ସହର ପରେ ଗାଁକୁ ଭୁଲିଗଲେ : ଉଠିନି ଅସଜଡ଼ା ତାର କି ଖୁଣ୍ଟି, ଗାଁ ଏବେ ବି କିଟିକିଟି ଅନ୍ଧାର

ପୁରୀ, (ସୁମନ୍ତ ପରିଡ଼ା): ପ୍ରଳୟଙ୍କରୀ ବାତ୍ୟା ‘ଫନି’କୁ ମାସେ ବିତିଛି ସତ କିନ୍ତୁ ଏହି ବ୍ୟାତ୍ୟା ଯେଉଁ କ୍ଷତ ଦେଇଯାଇଛି ଏବେ ବି ଲୋକେ ସେଥିରେ ଛଟପଟ ହେଉଛନ୍ତି। ନା ମୁଣ୍ଡକୁ ଛାତ ଅଛି, ନା ପାଖରେ ପହଞ୍ଚିଛି ମୌଳିକ ସୁବିଧା। ଭଙ୍ଗା ଘର ଆଜି ସୁଧା ଅସଜଡ଼ା ଅବସ୍ଥାରେ ପଡ଼ିଛି। ପିଇବା ପାଣି କଥା ନକହିବା ଭଲ। ବିଜୁଳି ସେବା କିନ୍ତୁ ସବୁଠୁ ବଳିଯାଇଛି। ଆଜି ବି ଜିଲ୍ଲାର ଅର୍ଧାଧିକ ଅଞ୍ଚଳ ଅନ୍ଧାର ଭିତରେ ରହିଛି। ସହରାଞ୍ଚଳ ଅପେକ୍ଷା ଦୁର୍ଦ୍ଦଶାରେ ବଳିପଡ଼ିଛି ଗ୍ରାମାଞ୍ଚଳ। ମାସେ ହେଲା ଅନ୍ଧକାର ଭିତରେ ରହିଛି ଜିଲ୍ଲାର ସବୁ ଗାଁ। ଜିଲ୍ଲା ପ୍ରଶାସନ ବି ଗ୍ରାମାଞ୍ଚଳକୁ ସାବତ ପୁଅ ଭଳି ଦେଖୁଛି। ସହରାଞ୍ଚଳରେ ବିଜୁଳି କାମ ସରିଗଲା ପରେ ଗ୍ରାମାଞ୍ଚଳକୁ ଭୁଲିଯାଇଛନ୍ତି ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ। ପ୍ରଶାସନର ଏହି ଅପାରଗତା ପାଇଁ ଆଜି ବି ଗାଁ ଲୋକେ ଦିନରେ ଗରମରେ ସଢ଼ୁଛନ୍ତି, ମଶା, ଡାଆଁଶରେ ରାତି କାଟୁଛନ୍ତି।

ଫନି ପ୍ରହାରରେ ସର୍ବାଧିକ କ୍ଷତି ସହିଥିଲା ବିଦ୍ୟୁତ୍ ବିଭାଗ। ୧୩୨ କେଭି, ୩୩ କେଭି, ୧୧ କେଭିଠାରୁ ଆରମ୍ଭ କରି ଏଲଟି ଲାଇନ୍, ସବୁକୁ ମୋଡ଼ି ଭାଙ୍ଗି ଦେଇଥିଲା ଏହି ଭୟଙ୍କର ବାତ୍ୟା। ପୁରୀ ସହରାଞ୍ଚଳ ସମେତ ସଦର, ବ୍ରହ୍ମଗିରି, କୃଷ୍ଣପ୍ରସାଦ, ଡେଲାଙ୍ଗ, ପିପିଲି ବ୍ଲକ ଏଥିରେ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିଲା। ବିଦ୍ୟୁତ୍ ବିଭାଗର ସୂଚନା ମୁତାବକ, ବାତ୍ୟାରେ ସହରାଞ୍ଚଳରେ ୪ହଜାର ଏଲଟି ଓ ୬ହଜାର ଏସଟି ବିଦ୍ୟୁତ୍ ଖୁଣ୍ଟି କ୍ଷତିଗ୍ରସ୍ତ ହୋଇଥିଲା। ଗ୍ରାମାଞ୍ଚଳରେ ଏଲଟି ଓ ଏସଟି ବିଦ୍ୟୁତ୍ ଖୁଣ୍ଟିକୁ ମିଶାଇ ପ୍ରାୟ ୭୦ହଜାର ବିଦ୍ୟୁତ୍ ଖୁଣ୍ଟି କ୍ଷତିଗ୍ରସ୍ତ ହୋଇଥିଲା। ସେହି ଅନୁଯାୟୀ ତାର, ଟ୍ରାନ୍ସଫର୍ମର ବି ବ୍ୟାପକ କ୍ଷତି ହୋଇଥିଲା। ଯେଉଁଥିପାଇଁ ପୁରୀ ଡିଭିଜନ୍ ଅଧୀନରେ ଥିବା ପ୍ରାୟ ୧.୬୦ ଲକ୍ଷ ଗ୍ରାହକ ଅନ୍ଧାର ଭିତରେ ରହିଥିଲେ। ଯେଉଁଥିରୁ ପୁରୀ ସହରାଞ୍ଚଳ ଗ୍ରାହକଙ୍କ ସଂଖ୍ୟା ରହିଥିଲା ୬୫ହଜାର। ଏହି ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀ ନିଜେ ଶକ୍ତି ବିଭାଗ ଉପରେ ବିଶେଷ ଗୁରୁତ୍ବ ଦେବା ସହ ପ୍ରତ୍ୟକ୍ଷ ସମୀକ୍ଷା କରିଥିଲେ। ବାରମ୍ବାର ପୁରୀ ଗସ୍ତ କରି ବିଜୁଳି ସେବାର ସ୍ଥିତି ପରଖିଥିଲେ। ‌ବିଦ୍ୟୁତ୍ ବିଭାଗର ଆବଶ୍ୟକତା ପୂରଣ ପାଇଁ ସମସ୍ତ ସାହାଯ୍ୟ ସହଯୋଗ ‌ବି ଯୋଗାଇ ଦିଆଗଲା। ଆବଶ୍ୟକ ତାର, ଖୁଣ୍ଟି, ଟ୍ରାନ୍ସଫର୍ମର ସବୁକୁଛି ଯୋଗାଇ ଦିଆଯାଇଥିଲା। ସେହି ଅନୁଯାୟୀ ବହୁ ସଂଖ୍ୟାରେ କୁଶଳୀ ଓ ଅଣକୁଶଳୀ ବିଦ୍ୟୁତ୍ ଶ୍ରମିକଙ୍କୁ ବି ନିୟୋଜିତ କରାଯାଇଥିଲା। ରାଜ୍ୟର ସବୁ ବିଦ୍ୟୁତ୍ ଠିକାଦାରଙ୍କୁ ଏହି କାମରେ ନିୟୋଜିତ କରାଯାଇଥିଲା। ଏ ଭିତରେ ସହରାଞ୍ଚଳ ଅବସ୍ଥା ସ୍ବାଭାବିକ ହୋଇସାରିଲାଣି। ୯୫ ପ୍ରତିଶତ ଗ୍ରାହକ ଏ ଭିତରେ ବିଦ୍ୟୁତ୍ ସଂଯୋଗ ପାଇ ସାରିଲେଣି। କିନ୍ତୁ ଗ୍ରାମାଞ୍ଚଳ ଏବେ ବି ଅନ୍ଧକାର ଭିତରେ ରହିଛି। ଜାତୀୟ ରାଜପଥ ଓ ରାଜ୍ୟ ରାଜପଥର କିଛି ଅଞ୍ଚଳକୁ ଛାଡ଼ିଦେଲେ ବାକି ଗାଁ ଏବେ ବି ଘନ ଅନ୍ଧକାର ଭିତରେ ରାତି କାଟୁଛନ୍ତି। ୧ଲକ୍ଷରୁ ଅଧିକ ଗ୍ରାହକ ଏବେ ବି ବିଦ୍ୟୁତ୍ ସେବାରୁ ବଞ୍ଚିତ ରହିଛନ୍ତି। ଅସହ୍ୟ ଗରମରେ ସଢ଼ୁଛନ୍ତି ଗାଁ ଲୋକେ।

ଏ ସଂପର୍କରେ ଫେଡକୋ ଅଧିକାରୀ ବିଶ୍ବଜିତ ପରିଜା କହିଛନ୍ତି, ବଳିଆପଣ୍ଡାର କିଛି ଅଞ୍ଚଳ ଓ ସଂସ୍କୃତ ବିଶ୍ବବିଦ୍ୟାଳୟର କିଛି ଅଞ୍ଚଳକୁ ବାଦଦେଲେ ପୁରୀ ସହରର ସମସ୍ତ ଅଞ୍ଚଳକୁ ବିଦ୍ୟୁତ୍ ସଂଯୋଗ ଦିଆସରିଛି। ଆଉ ଦିନେ ଦୁଇଦିନ ଭିତରେ ସହରାଞ୍ଚଳରେ ଶତ ପ୍ରତିଶତ ବିଜୁଳ ସଂଯୋଗ ଦିଆଯିବ। ଗ୍ରାମାଞ୍ଚଳରେ ବି କାମ ଜୋରସୋରରେ ଚାଲିଛି। । ଗ୍ରାମାଞ୍ଚଳର କିଛି କିଛି ଅଞ୍ଚଳରେ ବିଜୁଳି ସଂଯୋଗ ଦିଆସରିଲାଣି। ବାକି ଯେଉଁ ଅଞ୍ଚଳ ବାକି ରହିଛି, ଆଉ ୧୪/୧୫ ଦିନ ଭିତରେ ‌ସେଠାକାର ସ୍ଥିତି ସ୍ବାଭାବିକ ହେବ।

ସମ୍ବନ୍ଧିତ ଖବର