ଦିନିଆରୀ-ଆଦିବାସୀ ସାହି ରାସ୍ତା: ୫୦୦ ମିଟର ଯିବାକୁ ୩୦ ମିନିଟ

ଖୋର୍ଦ୍ଧା : ବେଗୁନିଆ ବ୍ଲକ ଅନ୍ତର୍ଗତ ଦିନିଆରୀ ଆଦିବାସୀ ସାହିକୁ କୌଣସି ପକ୍କା ରାସ୍ତା ନାହିଁ । ଏନେଇ ଦୀର୍ଘ ଦଶନ୍ଧୀ ଧରି ଗ୍ରାମବାସୀ ଦାବି କରିଆସୁଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇନାହିଁ ।

ଦିନିଆରୀ ଗାଁ ଠାରୁ ଆଦିବାସୀ ସାହିର ଦୂରତା ମାତ୍ର ୫୦୦ ମିଟର । କଚା ମାଟି ରାସ୍ତାଟି ଖାଲଖମାରେ ଭର୍ତି । ଶୁଖିଲା ପାଗରେ ରାସ୍ତା ଦେଇ କୌଣସି ମତେ ଲୋକମାନେ ଯିବା ଆସିବା କରିବାରେ ସକ୍ଷମ, କିନ୍ତୁ ଅସରାଏ ବର୍ଷା ପଡ଼ିଲେ ରାସ୍ତାରେ ସାଧାରଣ ମଣିଷ କ’ଣ ଗାଡ଼ିମୋଟର ଯିବା କଷ୍ଟକର ହୋଇପଡ଼େ । ଅନେକ ସମୟରେ ଗୁରୁତର ରୋଗୀଙ୍କୁ ନେବା ଆଣିବା କରିବାରେ ଗାଁ ଲୋକ ଅନେକ ସମସ୍ୟାର ସମ୍ମୁଖିନ ହୁଅନ୍ତି । ଆମ୍ବୁଲାନ୍ସ ଗାଁ ଭିତରକୁ ଆସିପାରୁନଥିବାରୁ ଲୋକେ ରୋଗୀଙ୍କୁ ବୋହି ନେଇ ଦିନିଆରୀ ଛକରେ ପହଂଚାଇବା ପରେ ସେଠାରୁ ଆମ୍ବୁଲାନ୍ସ ନେଇଥାଏ ।

ଏନେଇ ଗାଁ ଲୋକ ଅନେକ ଥର ପଂଚାୟତ ଅଧିକାରୀଙ୍କ ଠାରୁ ଆରମ୍ଭ କରି ବେଗୁନିଆ ବିଡିଓ ଓ ଜିଲ୍ଲାପାଳଙ୍କୁ ଏକାଧିକ ଥର ଲିଖିତ ଅଭିଯୋଗ କରିଛନ୍ତି, କିନ୍ତୁ କୌଣସି ପଦକ୍ଷେପ ନିଆଯାଇନାହିଁ। ଏପରିକି ସ୍ଥାନୀୟ ବିଧାୟକଙ୍କୁ ଭେଟି ରାସ୍ତା ନିର୍ମାଣ ପାଇଁ ଅନୁଦାନ ଦେବାକୁ କହିଥିଲେ ମଧ୍ୟ ବିଧାୟକ ମଧ୍ୟ କୌଣସି ତତ୍ପରତା ଦେଖାଇନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ତୁରନ୍ତ ୫୦୦ ମିଟର ପକ୍କା ରାସ୍ତା ନିର୍ମାଣ କରିବାକୁ ଗାଁର ଗୋବିନ୍ଦ ନାଏକ, ଧନେଶ୍ୱର ନାଏକ, ମକରନ୍ଦ ନାଏକ, ତରୁଣ ନାଏକ, ମୋହନ ନାଏକ, ଟୁକୁ ମାଝି ପ୍ରମୁଖ ଶତାଧିକ ବ୍ୟକ୍ତି ଜିଲ୍ଲାପାଳଙ୍କ ଠାରେ ପୁଣିଥରେ ଲିଖିତ ଦାବି କରିଛନ୍ତି ।

ସମ୍ବନ୍ଧିତ ଖବର