ଯାଜପୁରସଦର: କଂକ୍ରିଟ୍‌ କେନାଲକୁ ଭାଙ୍ଗି ଦୁର୍ବୃତ୍ତ ଘାଇ ସୃଷ୍ଟି କଲେ। ଧାନ ରୁଆ ହୋଇଥିବା ଜମି ଏବଂ ତଳିଘେରାରେ ପାଣି, ବାଲି ମାଡ଼ିଯିବାରୁ ଚାଷ ନଷ୍ଟ ହୋଇଛି। ଏଭଳି ଘଟଣା ଦେଖିବାକୁ ମିଳିଛି ଯାଜପୁର ବ୍ଲକ୍‌ ବାସୁଦେବାପୁର ପଞ୍ଚାୟତର ଜାଲପୁର ଗ୍ରାମରେ।

Advertisment

ସୂଚନା ଅନୁସାରେ ଜାଲପୁର ଗ୍ରାମର କେନାଲ ବନ୍ଧକୁ କେହି ଦୁର୍ବୃତ୍ତ ଗତକାଲି ରାତିରେ ଭାଙ୍ଗି ଦେଇଛି। ଆଜି ସକାଳୁ ଚାଷୀମାନେ  କଂକ୍ରିଟ ନାଳର ବାମପାର୍ଶ୍ବରେ ‌ଘାଇ ହୋଇଥିବା ଦେଖିବାକୁ ପାଇଥିଲେ। ସେତେ ବେଳକୁ ୨୦/୨୫ ଜଣ ଚାଷୀଙ୍କ ଜମିରେ ପାଣି ମାଡ଼ିଯାଇ ତଳି  ନଷ୍ଟ ହୋଇଥିଲା। କିଛି ରୁଆଧାନ ବି ଏହି ଘାଇ ଜଳରେ ନଷ୍ଟ ହୋଇଯାଇଛି।  ଏନେଇ ଜଳ ସଂପଦ ବିଭାଗ ଖବର ପାଇବା ପରେ ଘାଇ ହୋଇଥିବା ସ୍ଥାନକୁ ବନ୍ଦ କରାଯାଇଥିଲା।  ଗତବର୍ଷ ମଧ୍ୟ ଏହି ସ୍ଥାନରେ ଘାଇ ସୃଷ୍ଟି କରାଯାଇଥିଲା। ଠିକା କାମ ପାଇବା ପାଇଁ ଏଭଳି ଘାଇ କରାଯାଉଥିବା ଅଭିଯୋଗ ହୋଇଛି। ତେଣୁ ଘାଇ ସୃଷ୍ଟି ପରେ କିଛି ଠିକାଦାରଙ୍କ ମଧ୍ୟରେ  ମରାମତିକୁ ନେଇ ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି। ଘାଇ ପୂର୍ବରୁ ସେଠାରେ କିଏ ବାଲିବସ୍ତା ମହଜୁଦ କରି ରଖିଥିଲା ବୋଲି ଗ୍ରାମବାସୀମାନେ ପ୍ରଶ୍ନ ଉଠାଇଛନ୍ତି।  ଘାଇ ସୃଷ୍ଟି କରିଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି ହେଉଛି।