ସାମୁଦ୍ରିକ ଝଡ଼ ‘ଫନି’ର ୬ ମାସ ପରେ ବି ପୁରୀ ଜିଲ୍ଲାରେ ଏବେ ବି ଶିକ୍ଷା ଭିତ୍ତିଭୂମି ଅସଜଡ଼ା

ପୁରୀ : ସାମୁଦ୍ରିକ ଝଡ଼ ‘ଫନି’କୁ ୬ ମାସ ପୁରିଲାଣି। ବିପନ୍ନମାନେ ‘ଫନି’ ସହାୟତା ନେଇ ଘର ତୋଳିଲେଣି। ମାତ୍ର ‘ଫନି’ ବାତ୍ୟା ଉଜାଡ଼ି ଦେଇଥିବା ଶିକ୍ଷା ଭିତ୍ତିଭୂମି ଏବେ ବି ଅସଜଡ଼ା ରହିଛି। ଆଂଶିକ ଭାଙ୍ଗିଥିବା କେତେକ ସ୍କୁଲର ମରାମତି କରାଯାଇଛି। ମାତ୍ର ଏବେ ପ୍ରତି ପଞ୍ଚାୟତରେ ‘ଫନି’ ପରେ ସ୍କୁଲ ମରାମତି ନାମରେ ଅର୍ଥ ଆତ୍ମସାତ କରାଯାଇଥିବା ନେଇ ଅଭିଯୋଗ ଉଠୁଛି। ଛାତ‌ ଉପରେ କିଏ ଗ୍ରିଡିଂ କରି ଟଙ୍କା ନେଇ ସାରିଲାଣି ତ କିଏ କାନ୍ଥରେ ରଙ୍ଗ ମାରି ବିଲ୍ ନେଇଛି। ବିଡିଓମାନଙ୍କୁ ମରାମତି କାମ ହସ୍ତାନ୍ତର କରାଯାଇଥିଲା। ବିଡିଓମାନେ ଏହାକୁ ପଞ୍ଚାୟତ ଦ୍ବାରା କରାଇଥିଲେ। ଆଦୌ ଭାଙ୍ଗି ନଥିବା ସ୍କୁଲ ପାଇଁ ଟଙ୍କା ଦିଆଯାଇଛି। ଅନ୍ୟପକ୍ଷରେ ଅସୁରକ୍ଷିତ ଅବସ୍ଥାରେ ପଡିଥିବା ସ୍କୁଲ ଘରର ଆବର୍ଜନାକୁ ଏ ଯାଏ ଅପସାରଣ କରାଯାଇନାହିଁ। ସଂପୂର୍ଣ୍ଣ ଧ୍ବଂସ ହୋଇଥିବା ସ୍କୁଲ ଗୁଡିକର ନିର୍ମାଣ କରାଯାଇନାହିଁ। ଅଧିକ‌ାଂଶ ସ୍କୁଲ ଏବେ ବି ଅସ୍ଥାୟୀ ଭାବେ ଚାଲିଛି।

arunachal24.in

ସୂଚନା ମୁତାବକ, ଜିଲ୍ଲାରେ ମୋଟ ୨୧୩୪ ସ୍କୁଲ ଘର କ୍ଷତି ହୋଇଥିଲା। ସେଥିରୁ ୧୨୦୦ ସ୍କୁଲ ମାତ୍ରାଧିକ କ୍ଷତି ହୋଇଥିଲା। ତେବେ ଜିଲ୍ଲା‌ରେ ୫୦୦ରୁ ଅଧିକ ସ୍କୁଲ ସଂପୂର୍ଣ୍ଣ ମାଟିରେ ମଶିଥିଲା। ପୂର୍ଣ୍ଣମାତ୍ରା‌ରେ କ୍ଷତି ହୋଇଥିବା ସ୍କୁଲଗୁଡିକର ପୁନଃ ନିର୍ମାଣ କରାଯାଇନାହିଁ। ଜିଲ୍ଲାର ବ୍ରହ୍ମଗିରି, କୃଷ୍ଣପ୍ରସାଦ, ସତ୍ୟବାଦୀ, କଣାସ, ପୁରୀ ସଦର, ‌ଡେଲାଙ୍ଗ ବ୍ଲକରେ ସର୍ବାଧିକ ସ୍କୁଲ ଘର ଭାଙ୍ଗିଥିଲା। ଏହି ବ୍ଲକରେ ସ୍କୁଲ ମରାମତିରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ଅନ୍ୟପକ୍ଷରେ ଜିଲ୍ଲା ପ୍ରଶାସନ ଏ ନେଇ କୌଣସି ପଦକ୍ଷେପ ନେଉନାହିଁ। କେବଳ ଆଂଶିକ କ୍ଷତିଗ୍ରସ୍ତ ସ୍କୁଲ ଗୁଡିକର ମରାମତି କରି ଦାୟିତ୍ବ ସାରିଦେଇଛି। ଜିଲ୍ଲାରେ ମୋଟ ୨୫୬୬ ସ୍କୁଲ ରହିଛି। ଜିଲ୍ଲାରେ ଏବେ ସମୁଦାୟ ୨ଲକ୍ଷ ୯୪ ହଜାର ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବା ବେ‌ଳେ ସ୍କୁଲ ନଥିବାରୁ ଉପସ୍ଥାନ ସଂଖ୍ୟା ଦୁଇଲକ୍ଷ ଟପୁନାହିଁ। ନୂଆ ସ୍କୁଲ ଘର ନିର୍ମାଣ ହୋଇନଥିବାରୁ ଛାତ୍ରଛାତ୍ରୀମାନେ ସ୍କୁଲ ଯିବାକୁ ଅମଙ୍ଗ ହେଉଥିବାରୁ ସ୍କୁଲର ଉପସ୍ଥାନ ସଂଖ୍ୟା କମୁଛି। ଅର୍ଦ୍ଧଭଗ୍ନ ସ୍କୁଲ ଗୁଡିକ ଏବେ ବି ସେହିପରି ବିପଦସଙ୍କୁଳ ଅବସ୍ଥାରେ ପଡିଛି।

ସମ୍ବନ୍ଧିତ ଖବର