍ୟବହାର ନ ହୋଇ ପଡି ରହିଛି। ଚୁକ୍ତି ଅନୁଯାୟୀ, ଘରୋଇ ସଂସ୍ଥା ପାଇଖାନାରେ ୪ ହଜାର ଲିଟର କ୍ଷମତା ବିଶିଷ୍ଟ ମଇଳା ରଖିବା ଟାଙ୍କି ସହିତ ମଇଳା ନିଷ୍କାସନ ଯନ୍ତ୍ର ଯୋଗାଇବାର ଥିଲା। କିନ୍ତୁ ଚୁକ୍ତି ଖିଲାପ୍ କରି ଘରୋଇ ସଂସ୍ଥା ପୁଲିସ ବିଭାଗକୁ ବିନା ମଇଳା ନିଷ୍କାସନ ଯନ୍ତ୍ରରେ ୨୦ଟି ପାଇଖାନା ଯୋଗାଇଛି। ଏହି ପାଇଖାନା ବାବଦ ସମସ୍ତ ଟଙ୍କା ବି ଘରୋଇ ସଂସ୍ଥା ପୁଲିସ ବିଭାଗରୁ ନେଇ ସାରିଛି। ତେବେ ପାଇଖାନାରେ ମଇଳା ନିଷ୍କାସନ ଯନ୍ତ୍ର ନଥିବାରୁ ଏହି ପାଇଖାନା ଷଷ୍ଠ ବାଟାଲିୟନରେ ଗଲା ଏକ ବର୍ଷ ହେବ ବ୍ୟବହାର ନହୋଇ ଖତ ଖାଉଥିବା ଭଳି ସଂଗିନ ଅଭିଯୋଗ ଏବେ ସାମନାକୁ ଆସିଛି।

ସୂଚନା ଅନୁଯାୟୀ, ପୁଲିସ ମୁଖ୍ୟାଳୟ ପକ୍ଷରୁ ୨୦୨୦ ବର୍ଷରେ ପୁଲିସ ବିଭାଗ ପାଇଁ ୨୦ଟି ଭ୍ରାମ୍ୟମାଣ ପାଇଖାନା କିଣିବା ପାଇଁ ସରକାରଙ୍କ ଇ-ମାକେର୍ଟ(ଜେମ) ଜରିଆରେ ୨୦୨୦ ଜୁଲାଇ ୨୨ ତାରିଖରେ ଅଭିଜ୍ଞ ବିକ୍ରେତା ବା ଫାର୍ମମାନଙ୍କଠାରୁ ଟେଣ୍ଡର ଆହ୍ୱାନ କରିଥିଲେ। ଏହି ଶୌଚାଳୟରେ ପାଣି, ହାତ ଧୋଇବା ପାଇଁ ବେସିନ ସହିତ ମଇଳା ରଖିବା ପାଇଁ ୪ ହଜାର ଲିଟର କ୍ଷମତା ବିଶିଷ୍ଟ ଟାଙ୍କି ଓ ମଇଳା ନିଷ୍କାସନ ଯନ୍ତ୍ରର ସୁବିଧା ରହିବ ବୋଲି ଦର୍ଶାଯାଇଥିଲା। ଶୌଚାଳୟ ଓଡ଼ିଶା ପୁଲିସକୁ ବିକ୍ରି କରିବା ପାଇଁ ୧୬ଟି ଫାର୍ମ ସେଣ୍ଟ୍ରାଲ ଅପ୍ଟିକାଲ ୱାର୍କ୍ସ, ପିଏସ୍‌. ଉଦ୍ୟୋଗ, ସମିତି ଇନଫ୍ରା ଲିମିଟେଡ଼, ଶିବପ୍ରିୟ ଇଣ୍ଡଷ୍ଟ୍ରିଜ, ଏପିସନ ଏଣ୍ଟରପ୍ରାଇଜ, ସିବିଏସ୍‌. ଟେକ୍ନୋଲୋଜି ପ୍ରାଇଭେଟ ଲିମିଟେଡ଼, ଏନଭିଓ ଏନର୍ଜି ପ୍ରାଇଭଟେ ଲିମିଟେଡ଼, ଜେକେ ମେସିନ ଟୁଲସ ପ୍ରାଇଭେଟ ଲିମିଟେଡ଼( ଗୁଜରାଟ), ଡ଼ୁଅ ମେସିନ କର୍ପସ, ପାର୍ଥ ଫାଇବ୍ରୋ ଟେକ, ନିଗମ ସପ୍ଲାୟର୍ସ, ମେସର୍ସ ମମତା ପ୍ରଡ଼କ୍ଟସ, ଏକ୍ସେଲ ଫାଇବ୍ରୋ ଟେକ୍ ପ୍ରାଇଭେଟ ଲିମିଟେଡ଼, ମେସର୍ସ ମୀରା ଓ ଘୋଡ଼ୁ ଇନଫୋଟେକ ପ୍ରାଇଭେଟ ଲିମିଟେଡ଼ ଜରିଆରେ ଟେଣ୍ଡର ପକାଇଥିଲେ। ଉପରୋକ୍ତ ୧୬ଟି ଫାର୍ମ ମଧ୍ୟରୁ ୪ଟି ଫାର୍ମ ଯଥା ଏନଭିଓ ଏନର୍ଜି ପ୍ରାଇଭେଟ ଲିମିଟେଡ ସର୍ବନିମ୍ନ ୪୫ ଲକ୍ଷ ୭୭ ହଜାର ଟଙ୍କା, ଏପିସନ ଏଣ୍ଟରପ୍ରାଇଜ ୪୫ ଲକ୍ଷ ୮୫ ହଜାର ଟଙ୍କା, ମେସର୍ସ ମମତା ପ୍ରଡକ୍ଟସ ୫୦ଲକ୍ଷ ୧୭ ହଜାର ୮୬୦ ଟଙ୍କା ଓ ପାର୍ଥ ଫାଇବ୍ରୋ ଟେକ୍ ୬୯ ଲକ୍ଷ ୯୭ ହଜାର ୯୪୦ ଟଙ୍କା ମୂଲ୍ୟରେ ୨୦ଟି ଭ୍ରାମ୍ୟମାଣ ପାଇଖାନା ବିକ୍ରି କରିବା ପାଇଁ ଯୋଗ୍ୟତା ହାସଲ କରିଥିଲେ।

ଏହି ଚାରିଟି ଫାର୍ମ ମଧ୍ୟରୁ ଏସ୍‌ଭିଓ ଏନର୍ଜି ପ୍ରାଇଭେଟ ଲିମିଟେଡ଼ ସବୁଠାରୁ କମ ଟଙ୍କା ୪୫ ଲକ୍ଷ ୭୭ ହଜାରରେ ଟେଣ୍ଡର ପକାଇ ଥିବାରୁ ଉକ୍ତ ସଂସ୍ଥାକୁ ପୁଲିସ ମୁଖ୍ୟାଳୟ ବୈଷୟିକ କମିଟି ଗ୍ରହଣ କରିବା ସହିତ ଚୁକ୍ତି ଆଦେଶନାମା ପ୍ରଦାନ କରିଥିଲେ। ଉକ୍ତ ସଂସ୍ଥା ୨୦ଟି ଭ୍ରାମ୍ୟମାଣ ପାଇଖାନା ଯୋଗାଇ ଦେଇ ୪୫ଲକ୍ଷ ୭୭ ହଜାର ଟଙ୍କା ପାଇଛି। ଚୁକ୍ତି ମୁତାବକ ଏନଭିଓ ଏନର୍ଜି ପ୍ରାଇଭେଟ ଲିମିଟେଡ଼ ୨୦ଟି ପାଇଖାନା ସହିତ ୨୦ଟି ୪ ହଜାର ଲିଟର କ୍ଷମତା ବିଶିଷ୍ଟ ଟାଙ୍କି ଏବଂ ମଇଳା ନିଷ୍କାସନ ଯନ୍ତ୍ର ଯୋଗାଇବା କଥା। କିନ୍ତୁ ଉକ୍ତ ଫାର୍ମ ମଇଳା ନିଷ୍କାସନ ଯନ୍ତ୍ର ଯୋଗାଇ ନଥିବା ବେଳେ କିପରି ଖାଲି ପାଇଖାନା ବୈଷୟିକ କମିଟି ଦ୍ୱାରା ଗ୍ରହଣ କରାଗଲା ଏବଂ ସମସ୍ତ ଅର୍ଥ ଉକ୍ତ ଫାର୍ମକୁ ପ୍ରଦାନ କରାଗଲା ତାହାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। ପୁଲିସ ବିଭାଗ ପାଇଁ ଆବଶ୍ୟକ ଥିବା ସମସ୍ତ ଜିନିଷ କିଣିବା ପାଇଁ ପୁଲିସ ମୁଖ୍ୟାଳୟ ଦ୍ୱାରା ଯେଉଁ ବୈଷୟକ କମିଟି ଗଠନ କରାଯାଇଛି ତାହାର ଅଧ୍ୟକ୍ଷ ଆଇଜି ଯତୀନ୍ଦ୍ରନାଥ କୋଏଲ ଥିବା ବେଳେ ଅନ୍ୟ ପୁଲିସ ପଦାଧିକାରୀ ଏହାର ସଭ୍ୟ ଅଛନ୍ତି। ଏବେ ପ୍ରଶ୍ନ ଉଠୁଛି ଏପିସନ ଏଣ୍ଟରପ୍ରାଇଜ ୪୫ ଲକ୍ଷ ୮୫ ହଜାର ଟଙ୍କା, ମେସର୍ସ ମମତା ପ୍ରଡକ୍ଟସ ୫୦ ଲକ୍ଷ ୧୭ ହଜାର ୮୬୦ ଟଙ୍କା ଓ ପାର୍ଥ ଫାଇବ୍ରୋ ଟେକ ୬୯ଲକ୍ଷ ୯୭ ହଜାର ୯୪୦ ଟଙ୍କାରେ ୨୦ଟି ଭ୍ରାମ୍ୟମାଣ ପାଇଖାନା ସହିତ ମଇଳା ନିଷ୍କାସନ ଯନ୍ତ୍ର ବିକ୍ରି ପାଇଁ ସହମତି ପ୍ରକାଶ କରିଥିବା ବେଳେ ଏନଭିଓ ଏନର୍ଜିକୁ କାହିଁକି ୪୫ଲକ୍ଷ ୭୭ହଜାର ଟଙ୍କାରେ ବିନା ମଇଳା ନିଷ୍କାସନ ଯନ୍ତ୍ରରେ ଭ୍ରମ୍ୟମାଣ ପାଇଖାନା ଗ୍ରହଣ କରାଗଲା? ବର୍ତ୍ତମାନ ଯଦି ଭ୍ରାମ୍ୟମାଣ ପାଇଖାନା ପାଇଁ ସ୍ୱତନ୍ତ୍ର ୨୦ଟି ମଇଳା ନିଷ୍କାସନ ଯନ୍ତ୍ର ଜେମ ଦ୍ୱାରା କିଣାଯିବ ତେବେ ସରକାରଙ୍କ ରାଜ କୋଷରୁ ଆହୁରି ପ୍ରାୟ ୪୦ ଲକ୍ଷ ଟଙ୍କା ଭରଣା କରିବାକୁ ପଡ଼ିବ। ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ହେଲେ ବଡ଼ ଧରଣର ଦୁର୍ନୀତି ସାମନାକୁ ଆସିବ ବୋଲି ମତ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର