ରାଜନଗର: ରାଜନଗର ନିକଟରେ ବହିଯାଇଥିବା ହଂସୁଆ ନଦୀ ଏବେ ଉଗ୍ରମୁଖା ହୋଇଉଠିଛି। ରାଜନଗର ବଜାର ନିକଟରେ ଥିବା ପଥର ପ୍ୟାକିଂକୁ ହଂସୁଆ ନଦୀର ଜୁଆର ତା ଗର୍ଭକୁ ଟାଣି ନେଇଛି। ମାତ୍ର ୧୨ ଘଂଟା ଭିତରେ ୧୫ ଫୁଟ ଚଉଡା ଓ ୫୦ ଫୁଟ ଲମ୍ବର ପଥର ପ୍ୟାକିଂ ଓ ପଠା ଧସି ପଡ଼ିଛି। ହଂସୁଆ ନଦୀର ଏହି ଉଗ୍ରମୂଖା ରୂପ ରାଜନଗର ବଜାର ପ୍ରତି ବିପଦ ସୃଷ୍ଟି କରିଛି। ଏଥିଯୋଗୁ ନଦୀ ନିକଟରେ ଥିବା ପରିବାର ଓ ବ୍ୟବସାୟୀ ଆତଙ୍କିତ ହୋଇପଡିଛନ୍ତି।

Advertisment

ରାଜନଗର ଗାଁ ନିକଟରେ ହଂସୁଆ ନଦୀ ବହି ଯାଇଛି। ହଂସୁଆ ନଦୀ କୂଳ ଖାଇବା ଯୋଗୁଁ ହଂସୁଆ ସେତୁ ନିକଟରୁ ଗାଁ ଶେଷମୁଣ୍ତ ଯାଏ ନଦୀ କୂଳେ କୂଳେ ୧୦ ବର୍ଷ ତଳେ ପଥର ପ୍ୟାକିଂ କରାଯାଇଥିଲା। ନଦୀ କୂଳରେ କିଛି ଲୋକଙ୍କ ଘର ଥିବା ବେଳେ ଅନ୍ୟ ସ୍ଥାନରେ ବ୍ୟବସାୟୀମାନଙ୍କୁ ପ୍ରଶାସନ ପକ୍ଷରୁ ଥଇଥାନ କରାଯାଇଛି। ଯେଉଁ ସ୍ଥାନରେ ପ୍ୟାକିଂ ଧସିଛି, ସେହି ସ୍ଥାନର ମାତ୍ର ୧୦ଫୁଟ ଦୂରରେ ରାଜନଗର ପଂଚାୟତ ପକ୍ଷରୁ ନୂତନ ଶୌଚାଳୟ ନିର୍ମାଣ କରାଯାଇଛି। ଆଜି ସକାଳେ ଶୌଚାଳୟ ନିକଟରେ ୧୦ଫୁଟ ଲମ୍ବର ପଥର ପ୍ୟାକିଂ ଧସି ଯାଇଥିବା ଲୋକେ ଦେଖିଥିଲେ। ମାତ୍ର ଦିନ ପ୍ରାୟ ୧୨ଟା ବେଳେ ହଠାତ୍ ଜୁଆର ସମୟରେ ୫୦ଫୁଟ ଲମ୍ବ ଓ ୧୫ଫୁଟ ଚଉଡ଼ାର ପଥର ପ୍ୟାକିଂ ଓ ପଠାକୁ ନଦୀର ଜୁଆର ନଦୀ ଗର୍ଭକୁ ଟାଣି ନେଇଥିଲା। ଏଥିସହ ଏବେ ମଧ୍ୟ ପଥର ପ୍ୟାକିଂର ଉପରଭାଗ ଓ ପଠା ଆଁ କରି ରହିଛି। ଯୁଦ୍ଧକାଳୀନ ଭିତ୍ତିରେ ବ୍ୟବସ୍ଥା ଗ୍ରହଣ କରାନଗଲେ ନଦୀ ଜୁଆର ସ୍ଥଳ ଭାଗକୁ ମାଡି ଆସିବ ବୋଲି ଆଶଙ୍କା ପ୍ରକାଶ ପାଇଛି। ଯେଉଁ ସ୍ଥାନରେ ନଦୀ ଜୁଆର ପ୍ୟାକିଂ ଓ ପଠାକୁ ଭସାଇ ନେଇଛି ସେହି ସ୍ଥାନର ମାତ୍ର ୧୦ଫୁଟ ଦୂରରେ ଶୌଚାଳୟ ଓ ନଳକୂପ ରହିଛି। ଶୌଚାଳୟର ନିର୍ମାଣ କାର୍ଯ୍ୟ ଶେଷ ହୋଇଥିଲେ ମଧ୍ୟ ଆଜିଯାଏ ଏହାର ଉଦ୍‌ଘାଟନ ହୋଇନି। ୬ମାସ ତଳେ ହଂସୁଆ ନଦୀର ବିପରୀତ ପାର୍ଶ୍ବରେ କିଆଯୋରୀ ନିକଟରେ ୩ଟି ସ୍ପର୍‌ ନିର୍ମାଣ କରାଯିବା ସହ ଡିଆପାରି ପାର୍ଶ୍ବରେ ପଥର ପ୍ୟାକିଂ କରାଯାଇଛି। ବିପରୀତ ଦିଗରେ ହୋଇଥିବା ସ୍ପର୍‌ ଯୋଗୁଁ ନଦୀର ଜୁଆର ଅପରପାର୍ଶ୍ବରେ ମାଡ ନେଇ ଏପରି ସ୍ଥିତି ସୃଷ୍ଟି ହୋଇଥିବା କୁହାଯାଉଛି। ଏ ସଂପର୍କରେ ତଟବନ୍ଧ ବିଭାଗର ସହକାରୀ ଯନ୍ତ୍ରୀ ଭଞ୍ଜ ପ୍ରସାଦ ରାଉତଙ୍କୁ ପଚାରିବାରୁ ଆସନ୍ତାକାଲି ସକାଳେ ଅଧୀକ୍ଷଣ ଯନ୍ତ୍ରୀ ଘଟଣା ସ୍ଥଳକୁ ଆସିବେ। ତାପରେ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି।