ବିଗାଡ଼ି ଦେଲେଣି ରାଜ୍ୟର ଗାଁ ଗଣ୍ଡା ରାସ୍ତା, ନଗଡ଼ା ହୋଇଯିବ ଆହୁରି ହଜାର ହଜାର ଗାଁ

ଶୋଇଛି ଗ୍ରାମ୍ୟ ଉନ୍ନୟନ ବିଭାଗ, କାଗଜପତ୍ରରେ ରହିଗଲା କ୍ୟାବିନେଟ୍ ନିଷ୍ପତ୍ତି

ଭୁବନେଶ୍ୱର :କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ଗାଦିଆଗୁଡା ଛକ ଠାରୁ ମାଙ୍ଗରାଗୁଡା ଛକ ରାସ୍ତା। ଦୀର୍ଘ ଦିନ ହେଲା ଏହି ଲମ୍ବା ରାସ୍ତା ମରାମତି ନ ହୋଇ ପଡିରହିଛି। ମାଙ୍ଗରାଗୁଡା, ଦଶମନ୍ତପୁର, ପେଡିସିଲ, ବେଡାପଦର, ବଞ୍ଜାଗୁଡ଼ା, ତୋଟାଗୁଡା ଏଭଳି ଅନେକ ଗାଁର ଲୋକେ ନିର୍ଭର କରୁଥିବା ଏହି ରାସ୍ତା ଅବସ୍ଥା ଏବେ ଶୋଚନୀୟ।

କନ୍ଧମାଳର ତୁମୁଡ଼ିବନ୍ଧ ଲଙ୍କାଗଡ଼ରୁ ଝିରପାନି, ଦାରିଙ୍ଗିବାଡ଼ି ବ୍ଲକ ଝିଙ୍ଗରଗୁଡାରୁ କୁମ୍ଭାରି ଗାଁ, ଚକାପାଦ ବ୍ଲକ ଚକାପାଦରୁ ରତାଙ୍ଗି, ଆଉ ରାଇରିଆ ବ୍ଲକ କରଡିରୁ ରଣବା ରାସ୍ତା ସ୍ଥିତି ବି ଅନୁରୂପ।

କେବଳ କୋରାପୁଟ କି କନ୍ଧମାଳ ନୁହେଁ, ରାଜ୍ୟରେ ଏମିତି ଆହୁରି ପାଖାପାଖି ୧ଲକ୍ଷ କିେଲାମିଟର ଦୀର୍ଘ ରାସ୍ତା ରହିଛି, ଯେଉଁଠି ବର୍ଷ ବର୍ଷ ହେଲା କଂକ୍ରିଟ୍, ପିଚୁ ତ ଦୂରର କଥା, ଗାଣ୍ଡୁଏ ମାଟି ବି ପକାଇ ନାହାନ୍ତି ରାଜ୍ୟ ସରକାର। ପରିଣାମ ହେଲା, ଏସବୁ ରାସ୍ତା ଉପରେ ନିର୍ଭର କରୁଥିବା ଆହୁରି ହଜାର ହଜାର ସରିକି ଗାଁ ଖୁବ୍ ଶୀଘ୍ର ସାଧାରଣ ଲୋକଙ୍କ ପାଇଁ ଅପହଞ୍ଚ ହୋଇଯିବ। ନଗଡ଼ା ଭଳି ସ୍ଥିତି ଉପୁଜିବା ଆଦୌ ଅସମ୍ଭବ ନୁହେଁ। ଏମିତିରେ ବି ୪୩୦୦ ଗାଁରେ ନଗଡ଼ା ଭଳି ସ୍ଥିତି ଉପୁଜିଥିବା ସରକାରୀ ରେକର୍ଡ କହୁଛି।

କୌତୂହଳ କଥା ହେଉଛି, ମୁଖ୍ୟ ରାସ୍ତାଗୁଡିକ ଚିକ୍ ଚିକ୍ କରୁଥିଲେ ହେଁ, ଟିକିଏ ତଳ ଅଞ୍ଚଳକୁ ଚାଲିଗଲେ ଗାଁକୁ ଯାଇଥିବା ଅସଲ େଚହେରା ସାମ୍ନାକୁ ଆସିଯିବ। ରାଜ୍ୟ ସରକାର ମହାତ୍ମାଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ପାଳନ ପାଇଁ ୨ବର୍ଷିଆ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି। କିନ୍ତୁ ଗାନ୍ଧୀ ଗାଁର ବିକାଶ କଥା କହୁଥିବା ବେଳେ ସରକାରଙ୍କ ପ୍ରାଥମିକତାରେ ଏଯାଏ ଏ ଦିଗଟି ସ୍ଥାନ ପାଇନାହିଁ। ଗ୍ରାମ୍ୟ ଉନ୍ନୟନ ବିଭାଗ ଏ ସଂକ୍ରାନ୍ତରେ ଠୋସ୍ ଭାବେ କିଛି କାର୍ଯ୍ୟକ୍ରମ ବି ନେଇନାହାନ୍ତି।

୨୦୧୭ ମସିହାରେ ରାଜ୍ୟ କ୍ୟାବିେନଟ୍ ଗାଁର ଦୁଃସ୍ଥିତି ସଂପର୍କରେ ଚିନ୍ତା କରି ଓଡ଼ିଶା ଗ୍ରାମ୍ୟ ସଡକ ରକ୍ଷଣାବେକ୍ଷଣ ନୀତି ପ୍ରସ୍ତୁତ କରିଥିଲେ। ସେହିବର୍ଷ ଜୁଲାଇ ୨୬ ତାରିଖରେ ଏ ସଂକ୍ରାନ୍ତ ଗେଜେଟ୍ ବିଜ୍ଞପ୍ତି ପ୍ରକାଶ ବି ପାଇଥିଲା। ଏହି ନୀତି ଗ୍ରାମ ରାସ୍ତା ରକ୍ଷଣାବେକ୍ଷଣ େକ୍ଷତ୍ରରେ ଆଦୌ ଅନୁପାଳନ େହଉଥିବା ଭଳି ମନେ େହଉନାହିଁ। ବରଂ ସାଧାରଣରେ ପ୍ରଶ୍ନ ଉଠିଲାଣି, ଏ ଗ୍ରାମ୍ୟ ଉନ୍ନୟନ ବିଭାଗ କରୁଛି କ’ଣ?

ସରକାରୀ ରିେପାର୍ଟ ଅନୁସାରେ, ରାଜ୍ୟରେ ପାଖାପାଖି ୨ଲକ୍ଷ ୪୯ ହଜାର ୫୭୦ କିେଲାମିଟର ରାସ୍ତା ରହିଛି, ଯେଉଁଥିରୁ ୨ ଲକ୍ଷ ୧୯ ହଜାର ୬୭୫ କିେଲାମିଟର ଅର୍ଥାତ୍ ୮୮% େହଉଛି ଗାଁ ରାସ୍ତା। ଏ ମଧ୍ୟରୁ ପାଖାପାଖି ୧ଲକ୍ଷ ୩୪ ହଜାର ୮୭୬ କିଲୋମିଟର େହଉଛି ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ରାସ୍ତା, ଯାହାକୁ ପଞ୍ଚାୟତସ୍ତରରେ ବିକାଶ କରାଯାଏ। ପାଖାପାଖି ୨୫ ହଜାର ୭୦୩ କିେଲାମିଟର ରାସ୍ତା ରହିଛି, ଯାହା ପଞ୍ଚାୟତିରାଜ ବିଭାଗ ଅଧୀନରେ ରହିଛି, ଅଥଚ ପଞ୍ଚାୟତ ସମିତି ରାସ୍ତା ହିସାବରେ ସେସବୁକୁ ଚିହ୍ନଟ କରାଯାଇଛି। ୬୦୨୨ କିଲୋମିଟର ଗାଁ ରାସ୍ତା ଜଳସେଚନ ବିଭାଗ ଅଧୀନରେ ରହିଛି, ୭୫୧୫ କିେଲାମିଟର ରାସ୍ତା ଜଙ୍ଗଲ ବିଭାଗ ଅନ୍ତର୍ଗତ। ଏମାନଙ୍କୁ ଛାଡି ପ୍ରାୟ ୩୮ ହଜାର ୯୦୬ କିେଲାମିଟର ରାସ୍ତା ଗ୍ରାମ୍ୟ ଉନ୍ନୟନ ବିଭାଗ ଜରିଆରେ କରାଯାଉଛି।

ଗ୍ରାମ୍ୟ ଉନ୍ନୟନ ବିଭାଗ ରାସ୍ତାର ବିକାଶ େକ୍ଷତ୍ରରେ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ େଯାଜନା ଅର୍ଥ ଉପଯୋଗ କରୁଛନ୍ତି। ୨୦୧୪-୧୫ ମସିହାରୁ ମୁଖ୍ୟମନ୍ତ୍ରୀ ସଡକ େଯାଜନାରେ ମଧ୍ୟ ରାସ୍ତାର ଉନ୍ନତୀକରଣ କରାଯାଉଛି। ହେଲେ େଯଉଁସବୁ ପ୍ରଧାନମନ୍ତ୍ରୀ ଗ୍ରାମ ସଡକ େଯାଜନା ରାସ୍ତା ରକ୍ଷଣାବେକ୍ଷଣ ଅବଧି ସରିଗଲାଣି, ସେ େକ୍ଷତ୍ରରେ ସରକାରୀ କି ପଦକ୍ଷେପ ନେଉଛନ୍ତି? ମୁଖ୍ୟମନ୍ତ୍ରୀ ଗ୍ରାମ ସଡକ େଯାଜନା ଅଧୀନରେ େଯଉଁ ରାସ୍ତା ନିଆଯାଇନାହିଁ, େସମାନେ କଣ ବର୍ଷବର୍ଷ ଧରି ରାସ୍ତା ଯନ୍ତ୍ରଣା େଭାଗୁଥିବେ? ହେଲେ ରାଜ୍ୟ ସରକାର େଯଉଁ ନୀତି କରିଛନ୍ତି, ସେଥିରେ ଗ୍ରାମ୍ୟ ଉନ୍ନୟନ ବିଭାଗକୁ ସଡକ ନିର୍ମାଣ େକ୍ଷତ୍ରରେ ପ୍ରାଥମିକତା ଦିଆଯାଇଛି।

ଅନ୍ୟ ବିଭାଗ ରାସ୍ତା କଥା ଦୂରେ ଥାଉ, ଗ୍ରାମ୍ୟ ଉନ୍ନୟନ ବିଭାଗ ହାତରେ ଥିବା ରାସ୍ତା ମରାମତି ବା ପୁନଃନିର୍ମାଣ ଦିଗରେ ମଧ୍ୟ ସରକାର ଆବଶ୍ୟକ ଗୁରୁତ୍ବ ଦେଉନାହାନ୍ତି। ଏହା ସତ୍ତ୍ବେ ପଞ୍ଚାୟତିରାଜ ବିଭାଗ ଅଧୀନରୁ ଜିଲ୍ଲା କ୍ଷମତା ସଂପନ୍ନ କମିଟି ମାଧ୍ୟମରେ େଗାଟିଏ ପରେ ଗୋଟିଏ ରାସ୍ତା ଗ୍ରାମ୍ୟ ଉନ୍ନୟନ ବିଭାଗକୁ ହସ୍ତାନ୍ତର କରାଯାଉଛି। ଯାହା ସ୍ଥିତିକୁ ଅଧିକ ସାଂଘାତିକ କଲାଣି।

ମିଳିଥିବା ସରକାରୀ ତଥ୍ୟ ଯଦି ସତ୍ୟ ହୁଏ, ତେବେ ରାଜ୍ୟରେ ରାସ୍ତା ରକ୍ଷଣାବେକ୍ଷଣ ପାଇଁ ମାତ୍ର ୪୬୧ େକାଟି ଟଙ୍କା ବିଭାଗ ପାଖରେ ରହିଛି। େଯଉଁଥିରେ ପ୍ରଚଳିତ ବ୍ୟବସ୍ଥା ଅନୁସାରେ ପାଖାପାଖି ୩୬୦ େକାଟି ଟଙ୍କା ଖର୍ଚ୍ଚ କରିବା େକ୍ଷତ୍ରରେ େଲାକ ପ୍ରତିନିଧିମାନଙ୍କୁ ଗୁରୁତ୍ବ ଦିଆଯିବ। ଏ େକ୍ଷତ୍ରରେ ଜିଲ୍ଲା ପ୍ରଶାସନ ଓ େଲାକ ପ୍ରତିନିଧିଙ୍କ ସମନ୍ବୟ ରହିବା ସମ୍ଭବ େହଉନାହିଁ। ଯାହା ରାସ୍ତା ବିକାଶ େକ୍ଷତ୍ରରେ ସବୁଠାରୁ ବଡ଼ ପ୍ରତିବନ୍ଧକ ଭାବେ ଛିଡା େହାଇଛି।

ଗାଁ ରାସ୍ତାର ବିକାଶ ଏଇଥିପାଇଁ ଗୁରୁତ୍ବପୂର୍ଣ୍ଣ ଯେ ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ସେବା ପହଞ୍ଚାଇବା ଲାଗି ଆମ୍ବୁଲାନ୍ସ କଥା େହଉ କି େଲାକଙ୍କୁ ସୁରକ୍ଷା େଯାଗାଇ ଦେବା ଲାଗି ସଂପୃକ୍ତ ଗ୍ରାମରେ ପୁଲିସ ଉପସ୍ଥିତି ଉନ୍ନତ ସଡ଼କ ବ୍ୟବସ୍ଥା ଥିଲେ ହିଁ ସମ୍ଭବ। େସହିଭଳି ସ୍ଥାନୀୟ ଫସଲକୁ ବଜାର ପର୍ଯ୍ୟନ୍ତ ଆଣିବା, ଶିକ୍ଷକମାନଙ୍କ ୧୦୦% ଉପସ୍ଥାନ, ଦମକଳ ଭଳି ଜରୁରୀ ସେବା, ମହାପ୍ରୟାଣ ଗାଡ଼ି ଆଦି େଲାକଙ୍କ ପାଖରେ ପହଞ୍ଚିବା କାର୍ଯ୍ୟକ୍ରମକୁ ନିଶ୍ଚିତ କରିବାକୁ ହେଲେ, ପ୍ରତି ଗାଁର ରାସ୍ତାର ପୂର୍ଣ୍ଣ ବିକାଶ ହେବା ଜରୁରୀ। ହେଲେ ସରକାରଙ୍କ ବାମ ହାତ ଏସବୁ େଯାଜନା େଘାଷଣା କରୁଥିଲେ ହେଁ ଡାହାଣ ହାତ ଅର୍ଥାତ୍ ସର୍ବନିମ୍ନ ଭିତ୍ତିଭୂମି େଯାଗାଇ ଦେଇପାରୁନାହିଁ।

ଉଲ୍ଲେଖଯୋଗ୍ୟ, ରାଜ୍ୟ ସରକାର ସଡକ ରକ୍ଷଣାବେକ୍ଷଣ ପାଇଁ େଯଉଁ ନୀତି କରିଥିଲେ, ସେଥିରେ େକଉଁ ରାସ୍ତା କିଭଳି ଅଛି, ତାହାର ମୂଲ୍ୟାୟନ କରାଯିବ ଓ ତାହାକୁ ପ୍ରାଥମିକତା େଦଇ ମରାମତି କରାଯିବ। େସଥିପାଇଁ ଆବଶ୍ୟକ ପାଣ୍ଠି େଯାଗାଡ କରାଯିବ। ଏଥିପାଇଁ ରାସ୍ତା ରକ୍ଷଣାବେକ୍ଷଣ ପରିଚାଳନା ବ୍ୟବସ୍ଥା ନାଁରେ ଏକ ଡାଟାବେସ୍ ପ୍ରସ୍ତୁତି ଲାଗି ନିଷ୍ପତ୍ତି େହାଇଥିଲା। ପ୍ରତି ବିଭାଗ ବର୍ଷ ଆରମ୍ଭରେ ଏଥିରୁ େକଉଁ େକଉଁ ରାସ୍ତାର ବିକାଶ େହବ, େସ ନିଷ୍ପତ୍ତି ପ୍ରାଥମିକତା ଭିତ୍ତିରେ ନେବେ। ଗ୍ରାମ୍ୟ ଉନ୍ନୟନ ବିଭାଗକୁ ନୋଡାଲ ବିଭାଗ ଭାବେ ଚିହ୍ନଟ କରାଯାଇଥିଲା। ସଂପୃକ୍ତ ବିଭାଗର ସଚିବଙ୍କ ଅଧ୍ୟକ୍ଷତାରେ କମିଟି ଗଠନ କରାଯାଇ ଏ ସଂକ୍ରାନ୍ତ ନୀତି ନିର୍ଧାରଣ କଥା ନିଷ୍ପତ୍ତି େହାଇଥିଲା। ସେହିଭଳି ଏହାର ସ୍ଥିତି ଅନୁଧ୍ୟାନ ଲାଗି ଉନ୍ନୟନ କମିସନରଙ୍କ ଅଧ୍ୟକ୍ଷତାରେ କ୍ଷମତାସଂପନ୍ନ କମିଟି ଗଠନ ବି େହବା ବ୍ୟବସ୍ଥା ବି ରହିଛି। ହେଲେ ଏସବୁ କେତେ କାର୍ଯ୍ୟାନ୍ବୟନ େହଉଛି, ତାହା ଓଡ଼ିଶାର ଗାଁ ଗଣ୍ଡାର ଚିତ୍ର ବୟାନ କରୁଛି।

ସମ୍ବନ୍ଧିତ ଖବର