ପିପିଲି : ପିପିଲି ବ୍ଲକ୍ ସରସ୍ବତୀପୁର ପଞ୍ଚାୟତ ଅନ୍ତର୍ଗତ ବାଲିପୋଖରୀ କୋଠସାହି ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ସ୍ବାଧୀନତାର ୭୩ ବର୍ଷ ପରେ ମଧ୍ୟ ଉକ୍ତ ରାସ୍ତାରେ ମୋରମ୍ ଗଣ୍ଡାଏ ପଡ଼ିନି। ବାଲିପୋଖରୀରୁ କୋଠସାହି ପର୍ଯ୍ୟନ୍ତ ପ୍ରାୟ ଦେଢ଼ କିମି ରାସ୍ତା ଆଜି ବି ମାଟି ରାସ୍ତା ହୋଇ ରହିଛି। ଏବେ ବର୍ଷା ଦିନ ହୋଇଥିବାରୁ ରାସ୍ତାଟି ମରଣଯନ୍ତା ପାଲଟିଛି। ପଙ୍କ, କାଦୁଅରେ ସ୍ଥାନୀୟ ଲୋକେ ବଡ଼ ଦୟନୀୟ ଅବସ୍ଥାରେ ଯାତାୟାତ କରୁଛନ୍ତି। ରାସ୍ତାସାରା ଖାଲଖମା ଭର୍ତ୍ତି ହୋଇଥିବାରୁ ଯାତାୟାତ ବେଳେ ସ୍ଥାନୀୟ ଲୋକେ ନାହିଁ ନଥିବା ଦୁର୍ଦ୍ଦଶା ଭୋଗୁଛନ୍ତି। ଏ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏବେ ଏହି ରାସ୍ତା ଯାତାୟାତ ପାଇଁ ବିପଜ୍ଜନକ ହୋଇପଡ଼ିଥିବା ବେଳେ ପ୍ରତିଦିନ ଛୋଟ ବଡ଼ ଦୁର୍ଘଟଣା ଘଟୁଛି। ସେହିପରି ଏହି ରାସ୍ତା ଦେଇ ଚାରି ଚକିଆ ଯାନ ଚଳାଚଳ ଏକ ପ୍ରକାର ଠପ୍ ହୋଇଯାଇଛି। ସ୍କୁଲ୍ ଓ କଲେଜ ଯିବା ସମୟରେ ଛାତ୍ରଛାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବାଲିପାଟଣା, ବାଲିପୋଖରୀ, ଘୁଷୁରିଖାଲ, ଦାସପାଟଣା ଓ ନୂଆପାଟଣା ଆଦି ୫ଟି ଗାଁର ପ୍ରାୟ ୩ ହଜାର ଲୋକ ଏହି ରାସ୍ତା ଉପରେ ନିର୍ଭର କରିଥାନ୍ତି। ବାରମ୍ବାର ଅଭିଯୋଗ କଲେ ମଧ୍ୟ ରାସ୍ତାର ମରାମତି କରାଯାଉ ନାହିଁ। ଏ ସଂପର୍କରେ ସ୍ଥାନୀୟ ଲୋକେ ବ୍ଲକ୍ କର୍ତ୍ତୃପକ୍ଷଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ ସେମାନେ କର୍ଣ୍ଣପାତ କରୁନଥିବା ଅଭିଯୋଗ ହୋଇଛି। ବିଭାଗୀୟ ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେବା ସହ ତୁରନ୍ତ ଏଠାରେ ସ୍ଥାୟୀ କଂକ୍ରିଟ୍ ରାସ୍ତା ନିର୍ମାଣ କରିବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି।
ବାଲିପୋଖରୀ-କୋଠସାହି ରାସ୍ତା ଶୋଚନୀୟ : ପଙ୍କ, କାଦୁଅରେ ଯାତାୟାତ କରୁଛନ୍ତି ଲୋକେ
/sambad/media/post_attachments/wp-content/uploads/2019/08/road-pipili.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)