ନଷ୍ଟ ହୋଇଯିବ ଲକ୍ଷାଧିକ ମା’ ଓ ଶିଶୁ ସୁରକ୍ଷା କାର୍ଡ

ଉଡ଼ିଗଲା ଗୃହ ଅର୍ଥନୀତି ତାଲିମ କେନ୍ଦ୍ର ଗୋଦାମଘର ଆଜବେଷ୍ଟସ୍ଡି, ଟୋରିୟମ୍ ସିଲିଂ ଛିନଛତ୍ର, ଉଜୁଡ଼ିଯାଇଛି ସବୁଜିମା

ଭୁବନେଶ୍ବର: ରାଜ୍ୟରେ ଅଙ୍ଗନବାଡ଼ି କର୍ମୀମାନଙ୍କ ପାଇଁ ଲକ୍ଷ୍ମୀସାଗରରେ ଥିବା ଗୃହ ଅର୍ଥନୀତି ତାଲିମ କେନ୍ଦ୍ର ବା ଏଚ୍‌ଇଟିସି ବାତ୍ୟାରେ ବହୁ ମାତ୍ରାରେ ପ୍ରଭାବିତ ହୋଇଛି। କେନ୍ଦ୍ରର ନୂତନ ବିଲ୍ଡିଂରେ ସିଲିଂ ଖସି ପଡ଼ିଥିବା ବେଳେ ଏହାର ପରିସରରେ ଥିବା ସବୁଜିମା ଉଜୁଡ଼ି ଯାଇଛି। ତେବେ କେନ୍ଦ୍ରର ଗୋଦାମଘରେ ଥିବା ଲକ୍ଷାଧିକ ମା’ ଓ ଶିଶୁ ସୁରକ୍ଷା ବା ଏମ୍‌ସିପିସି କାର୍ଡ ନଷ୍ଟ ହେବା ଆଶଙ୍କା ସୃଷ୍ଟି ହୋଇଛି। କ୍ୟାମ୍ପସ୍‌ରେ ଥିବା ଗୋଦାମଘରର ଆଜବେଷ୍ଟସନ୍ ଉଡ଼ି ଯାଇଥିବାରୁ କାର୍ଡଗୁଡ଼ିକ ସଂପୂର୍ଣ୍ଣ ଓଦା ହୋଇଯାଇଛି। ବାତ୍ୟା ପ୍ରଭାବରେ କ୍ୟାମ୍ପସ୍‌ରେ ଲକ୍ଷାଧିକ ଟଙ୍କାର କ୍ଷୟକ୍ଷତି ହୋଇଥିବା ଅନୁମାନ କରାଯାଉଛି।

ଗର୍ଭଧାରଣଠାରୁ ଶିଶୁ ୧୬ବର୍ଷ ହେଲା ପର୍ଯ୍ୟନ୍ତ ଏହି ମା’ ଓ ଶିଶୁ ସୁରକ୍ଷା କାର୍ଡ ଗୁରୁତ୍ବ ବହନ କରିଥାଏ। ଏଥିରେ ଗର୍ଭବତୀ ମହିଳା କେଉଁ କେଉଁ ପ୍ରକାର ଟିକା ନେଇଛି ଓ ସରକାରଙ୍କ ପକ୍ଷରୁ କେଉଁ ସହାୟତା ଦିଆଯାଇଛି ସେ ସଂପର୍କରେ ଉଲ୍ଲେଖ ରହିଥାଏ। ଏହି କାର୍ଡ ଗର୍ଭବତୀ ମହିଳାକୁ ମମତା ଯୋଜନାରେ ସାମିଲ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ଗତ ଡିସେମ୍ବର ମାସ‌ରେ ଏହି କେନ୍ଦ୍ରକୁ ୧୦ଲକ୍ଷ ଏମ୍‌ସିପିସି କାର୍ଡ ଆସିଥିଲା। ଏହି କାର୍ଡ ସିଡିଏମ୍‌ଓଙ୍କ ସହିତ ୩ଟି ମେଡିକାଲ କଲେଜ ଓ କ୍ୟାପିଟାଲ ହସ୍ପିଟାଲ ସହାୟତାରେ ଏ ପର୍ଯ୍ୟନ୍ତ ୪ଲକ୍ଷ କାର୍ଡ ବଣ୍ଟନ ହୋଇଥାଏ। ଏବେସୁଦ୍ଧା ୪ଲକ୍ଷ କ‌ାର୍ଡ ବଣ୍ଟନ ହୋଇସାରିଥିବା ବେଳେ ଏବେ ବି ଗୋଦାମଘରେ ୬ଲକ୍ଷ କାର୍ଡ ବର୍ଷାରେ ଓଦା ହୋଇ ପଡ଼ି ରହିଛି। ଏହାସହ ଆଦ୍ୟ ଶୈଶବର ଯତ୍ନ ଓ ଶିକ୍ଷା ବା ଇସିସିଇ କାର୍ଡ ଅବ୍ୟବସ୍ଥା ଭିତରେ ଗୋଦାମଘରେ ପଡ଼ିଛି। ଶୀଘ୍ର ଅନ୍ୟତ୍ର ସ୍ଥାନାନ୍ତରିତ ନ କଲେ ଏସବୁ କାର୍ଡ ନଷ୍ଟ ହୋଇଯିବାର ଆଶଙ୍କା ସୃଷ୍ଟି ହୋଇଛି।

ଅପରପକ୍ଷରେ କିଛିବର୍ଷ ପୂର୍ବରୁ ବହୁ କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଥିବା ନୂତନ ବିଲ୍ଡିଂ ଓ ହଷ୍ଟେଲର ଝରକା ଓ କରିଡର୍‌ କାଚ ଭାଙ୍ଗି ଯାଇଛି। ପ୍ରେକ୍ଷାଳୟର ସିଲିଂ ଛିନଛତ୍ର ହୋଇଯାଇଛି। ୫ଟି ସ୍ଥାନରେ ପାଚେରି ଭାଙ୍ଗି ଯାଇଥିବା ବେଳେ ହଷ୍ଟେଲର ମୁଖ୍ୟ ଫାଟକ ଭୁଶୁଡ଼ି ପଡ଼ିଛି। ୮ଏକର ଜାଗାରେ ଥିବା ଏହି ତାଲିମ କେନ୍ଦ୍ରର ସବୁଜିମା ବାତ୍ୟା ଯୋଗୁଁ ସଂପୂର୍ଣ୍ଣ ଉଜୁଡ଼ି ଯାଇଛି। କେନ୍ଦ୍ର ପରିସରରେ ଆମ୍ବ, ଲିଚୁ, ଜାମୁ, ପଣସ ସମେତ ବହୁ ପୁରୁଣା ଗଛ ଭାଙ୍ଗି ଯାଇଛି। ଏହି ଗଛ ଟ୍ରାନ୍‌ସଫର୍ମର ଉପରେ ପଡ଼ିବା ଯୋଗୁଁ ତାହା ଏବେ ଅଚଳ। ଗଛ ପଡ଼ିଯିବା ଯୋଗୁଁ ଏଆଇ ବା ସହକାରୀ ପ୍ରଶିକ୍ଷିକାଙ୍କ କ୍ବାର୍ଟର୍ସ ଭାଙ୍ଗି ଯାଇଛି। ୨୮୮ ଶଯ୍ୟା ବିଶିଷ୍ଟ ହଷ୍ଟେଲରେ ଅଙ୍ଗନବାଡ଼ି କର୍ମୀଙ୍କ ରହିବା ପାଇଁ ବ୍ୟବସ୍ଥା ହୋଇଥିଲେ ହେଁ, ବିଦ୍ୟୁତ ସଂଯୋଗ ପାଇଁ ଡିଜିସେଟ୍‌ର ମଧ୍ୟ ବ୍ୟବସ୍ଥା ନାହିଁ। ତାଲିମ କେନ୍ଦ୍ରର ଜଣେ କର୍ମଚାରୀଙ୍କ କହିବା ମୁତାବକ, ୧୯୯୯ ମହାବାତ୍ୟାରେ ମଧ୍ୟ ଏହା ପ୍ରଭାବିତ ହୋଇଥିଲା। ମାତ୍ର ରାଜ୍ୟ ସରକାରଙ୍କ ପକ୍ଷରୁ ଏହାକୁ ଗୁରୁତ୍ବ ଦିଆଗଲା। ଏବେ ‘ଫନି’ରେ ତାଲିମ କେନ୍ଦ୍ର ବହୁ ମାତ୍ରାରେ ପ୍ରଭାବିତ ହୋଇଛି। ଏଚ୍‌ଇଟିସର ଜଣେ ଅଧିକାରୀଙ୍କ କହିବା ମୁତାବକ ଲାଇନ୍ ନ ଥିବାରୁ ଅଫିସ୍ ଓ ତାଲିମ କାମ ପ୍ରଭାବିତ ହେଉଛି। କ୍ୟାମ୍ପସ୍‌ର ସବୁଜିମା ନଷ୍ଟ ହୋଇଯାଇଛି। ବାତ୍ୟା ଯୋଗଁ କେନ୍ଦ୍ରରେ ୫୦ଲକ୍ଷ ଟଙ୍କାରୁ ଊର୍ଧ୍ବ କ୍ଷୟକ୍ଷତି ହୋଇଥିବା ସେ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର