ଭଙ୍ଗା ଘରେ ଚାଲିଛି ରୋଗୀ ଚିକିତ୍ସା ; ଫନି କ୍ଷତିଗ୍ରସ୍ତ ଆୟୁଷ ଡାକ୍ତରଖାନାର ମରାମତି କେବେ?

ଭୁବନେଶ୍ବର : ‘ଫନି’ ବାତ୍ୟରେ ପୁରୀ ଓ ଖୋର୍ଧା ଜିଲ୍ଲାର ଏକାଧିକ ଆୟୁଷ ଡାକ୍ତରଖାନା କ୍ଷତିଗ୍ରସ୍ତ ହେଲା। କେଉଁ ଡାକ୍ତରଖାନାରେ କେତେ କ’ଣ କ୍ଷତି ହୋଇଛି ସେ ସଂପର୍କରେ ଆୟୁଷ ନିର୍ଦେଶାଳୟ ପକ୍ଷରୁ ସ୍ବାସ୍ଥ୍ୟ ବିଭାଗକୁ ରିପୋର୍ଟ ଦିଆଗଲା। ମାତ୍ର ସ୍ବାସ୍ଥ୍ୟ ବିଭାଗ ଏ ପର୍ଯ୍ୟନ୍ତ ରିପୋର୍ଟ ଉପରେ ‌ଶୋଇ ରହିଛି। କ୍ଷତିଗ୍ରସ୍ତ ଡାକ୍ତରଖାନା ଆଜି ପର୍ଯ୍ୟନ୍ତ ମରାମତି ହୋଇ ନ ଥିବାରୁ ଏବେ ବି ଭଙ୍ଗା ଘରେ ରୋଗୀ ଚିକିତ୍ସା ଚାଲିଛି।

ସୂଚନା ଅନୁସାରେ, ବାତ୍ୟାରେ ପୁରୀ ଓ ଖୋର୍ଧା ଜିଲ୍ଲା ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିଲା। ଏହି ଦୁଇ ଜିଲ୍ଲାରେ ଥିବା ଏକାଧିକ ଆୟୁର୍ବେଦିକ ଓ ହୋମିଓପ୍ୟାଥିକ କଲେଜ ଓ ଡିସ୍‌ପେନସାରି ବାତ୍ୟା ପ୍ରକୋପରୁ ବର୍ତିପାରି ନ ଥିଲା। ‘ଫନି’ରେ କାହାର ଆଜବେଷ୍ଟସ୍ ଉଡ଼ି ଯାଇଥିଲା ତ ଆଉ କାହା ଉପରେ ଗଛ ପଡ଼ିବା ଯୋଗୁଁ କାନ୍ଥ ସମେତ ଡିସ୍‌ପେନସାରି କ୍ଷତିଗ୍ରସ୍ତ ହୋଇଥିଲା। ତେବେ କେଉଁ ଡାକ୍ତରଖାନାରେ କେତେ ପରିମାଣର କ୍ଷୟକ୍ଷତି ହୋଇଛି ଏଥିପାଇଁ ଆୟୁଷ ନିର୍ଦେଶାଳୟ ପକ୍ଷରୁ ୨ଟି ଟିମ୍ ସବିଶେଷ ରିପୋର୍ଟ ପ୍ରସ୍ତୁତ କରିଥିଲା।

ପ୍ରକାଶ ଥାଉକି, ଡା.ଅଭିନ ଚନ୍ଦ୍ର ହୋମିଓପ୍ୟାଥିକ କଲେଜର କ୍ଷତି ୧ କୋଟି ୫୯ଲକ୍ଷ, ପୁରୀସ୍ଥିତ ଗୋପବନ୍ଧୁ ଆୟୁର୍ବେଦିକ ମହାବିଦ୍ୟାଳୟର ୪କୋଟି ୨୮ଲକ୍ଷ, ଭୁବନେଶ୍ବରସ୍ଥିତ ସରକାରୀ ଆୟୁର୍ବେଦିକ ଡାକ୍ତରଖାନାର ୭୭.୫ଲକ୍ଷ, ସରକାରୀ ହୋମିଓପ୍ୟାଥିକ ଡିସପେନସାରିର ୭୩.୯ ଲକ୍ଷ ଓ ଆୟୁର୍ବେଦିକ ଡିସ୍‌ପେନସାରିର ୪୬.୩ ଲକ୍ଷ ହୋଇଥିଲା ବୋଲି ରିପୋର୍ଟରେ ଦର୍ଶାଯାଇଥିଲା। ଏଥିପାଇଁ ନିର୍ଦେଶାଳୟ ପକ୍ଷରୁ ମେ ମାସ ୨୪ତାରିଖରେ ସ୍ବାସ୍ଥ୍ୟ ବିଭାଗକୁ ରିପୋର୍ଟ ପ୍ରଦାନ କରାଯାଇଥିଲା। ଏହା ଭିତରେ ୭ମାସ ବିତି ଯାଇଥିଲେ ହେଁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏଥିପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇ ନାହିଁ। ଫଳରେ ଏତେ‌ ଦିନ ହେଲା ଏହି ଦୁଇ ଜିଲ୍ଲାର ଆୟୁଷ ଡାକ୍ତରଖାନା ଗୁଡ଼ିକ ଭଙ୍ଗା ଘରେ ଚାଲିଛି।

ରାଜ୍ୟ ସରକାର ସ୍ବାସ୍ଥ୍ୟ କ୍ଷେତ୍ରରେ ‘ମୋ ସରକାର’ ଆରମ୍ଭ କରିଛନ୍ତି। ଲୋକମାନଙ୍କୁ କିଭଳି ଉନ୍ନତ ମାନର ସେବା ମିଳିପାରିବ ତାହା ଉପରେ ବିଶେଷ ଗୁରୁତ୍ବ ଦିଆଯାଉଛି। ମାତ୍ର ଆୟୁଷ ଡିସ୍‌ପେନସାରିଗୁଡ଼ିକ ମାତ୍ରାଧିକ କ୍ଷୟକ୍ଷତି ହୋଇଥିଲେ ହେଁ ବିଭାଗ ପକ୍ଷରୁ ଏହାକୁ ଗୁରୁତ୍ବ ଦିଆଯାଉ ନ ଥିବାରୁ ସେ ନେଇ ପ୍ରଶ୍ନ ଉଠିଛି। ସ୍ବାସ୍ଥ୍ୟ ବିଭାଗ ଏଲୋପ୍ୟାଥି ଚିକିତ୍ସାକୁ ଗୁରୁତ୍ବ ଦେଉଥିବା ବେଳେ ରାଜ୍ୟରେ ଆୟୁଷ ଚିକିତ୍ସା ଅବହେଳାର ଶିକାର ହେଉଥିବା ଅଭିଯୋଗ ହୋଇଛି। ଏବେ ବି ରାଜ୍ୟର ଅଧିକାଂଶ ଡିସ୍‌ପେନସାରିରେ ଆୟୁଷ ଔଷଧ ବର୍ଷ ବର୍ଷ ଧରି ମିଳୁନାହିଁ। ଯାହାଫଳରେ ଆୟୁଷ ଚିକିତ୍ସା ଉପରେ ଭରସା କରୁଥିବା ରୋଗୀମାନେ ବାଧ୍ୟ ହୋଇ ଘରୋଇ ଔଷଧ ଦୋକାନ ଉପରେ ନିର୍ଭର କରୁଛନ୍ତି।

ସମ୍ବନ୍ଧିତ ଖବର