ପୁରୀ : ଦେଶର ଅନ୍ୟତମ ପ୍ରମୁଖ ଧାମ ଶ୍ରୀକ୍ଷେତ୍ର। ପର୍ଯ୍ୟଟକ ଓ ଭକ୍ତଙ୍କ ଆକର୍ଷଣର କେନ୍ଦ୍ର ପୁରୀ। ଶ୍ରୀମନ୍ଦିର, ସ୍ବର୍ଣ୍ଣିମ ବେଳାଭୂମି, କୋଣାର୍କ, ସାତପଡ଼ା ଓ ଚିଲିକା ପାଇଁ ପ୍ରତିଦିନ ପୁରୀକୁ ହାରାହାରି ୬୦ ହଜାର ପର୍ଯ୍ୟଟକ ଓ ଭକ୍ତ ଦେଶ ଓ ବିଦେଶରୁ ଆସନ୍ତି। ହେଲେ ସହରର ବିକଳ ସ୍ଥିତିକୁ ଦେଖି ପର୍ଯ୍ୟଟକ ଓ ଭକ୍ତ ପୁରୀକୁ ମୁହଁ ମୋଡ଼ୁଛନ୍ତି। ପୁରୀର ରାସ୍ତାଘାଟ ଏବେ ଖଣି ଅଞ୍ଚଳ ରାସ୍ତାଠୁ ବଳିଗଲାଣି। ସହରର ମୁଖ୍ୟରାସ୍ତା, ସାହି ରାସ୍ତା, ଜାତୀୟ ରାଜପଥ, ବେଳାମାର୍ଗ ସବୁଆଡେ ଦୟନୀୟ ଅବସ୍ଥା। ଯେଉଁଠି ଦେଖିବ ବିକଳ ଚିତ୍ର। ବିପର୍ଯ୍ୟସ୍ତ ରାସ୍ତାରେ ସୃଷ୍ଟି ହୋଇଥିବା ବଡ଼ବଡ଼ ଗାତରେ ପଡି ବାଇକ୍ ଓ ଚାରି ଚକିଆ ଗାଡ଼ି ପ୍ରତିଦିନ ଦୁର୍ଘଟଣାଗ୍ରସ୍ତ ହେଉଛି। ଜୀବନ ହାନି ଘଟୁଛି। ସହରକୁ ଦେଖିଲେ ଲାଗୁଛି, ଯେମିତି ଏହା ମୁରବିହୀନ, ଏ ସହରର ପ୍ରଶାସନ ଆଉ କାମ କରୁନି।
/sambad/media/post_attachments/wp-content/uploads/2019/10/road-puri3-300x199.jpg)
ପୁରୀ ପୌରସଂସ୍ଥା, ରାସ୍ତା ଓ ନିର୍ମାଣ ବିଭାଗ ଶୋଇ ପଡ଼ିଛି। ସ୍ଥାନୀୟ ଲୋକ ବି ସବୁ ଦୁଃଖ ସହିଯାଉଛନ୍ତି । ମାତ୍ର ଏହାର ପ୍ରତିବାଦ କରୁନାହାନ୍ତି। ପୁରୀ ପ୍ରଶାସନ ଏବେ ପୁରୀକୁ ଐତିହ୍ୟ ନଗରୀ ଭାବେ ଗଢ଼ିବା ପାଇଁ ଚାଲିଥିବା ଉଚ୍ଛେଦରେ ଏତେ ବ୍ୟସ୍ତ ଯେ, ସହରକୁ ଅନାଇବାକୁ ସମୟ ନାହିଁ ବୋଲି ସ୍ଥାନୀୟ ଲୋକ କହିଛନ୍ତି।
/sambad/media/post_attachments/wp-content/uploads/2019/10/road-puri4a-300x199.jpg)
ପୁରୀ-ଭୁବନେଶ୍ବର ଜାତୀୟ ରାଜପଥ, ନବକଳେବର ରୋଡରୁ ପୁରୀ ବସଷ୍ଟାଣ୍ଡ ରାସ୍ତା, ମେଡିକାଲ ଛକରୁ ଭିଆଇପି ରୋଡ ରାସ୍ତା, ଘୋଡାବଜାର-ଶ୍ରୀକ୍ଷେତ୍ର କଲୋନି ରାସ୍ତା, ପୁରୀ ବେଳାମାର୍ଗ, ଦିଗବାରେଣୀରୁ ଲାଇଟ୍ ହାଉସ, ବାଲିସାହିରୁ ସମୁଦ୍ରକୂଳ ରାସ୍ତା ଓ ସାହି ଗଳିକନ୍ଦିର ରାସ୍ତା ସବୁ ବିପର୍ଯ୍ୟସ୍ତ ଅବସ୍ଥାରେ ରହିଛି। ଏ ନେଇ ପୁରୀ ପୌରସଂସ୍ଥା, ପୂର୍ତ୍ତ ବିଭାଗ, ଜାତୀୟ ରାଜପଥ ସମସ୍ତେ ପର୍ଯ୍ୟଟନ ସହରକୁ ଆଉ ଆଡ଼ ଆଖିରେ ଚାହୁଁନଥିବା ଅଭିଯୋଗ ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/10/road-puri2.jpg)