୬୦ ଲକ୍ଷ ଟଙ୍କାରେ ଘାଇ ମରାମତି ପରେ ବି ଘଳିଆ

ବ୍ରହ୍ମବରଦା : ଗୋଟିଏ ଘାଇରେ ପାଖାପାଖି ୬୦ ଲକ୍ଷ ଟଙ୍କା ଖର୍ଚ୍ଚ, ତଥାପି ମରାମତି ଅସଂପୂର୍ଣ୍ଣ। ଏହିଭଳି କାର୍ଯ୍ୟ ଯୋଗୁଁ ବ୍ରାହ୍ମଣୀ ନଦୀବନ୍ଧରେ ଘାଇ ସୃଷ୍ଟି ହୋଇ କୋଟିକୋଟି ଟଙ୍କାର ଧନସମ୍ପତ୍ତି ବନ୍ୟାପାଣିରେ ବହିଯାଉଛି। ଚାଷଜମିଠାରୁ ଆରମ୍ଭ କରି ଘରଦ୍ବାର, ରାସ୍ତାଘାଟକୁ କ୍ଷତି ପହଞ୍ଚାଉଥିବାରୁ ବର୍ଷା ଆସିଲେ ଘାଇକୁ ନେଇ ଭୟଭୀତ ହେଉଛନ୍ତି ସ୍ଥାନୀୟ ଲୋକେ। ସରକାର ଘାଇ ମରାମତିରେ କୋଟିକୋଟି ଟଙ୍କା ଖର୍ଚ୍ଚ କରୁଥିଲେ ବି ନିମ୍ନମାନର କାର୍ଯ୍ୟ ଯୋଗୁଁ ତାହା ସୁରକ୍ଷା ଦେଇପାରୁନାହିଁ। ଗୋଟିଏ ଘାଇ ବର୍ଷରେ ୩ ଥର ମରାମତି ହେଲାପରେ ମଧୢ ଖଣ୍ଡିଆ ହୋଇ ପଡ଼ିରହିଛି। ଏହାର ଉଦାହରଣ ଯାଜପୁର ଜିଲ୍ଲା ଝାଲପଡ଼ା ଓ ଗୋଳକୁଣ୍ତ ପଞ୍ଚାୟତରେ ନଦୀବନ୍ଧରେ ହୋଇଥିବା ଘାଇ ମରାମତି।

୨୦୨୦ ଅଗଷ୍ଟ ମାସ ୨୯ ତାରିଖ ମଧୢରାତ୍ର ବନ୍ୟାରେ ଏଠାରେ ୩ ଶହ ଫୁଟର ଘାଇ ହୋଇଥିଲା। ବହୁ ପରିବାର ୮ ଦିନ ପର୍ଯ୍ୟନ୍ତ ବନ୍ଧହୁଡ଼ାରେ ଓ ଛାତ ଉପରେ ବିତାଇଥିଲେ। ବନ୍ୟା ଛାଡ଼ିବାର ଏକମାସ ମଧୢରେ ଅସ୍ଥାୟୀ ଘାଇ ମରାମତି ହୋଇଥିଲା। ଏଥିରେ ୨୦ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ଖର୍ଚ୍ଚ ହୋଇଥିଲା। ଏହାର ୮ମାସ ପରେ ପୁଣି ସ୍ଥାୟୀ ରାସ୍ତା ମରାମତି କାମ ହୋଇଥିଲା। ଏଥିରେ ୩୮ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ଖର୍ଚ୍ଚ କରାଯାଇ ବନ୍ଧ ନିର୍ମାଣ ହୋଇଥିଲା। ନଦୀବାଲିରେ ବନ୍ଧ କାମ କରିବାରୁ ଲୋକେ ଏହାକୁ ବିରୋଧ କରିଥିଲେ। ସେତେବେଳେ ବିଭାଗୀୟ ଅଧିକାରୀ ପହଞ୍ଚି କାମ ଠିକ୍‌ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ତଥାପି ରାତିଅଧିଆ ନିମ୍ନମାନର କାମ ହୋଇଥିଲା। ୨୦୨୧ ପ୍ରଥମ ବନ୍ୟାରେ ଏହି ଘାଇରେ ପ୍ରଥମେ ଘଳିଆ ହେଲା। ଲୋକେ ଦିନରାତି ଏକ କରି ଜଗି ରହିଲେ। ନିଜେ ମୂଲିଆ ହୋଇ ଘରଡିହ ବାଡ଼ିରୁ ମାଟି ନେଇ ସେଠାରେ ପକାଇ ସାରାରାତି ଜଗି ବସିଲେ। ପରେ ବିଭାଗୀୟ ଅଧିକାରୀଙ୍କ ନିର୍ଦେଶରେ ୪ ହଜାର ବାଲିବସ୍ତାରେ ଘାଇକୁ ପ୍ୟାକି˚ କରାଗଲା। ହେଲେ ଏବେ ବି ନଦୀରେ ପାଣି ଆସିଲେ ଏହିଠାରେ ପ୍ରଥମେ ଘାଇ ହେବାର ଆଶଙ୍କା ରହିଛି।

ଯଦି ଏଠାରେ ଠିକ ଭାବେ ବନ୍ଧ ମରାମତି ହୋଇଥିଲା ତେବେ ଘଳିଆ ପଡ଼ିଲା କାହିଁକି ବୋଲି ସ୍ଥାନୀୟ ଲୋକେ ପ୍ରଶ୍ନ କରିଛନ୍ତି। ଖାଲି ସେତିକି ନୁହେଁ ଗତ ବନ୍ୟାରେ ଏହିଠାରେ ଆଉ ଏକ ଘାଇ ହୋଇ ପ୍ରାୟ ଏକହଜାର ଏକର ଚାଷଜମିକୁ ବାଲିଚର କରିଦେଇଛି। ଆଜି ପର୍ଯ୍ୟନ୍ତ ଚାଷୀମାନେ ସରକାରୀ ସହାୟତାରୁ ବଞ୍ଚିତ ରହିଛନ୍ତି। ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବା ସହ ମରାମତି କାମରେ ଘଳିଆ କରୁଥିବା ଅଧିକାରୀ ଓ ଠିକାଦାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି।

ସମ୍ବନ୍ଧିତ ଖବର