ଗୋପ : ରକ୍ଷଣାବେକ୍ଷଣ ଅଭାବରୁ ଭୂତ କୋଠି ପାଲଟିଛି ଡାକବଙ୍ଗଳା, ଖତଖାଉଛି ପରିସରରେ ଥିବା ସାମଗ୍ରୀ

ଗୋପ : ଗୋପ-କୋଣାର୍କ ରାସ୍ତାର ଗୋପ ଥାନା ସମ୍ମୁଖରେ ରହିଛି ବ୍ରିଟିସ୍‌ ଅମଳର ଏକ ଡାକବଙ୍ଗଳା। ପୂର୍ତ ବିଭାଗ ଅଧୀନରେ ଥିବା ଏହି ବଙ୍ଗଳାରେ ଉଚ୍ଚପଦସ୍ଥ ଅଧିକାରୀ କିମ୍ବା ସରକାରୀ ଅତିଥି ଆସିଲେ ବିଶ୍ରାମ ନିଅନ୍ତି। କିନ୍ତୁ ରକ୍ଷଣାବେକ୍ଷଣ ଅଭାବରୁ ତାହା ଭୂତକୋଠି ଭଳି ହୋଇପଡ଼ିଛି। ଅଧିକାରୀମାନଙ୍କ ପାଇଁ ଏହା ଏବେ ଅଲୋଡ଼ା ହୋଇ ଯାଇଥିବାବେଳେ ସେହି ସ୍ଥାନରେ ଆଜି ବିଷଧର ସରୀସୃପ ବିଚରଣ କରୁଛନ୍ତି। ଖାଲି ସେତିକି ନୁହେଁ, ନିଶାଖୋର ଅସାମାଜିକ ବ୍ୟକ୍ତିମାନଙ୍କର ଏହା ମଧ୍ୟ ଆଡ଼ା ପାଲଟିଛି। ଏହି ବଙ୍ଗଳା ମରାମତି ନିମନ୍ତେ ପ୍ରତିବର୍ଷ ଲକ୍ଷାଧିକ ଟଙ୍କା ରାଜ୍ୟ ସରକାର ଯୋଗାଇ ଦେଇଥାନ୍ତି। ହେଲେ ଏଠାରେ କାର୍ଯ୍ୟରତ କର୍ମଚାରୀମାନେ ଏହାକୁ ଆତ୍ମସାତ୍‌ କରି ନେଉଥିବା ଅଭିଯୋଗ ହେଉଛି।

ଏହି ବଙ୍ଗଳା ପରିସରରେ ମଧ୍ୟ ରହିଛି ପୁରୁଣା କର୍ମଚାରୀ କ୍ବାର୍ଟର୍ସ ଓ ଅଫିସ କାର୍ଯ୍ୟାଳୟ। ତାହା ମଧ୍ୟ ରକ୍ଷଣାବେକ୍ଷଣ ଅଭାବରୁ ଜରାଜୀର୍ଣ୍ଣ ହୋଇ ପଡ଼ିଛି। କାର୍ଯ୍ୟାଳୟକୁ ମାସ ମାସ ଧରି କର୍ମଚାରୀମାନେ ନ ଆସିବାରୁ ଏହି ଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଏଠାରେ ଦୁଇଟି ରୋଲର୍‌ ଦୀର୍ଘଦିନ ହେବ ବର୍ଷା, ଖରା ଓ କାକର ଖାଇ ଖାଇ ଏବେ ଅକାମୀ ହୋଇରହିଛି। ସେଥିରେ ମଧ୍ୟ ଲତା ମାଡ଼ିଗଲାଣି। ଚାରିପଟେ ଏକ ନିସ୍ତବ୍ଧ ଅନ୍ଧକାର ଘେରି ରହିଛି। ଏହି ପରିସରରେ କନିଷ୍ଠ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଥିବା ବେଳେ ଉକ୍ତ କାର୍ଯ୍ୟାଳୟ ସବୁ ସମୟରେ ତାଲା ପଡ଼ି ରହୁଛି ଏବଂ କାର୍ଯ୍ୟାଳୟର ଝରକାଗୁଡିକ ଭାଙ୍ଗି ଝୁଲି ରହିଛି। କେତେକ ଝରକା କିଏ ତାଡ଼ି ନେଇଗଲାଣି। ଫନି ପରେ ଏହି ବଙ୍ଗଳାର ମରାମତି ନିମନ୍ତେ ୫ ଲକ୍ଷ ଟଙ୍କା ଆସିଥିଲେ ମଧ୍ୟ ତାହାର ଖର୍ଚ୍ଚ କିଭଳି ହୋଇଛି ସେ ନେଇ ତଦନ୍ତ ଆବଶ୍ୟକ ବୋଲି ସ୍ଥାନୀୟ ଲୋକେ କହିଛନ୍ତି।

କୁଶଭଦ୍ରା ସେତୁ ନିକଟରେ ସଂପ୍ରସାରିତ ସେତୁ ନିର୍ମାଣ ସମୟରେ ସେଠାରେ ଏକ ଅସ୍ଥାୟୀ କାଠପୋଲ ନିର୍ମାଣ କରାଯାଇଥିଲା ଯାହା ସେ ସମୟରେ ବିବାଦୀୟ ହୋଇ ପଡ଼ିଥିଲା। ଉକ୍ତ କାଠପୋଲରୁ କିଛି ପଟା କାଢିଆଣି ଏହି ବଙ୍ଗଳା ପରିସରରେ ରଖାଯାଇଛି। ସେଗୁଡ଼ିକ ମଧ୍ୟ ବର୍ଷା ଏବଂ ଖରା ଖାଇବା ଦ୍ବାରା ନଷ୍ଟ ହୋଇ ମାଟିରେ ମିଶିଲାଣି। ପୁରୁଣା କ୍ବାର୍ଟର୍ସଗୁଡ଼ିକ ଫନି ପରେ ମରାମତି ଅଭାବରୁ ଧ୍ବଂସ ହୋଇଯାଇଥିବା ବେଳେ ସେଥିରେ ଏବେ ନାଗ ଓ ତମ୍ପ ଭଳି ବିଷଧର ସାପ ଦେଖିବାକୁ ମିଳୁଛନ୍ତି। ବଙ୍ଗଳାଟିରେ ସବୁ ସମୟରେ ତାଲା ପଡ଼ି ରହୁଛି। ପାଚେରି ମଧ୍ୟ କେତେକ ସ୍ଥାନରେ ଭାଙ୍ଗିବା ଆରମ୍ଭ କଲାଣି। ଏହି ବ୍ରିଟିସ୍‌ ଅମଳର ଡାକ ବଙ୍ଗଳାକୁ ତୁରନ୍ତ ପୁନରୁଦ୍ଧାର କରିବାକୁ ଗୋପ ଅଞ୍ଚଳର ବୁଦ୍ଧିଜୀବୀ ବିଭୂତି ପଟ୍ଟନାୟକ, କୈଳାଶ ଚନ୍ଦ୍ର ପାତ୍ର ପ୍ରମୁଖ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର